କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରେ ଉତ୍ପାଦିତ ହେଉଥିବା କଳାଜିରା ଚାଉଳକୁ ମିଳିବ କି ଜିଆଇ ଟ୍ୟାଗ୍ । ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ଉଚିତ୍ ପାରିଶ୍ରମିକ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ନିକଟରେ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା କୃଷି ସଚିବ ଅରବିନ୍ଦ ପାଢି ଏନେଇ ସୂଚନା ଦେଇଛନ୍ତି । ଯାହା ଜିଲ୍ଲାବାସୀଙ୍କ ମୁହଁରେ ହସ ଫୁଟାଇଛି ।

Advertisment

କଳାଜିରା ଚାଉଳର ଔଷଧୀୟ ଗୁଣ ପାଇଁ ଏହାର ଦେଶ ଓ ବିଦେଶରେ ରହିଛି ଚାହିଦା । ଏହି ଚାଉଳ ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ । ବିଶେଷକରି କୋରାପୁଟ, କୋଟପାଡ, ବୈପାରିଗୁଡା ସହିତ ଜିଲ୍ଲା ଅନ୍ୟ ସମସ୍ତ ବ୍ଲକରେ ଏହି ଧାନ ଚାଷ କରାଯାଉଛି । ଚାଷୀ ମାନେ କିଭଳି ଅଧିକରୁ ଅଧିକ ଉତ୍ପାଦନ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ମୁଖ୍ୟତଃ କୋରାପୁଟ ଜିଲ୍ଲା ଆଦିବାସୀ ତଥା ବନବାସୀମାନେ ଏହି ଧାନ ଚାଷ କରିଥାଆନ୍ତି । ଜିଲ୍ଲାରେ ବାର୍ଷିକ ପାଖାପାଖି ଶହେ କୁଇଂଟାଲ କଳାଜିରା ଧାନ ପ୍ରତିବର୍ଷ ଉତ୍ପାଦନ ହେଉଥିବା ଜଣାପଡ଼ିଛି । ତେଣୁ ଏହି ଚାଉଳକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ଏକ ପ୍ରକାର ନୂଆ ସମ୍ଭାବନା ସୃଷ୍ଟି ହୋଇଛି ।

କୌଣସି ଉତ୍ପାଦର ମୂଳ ଭୌଗଳିକ କ୍ଷେତ୍ରକୁ ସ୍ୱତନ୍ତ୍ର ପରିଚୟ ଦିଏ ଜିଆଇ ଟ୍ୟାଗ୍ । ଏହି ପରିଚୟ ମିଳିବା ପରେ ଉତ୍ପାଦର ପ୍ରୋତ୍ସାହନ ଓ ଉତ୍ପାଦକଙ୍କୁ ମଧ୍ୟ ଏହାର ଲାଭ ମିଳିଥାଏ । ବିଶେଷ କରି କୃଷି, ହସ୍ତଶିଳ୍ପ, ଖାଦ୍ୟ ପଦାର୍ଥ ସହିତ ଉଦ୍ୟୋଗୀକ ଉତ୍ପାଦ ଗୁଡିକୁ ଏହି ଟ୍ୟାଗ ଦିଆଯାଏ ।