ପୁଣି ଫେରିବ କି ଲକଡାଉନ୍ ? ବିଶେଷଜ୍ଞ ଡାକ୍ତରଙ୍କ ମତ, ଲକଡାଉନ ନୁହେଁ ସମାଧାନ ।

347

କନକ ବ୍ୟୁରୋ : ବଢୁଥିବା ସଂକ୍ରମଣକୁ ଦେଖି ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ତେଣୁ ଆଗାମୀ ଦିନରେ ଲକଡାଉନ୍ ଏବଂ ସଟଡାଉନ୍ ଲାଗୁ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ବିଶେଷଜ୍ଞ କହିଛନ୍ତି, ଲକଡାଉନ ଲାଗୁ ହେଲେ ସଂକ୍ରମଣକୁ ରୋକିହେବନି । ତେଣୁ ଲକଡାଉନ୍ ନହେବା ଦରକାର । ଅର୍ଥନୈତିଜ୍ଞ କହିଛନ୍ତି, ଗୁରୁତର ସଂଖ୍ୟା କମ୍ ରହିଛି ତେଣୁ ଜୀବିକା ଉପରେ ଗୁରୁତ୍ୱ ଦିଆଯିବା ଦରକାର ।

ମାଡି ଚାଲିଛି କରୋନା ସଂକ୍ରମଣ । ପ୍ରଥମ ଓ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି । ତେଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ପୁଣିଥରେ ଲକଡାଉନ୍ ଓ ସଟଡାଉନ୍ ଲାଗୁ କରିପାରନ୍ତି । ପ୍ରାଥମିକ ଭାବରେ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁକୁ କଡାକଡି କରିଥିବାରୁ ଲକଡାଉନ୍ ଓ ସଟଡାଉନ ନେଇ ସାଧାରଣରେ ଏବେ ପ୍ରଶ୍ନ ଉଠିଛି । ଅନ୍ୟପଟେ ବିଶେଷଜ୍ଞ କହିଛନ୍ତି ଲକଡାଉନ୍ ଲଗାଇଲେ କୌଣସି ଲାଭ ହେବନି । ସଂକ୍ରମଣ ଯେମିତି ବଢୁଛି ସେମିତି ବଢିବ ।

ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଯେଉଁଭଳି ହନ୍ତସନ୍ତ ହୋଇଛନ୍ତି ତାକୁ ଭୁଲି ପାରିନାହାନ୍ତି ସାଧାରଣ ଲୋକ । ତେଣୁ ପୁଣି ଥରେ ଲକଡାଉନ କଥା ଶୁଣି ସେମାନଙ୍କ ଭିତରେ ଛନକା ପଶିଛି । ଜୀବନ ବଞ୍ଚାଇବାକୁ ଯାଇ ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ଲକଡାଉନ୍, ସଟଡାଉନ୍ ଲାଗୁ ହୋଇଥିଲା । ଯେଉଁଥିପାଇଁ ଅନେକଙ୍କ ଜୀବିକା ଯାଇଥିଲା । ଆଉ ଏହି କଟକଣା ଯୋଗୁଁ ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଥିଲା । ଅନ୍ୟପଟେ ଏବେ ଗୁରୁତର ଏବଂ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା କମ୍ ରହିଛି । ତେଣୁ ଅନେକ ଲୋକ କରୋନା ନିୟମକୁ ମାନୁନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସତର୍କ କରାଇଛନ୍ତି ବିଶେଷଜ୍ଞ । ଦେଶରେ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ଅନେକ ଲକଡାଉନ୍ ପାଇଁ ଯଦିଓ ମତ ରଖୁଥିଲେ ହେଲେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ୍ ନିଷ୍ପତିକୁ ନା କହିିଦେଇଛନ୍ତି ।