ଭାରତ ଫେରିପାରେ ପଳାତକ ମେହୁଲ ଚୌକସି । ଡୋମିନିକାରେ ଡେରା ପକାଇଛନ୍ତି ୮ ଜଣିଆ ଭାରତୀୟ ଦଳ ।

252

କନକ ବ୍ୟୁରୋ: ଭାରତ ଫେରିବ ମେହୁଲ ଚୌକସି? ଡୋମିନିକାରେ ଡେରା ପକାଇଛି ଭାରତୀୟ ଦଳ । ପଳାତକ ମେହୁଲ ଚୌକସି ଗିରଫ ପରେ ଏବେ ଭାରତକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ଭାରତର ଇଡି, ସିବିଆଇ ଭଳି ଏକାଧିକ ସଂସ୍ଥାର ୮ ଜଣିଆ ଟିମ୍ ଏବେ ଡୋମିନିକାରେ ଡେରା ପକାଇଛନ୍ତି । ବୁଧବାର ଡୋମିନିକା କୋର୍ଟରେ ଶୁଣାଣି ସମୟରେ କୋର୍ଟରେ ଚୌକସୀର ଅର୍ଥନୈତିକ ଅପରାଧର ଦସ୍ତାବିଜ ଦାଖଲ ସହ ଡୋମିନିକାର ସରକାରୀ ଓକିଲଙ୍କୁ ସହାୟତା କରିବ ଭାରତର ଏହି ପ୍ରତିନିଧି ଦଳ । ଏହାଛଡା ମେହୁଲ ଚୌକସି ଭାରତର ନାଗରିକ ବୋଲି ପ୍ରମାଣ ଦେଇ ପ୍ରତ୍ୟାର୍ପଣ ପାଇଁ କୋର୍ଟଙ୍କ ଅନୁମତି ଲୋଡିବ । କାରଣ ମେହୁଲ ଚୌକସି ୨୦୧୭ରୁ ଆଂଟିଗୁଆର ନାଗରିକତା ଗ୍ରହଣ କରିଥିବା ବେଳେ ୨୦୧୮ରୁ ସେଠାରେ ରହି ଆସୁଛି । ହେଲେ ଆଂଟିଗୁଆରୁ କ୍ୟୁବାକୁ ଫେରାର ହେବା ବେଳେ ଡୋମିନିକାରେ ଧରାପଡିଛି । ଚୌକିସି ଡୋମିନିକାର ନାଗରିକ ହୋଇନଥିବାରୁ ମୌଲିକ ଅଧିକାର ନେଇ କୌଣସି ଦାବି କରିପାରିବ ନାହିଁ ଓ ଭାରତକୁ ପ୍ରତ୍ୟାର୍ପଣ ପଥ ସହଜ ହେବ ବୋଲି ଅନୁମାନ କରାଯାଉଛି ।

ଡୋମିନିକା କୋର୍ଟ ମେହୁଲକୁ ଭାରତ ପ୍ରତ୍ୟାର୍ପଣ ପାଇଁ ଅନୁମତି ଦେଲେ ଏହି ଟିମ ହିଁ ତାଙ୍କୁ ଡୋମିନିକାରୁ କତାର ଭାୟାଦେଇ ଭାରତ ଆଣିବ । ଦିଲ୍ଲୀ ପହଂଚିବା ପରେ ଦିଲ୍ଲୀ ଏୟାରପୋର୍ଟରେ ହିଁ ତାଙ୍କୁ ଗିରଫ ଘୋଷଣା କରାଯିବାର ସୂଚନା ରହିଛି । ମିଶନ ଚୋକସି ଟିମରେ ଡୋମିନିକା ଯାଇଛନ୍ତି ସିବିଆଇର ବ୍ୟାଙ୍କିଙ୍ଗ ଫ୍ରଡ ବିଭାଗର ମୁଖ୍ୟ ଶାରଦା ରାଉତଙ୍କ ନେତୃତ୍ୱରେ ଯାଇଛନ୍ତି ସିବିଆଇର ୨ଜଣ ଅଧିକାରୀ, ପ୍ରବର୍ତନ ନିର୍ଦ୍ଦେଶାଳୟର ୨ ଜଣ ଏବଂ ସିଆରପିଏଫର ୨ ଜଣ ଅଧିକାରୀ । ମେ ୨୬ ତାରିଖରେ ଚୌକସି ଧରା ପଡିବା ପରେ ଭାରତର ଏହି ଟିମ୍ ମେ ୨୮ ତାରିଖରେ ଛୋଟ ଦ୍ୱୀପ ଡୋମିନିକାରେ ପହଂଚିଥିଲା ।

ପଂଜାବ ନେସନାଲ ବ୍ୟାଙ୍କ ଠକେଇର ଅଭିଯୁକ୍ତ ଚୌକସି ୨୦୧୮ରେ ଭାରତରୁ ଫେରାର ପରେ ଭାରତରେ ରାଜନୈତିକ ବିବାଦ ଆରମ୍ଭ ହୋଇଥିଲା । ଠିକ ସେହିପରି ଏବେ ଚୌକସିର ଗିରଫ, ଆଂଟିଗୁଆରୁ ଡୋମିନିକା ଯାଏଁ ରାଜନୈତିକ ଝଡ ସୃଷ୍ଟି କରିଛି । ପଳାତକ ମେହୁଲ ଚୌକସି ଗିରଫ ପରେ ଡୋମିନିକାରେ ଏବେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି । ଆଂଟିଗୁଆ ଓ ଡୋମିନିକାର ବିରୋଧୀ ଦଳ ଏବେ ମେହୁଲ ଚୌକସି ମାମଲାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଡୋମିନିକାର ବିରୋଧୀ ଦଳ ନେତା ଲିନାକ୍ସ ଲିଂଟନ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟଙ୍କୁ ଟାର୍ଗେଟ କରି କହିଛନ୍ତି, ସରକାର ଜାଣିଶୁଣି ମେହୁଲକୁ ଆଂଟିଗୁଆରୁ ଗାଏବ କରି ଡୋମିନିକା ଆଣିଛନ୍ତି । ଦେଶରେ କୌଣସି ଆଇନ ବୋଲି କିଛି ନାହିଁ, ମେହୁଲ ଷଡଯନ୍ତ୍ରରେ ସରକାର ସାମିଲ ହୋଇ ଅନ୍ତର୍ଜାତୀୟସ୍ତରରେ ଦେଶର ଭାବମୂର୍ତିକୁ ଖରାପ କରିଛନ୍ତି । ସେହିପରି ଆଂଟିଗୁଆରେ ମଧ୍ୟ ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନଙ୍କୁ ନିଶାଣ କରିଛନ୍ତି ବିରୋଧୀ ଦଳ । ଅନ୍ୟପଟେ ମେହୁଲ ବିରୋଧୀ ଦଳଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୋଗ ଆଣିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ । ଶାସନକୁ ଫେରିଲେ ଆଂଟିଗୁଆରେ ନିର୍ଭୟରେ ରହିବାକୁ ପ୍ରତିଶ୍ରୁତି ଦେଇ ବିରୋଧୀ ମେହୁଲ ଠାରୁ ଚାନ୍ଦା ନେଇଥିବା ଅଭିଯୋଗ କରିଛନ୍ତୁ ଗେଷ୍ଟନ ବ୍ରାଉନ ।