ଜାରି ରହିବ କି ଲକଡାଉନ୍ । ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ତାଲାବନ୍ଦ ପାଇଁ ପରାମର୍ଶ, ଆଇସିଏମ୍ଆର ମୁଖ୍ୟଙ୍କ ପରାମର୍ଶ, ୨ ମାସ ଯାଏଁ ଲଗାଯାଉ ଲକଡାଉନ ।

608

କନକ ବ୍ୟୁରୋ : ଦେଶର ଅଧିକାଂଶ ରାଜ୍ୟରେ ଏବେ ଜାରି ରହିଛି ଲକଡାଉନ କଟକଣା । ତେବେ ଏହା ଆଗକୁ ଆଉ ବଢ଼ିବ କି ନାହିଁ ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବାବେଳେ ଲକଡାଉନ ବଢ଼ାଇବାକୁ ପ୍ରସ୍ତାବ ଦେଇଛନ୍ତି ଆଇସିଏମଆର ମୁଖ୍ୟ । ଦେଶର ଯେଉଁସବୁ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହୁଛି ,ସେସବୁ ଜିଲ୍ଲାରେ ଦେଢରୁ ୨ମାସ ପର୍ଯ୍ୟନ୍ତ ଲକଡାଉନ ଭଳି ଶକ୍ତ କଟକଣା ଲଗାଇବାକୁ ସୁପାରିଶ କରିଛନ୍ତି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ବା ଆଇସିଏମଆରର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ ।

ଦେଶର ଯେଉଁ ଜିଲ୍ଲାରେ ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ରହୁଛି, ସେହିସବୁ ଜିଲ୍ଲାରେ ଦେଢ଼ରୁ ୨ ମାସ ପର୍ଯ୍ୟନ୍ତ ଲକଡାଉନ ଭଳି ଶକ୍ତ କଟକଣା ଲଗାଇବାକୁ ସୁପାରିଶ କରିଛନ୍ତି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ବା ଆଇସିଏମଆରର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ । ଏକ ସାକ୍ଷାତକାରରେ ଡାକ୍ତର ଭାର୍ଗବ କହିଛନ୍ତି,

– ଦେଶର ୭୧୮ ଜିଲ୍ଲା ମଧ୍ୟରୁ ଦୁଇ-ତୃତୀୟାଂଶ ଜିଲ୍ଲାରେ ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ହାର

– ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଭଳି ବଡ଼ ସହର ମଧ୍ୟ ସେଥିରେ ରହିଛି

– କରୋନା ବିରୋଧୀ ମୁକାବିଲା ବିଳମ୍ବ ହୋଇଗଲା

– ଲକଡାଉନ ଭଳି କଟକଣା ଲଗାଇଲେ ମହାମାରୀର ମୁକାବିଲା କରିହେବ

– ଅଧିକ ସଂକ୍ରମଣ ଅଂଚଳରେ ୬ରୁ ୮ ସପ୍ତାହ ଲକ୍ଡାଉନ୍ ପାଇଁ ସୁପାରିଶ

– ଏପ୍ରିଲ ୧୫ ତାରିଖରେ ଲକଡାଉନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା କୋଭିଡ୍ ଟାକ୍ସଫୋର୍ସ

ପ୍ରଥମ ଥର ପାଇଁ ଡାକ୍ତର ବଳରାମ ଭାର୍ଗବଙ୍କ ଭଳି କେନ୍ଦ୍ର ସରକାରଙ୍କ ଜଣେ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଲକଡାଉନ୍ ସପକ୍ଷରେ ଖୋଲାଖୋଲି କହିଛନ୍ତି । ତେବେ ଏପ୍ରିଲ ମାସ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧନ କରି କହିଥିଲେ, ଲକଡାଉନ ହେଉଛି ଶେଷ ବିକଳ୍ପ । ସଂକ୍ରମଣ ବଢ଼ୁଥିବା ଅଂଚଳରେ ଛୋଟ ଛୋଟ କଂଟେନମେଂଟ ଜୋନ କରି କରୋନା ସଂକ୍ରମଣ ରୋକିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ । ଅବଶ୍ୟ ଏପ୍ରିଲ ୨୬ ତାରିଖରେ ଟାକ୍ସଫୋର୍ସ ସହ ବୈଠକ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିକ ପ୍ରଭାବିତ ଜିଲ୍ଲାଗୁଡିକରେ ଶକ୍ତ କଟକଣା ଲଗାଇବାକୁ ସ୍ଥାନୀୟ ପ୍ରଶାସନକୁ କହିଥିଲେ । ମାତ୍ର ଏହା ୧୪ ଦିନ ପାଇଁ ଉଦ୍ଦିଷ୍ଟ ଥିଲା । ଏହାପରେ କଣ କରାଯିବ, କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇନାହିଁ ।

ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ କରୋନା ମାଡି ଚାଲିଥିବା ବେଳେ ବଡ଼ ବଡ଼ ନିର୍ବାଚନ ରାଲି ଦେଖି ବିଚଳିତ ହୋଇ ପଡ଼ିଥିଲେ ଆଇସିଏମଆରର ଅଧିକାରୀ । ତେଣୁ ମହାମାରୀ ସଂପର୍କରେ ଦେଶବାସୀଙ୍କ ନିକଟକୁ ଭୁଲ ବାର୍ତା ଯାଇଥିଲା ବୋଲି ମାନିଛନ୍ତି ଭାରତୀୟ ଚିକିତ୍ସା ଗବେଷଣା ପରିଷଦର କିଛି ଅଧିକାରୀ । ତେବେ ଆଇସିଏମଆରର ମୁଖ୍ୟ ଡାକ୍ତର ବଳାରାମ ଭାର୍ଗବ କହିଛନ୍ତି, ସରକାରଙ୍କ ସହ କୌଣସି ମତଭେଦ ନାହିଁ । ସେ କହିଛନ୍ତି, ସଂକ୍ରମଣ ଯେପରି ମାଡି ଚାଲିଛି, ଭାରତ କିମ୍ବା ବିଶ୍ୱର ଯେକୌଣସି ଦେଶ ଲକଡାଉନ ଭଳି କଟକଣା ଲଗାଇବ । ଏହା ସାଧାରଣ ଜ୍ଞାନ ବୋଲି କହିଛନ୍ତି ଡାକ୍ତର ଭାର୍ଗବ । ଏପଟେ ଦ୍ୱିତୀୟ ଲହରର ପ୍ରଭାବକୁ ଦେଖି ଅନେକ ରାଜ୍ୟ ଲକଡାଉନ ଘୋଷଣା କରିଥିଲେ ବି କେନ୍ଦ୍ର ସରକାର ଏଯାଏଁ ଦେଶରେ ଲକଡାଉନ ଘୋଷଣା କରିନାହାନ୍ତି ।