ଟି-୨୦ ପରେ ଦିନିକିଆ ଅଧିନାୟକ ପଦ ଛାଡିବେ କି କୋହଲି? ଟି-୨୦ ବିଶ୍ୱକପ ଉପରେ ସମସ୍ତଙ୍କର ନଜର ।

137

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ପରେ ଟି-୨୦ ଅଧିନାୟକ ପଦ ଛାଡିବା ନେଇ କୋହଲି ଘୋଷଣା କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ବିରାଟଙ୍କ ଏଭଳି ଘୋଷଣା ଅନେକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଦୀର୍ଘଦିନ ହେବ କୋହଲିଙ୍କ ଅଧିନାୟତ୍ୱକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ବୁଧବାର ଏଭଳି ଏକ ନିଷ୍ପତ୍ତି ନେଇଥିଲେ କୋହଲି । ତେବେ କୋହଲି ଏଭଳି ନିଷ୍ପତ୍ତି କାହିଁକି ନେଲେ? କଣ ତାଙ୍କ ଉପରେ ବୋର୍ଡର ଚାପ ପଡୁଥିଲା କି? କଣ ସତରେ ଅଧିକ ଖେଳ ଚାପ ପାଇଁ କୋହଲି ଏଭଳି ନିଷ୍ପତ୍ତି ନେଇଛନ୍ତି ନା ଏହାପଛରେ ଆଉ କିଛି କାରଣ ରହିଛି? ଏଭଳି ଅନେକ ପ୍ରଶ୍ନ କ୍ରିକେଟପ୍ରେମୀଙ୍କ ମନରେ ଉଠୁଥିଲେ ମଧ୍ୟ ଏହାର ଉତ୍ତର କାହା ପାଖରେ ନାହିଁ ।

କୋହଲି ଟି-୨୦ ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ଏହି ଦାୟିତ୍ୱ ମିଳିବାର ସମ୍ଭାବନା ଅଧିକ ବଢିଛି । କାରଣ ରୋହିତ ଟି-୨୦ ଫର୍ମାଟରେ ସଫଳ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ଆଇପିଏଲରେ ୫ଥର ମୁମ୍ବାଇକୁ ଚାମ୍ପିୟନ କରିଥିବବା ବେଳେ ସୀମିତ ଓଭରରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି । ଏପରିକି ରୋହିତଙ୍କ ନିକଟରେ ନେତୃତ୍ୱ ନେବାର ଦକ୍ଷତା ରହିଛି ବୋଲି ପୂର୍ବରୁ ମଧ୍ୟ ଅନେକଥର କହିଛନ୍ତି କୋହଲି । ତେଣୁ କୋହଲିଙ୍କ ପରେ ରୋହିତଙ୍କ ନାଁରେ ମୋହର ମାରିପାରେ ବିସିସିଆଇ ।

କୋହଲି ଟି-୨୦ ଅଧିନାୟକ ପଦ ଛାଡିବା ପରେ ଅନେକ ଦିଗ ସାମ୍ନାକୁ ଆସିଛି । ଏପରିକି ଟି-୨୦ ପରେ ଦିନିକିଆ ଅଧିନାୟକ ପଦ ମଧ୍ୟ ରୋହିତଙ୍କ ହାତରୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଗତ ଦୁଇ ବର୍ଷ ହେବ ସେଭଳି ଭଲ ପ୍ରଦଶର୍ନ କରିବାରେ ବିଫଳ ହୋଇଛନ୍ତି କୋହଲି । ଏପରିକି ୨୦୧୯ ପରଠାରୁ ଗୋଟିଏ ଶତକୀୟ ଇନିଂସ ବିରାଟଙ୍କ ବ୍ୟାଟରୁ ଦେଖିବାକୁ ମିଳିନାହିଁ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିରାଟ ଭଲ ଭାବେ ଜାଣିଛନ୍ତି ଯଦି ୟୁଏଇରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଦଳ ଭଲ ପ୍ରଦର୍ଶନ ନକରେ ତେବେ ସୀମିତ ଓଭର ଅଧିନାୟକ ପଦରୁ ତାଙ୍କୁ ହଟାଯାଇପାରେ । ଯେହେତୁ ଟି-୨୦ ଅଧିନାୟକ ପଦ ଛାଡିବା ନେଇ କୋହଲି ନିଜେ ଘୋଷଣା କରିଛନ୍ତି, ତେଣୁ ଦଳର ପ୍ରଦର୍ଶନ କୋହଲିଙ୍କ ଦିନିକିଆ ଅଧିନାୟକ ପଦର ଭାଗ୍ୟ ନିର୍ଦ୍ଧାରଣ କରିବ ।

ଏହାଛଡା ଏବେ ଉପ-ଅଧିନାୟକ ଥିବା ରୋହିତ ଶର୍ମା ଟିମ୍ ଇଣ୍ଡିଆର ସବୁଠୁ ଅନୁଭବୀ ଖେଳାଳି । ଆଇପିଏଲରେ ଶାନଦାର ରେକର୍ଡ ନିଜ ନାଁରେ କରିଥିବା ରୋହିତ ମୁମ୍ବାଇକୁ ୫ ଥର ଚାମ୍ପିୟନ କରିଛନ୍ତି । ଏହାଛଡା ୧୦ଟି ଦିନିକିଆରେ ରୋହିତ ଅଧିନାୟକ ଭାବେ ଦଳକୁ ୮ଟିରେ ବିଜୟୀ କରାଇଛନ୍ତି ଓ ୧୯ଟି ଟି-୨୦ରୁ ୧୫ଟିରେ ଟିମ୍ ଇଣ୍ଡିଆକୁ ବିଜୟ ଭେଟି ଦେଇଛନ୍ତି । ଆଉ ଏହି ରେକର୍ଡ ହିଁ ରୋହିତଙ୍କୁ ଅଧିନାୟକ ରାସ୍ତାରେ ଆଗେଇନେବ ।