କନକ ବ୍ୟୁରୋ: ଖରାଦିନରେ ଯେତେବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ପାଣି ସମସ୍ୟାକୁ ନେଇ ଖବର ଆସୁଛି, ସେତିକିବେଳେ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିଛି ବିଜେପି । ସେହିପରି ସ୍ୱାସ୍ଥ୍ୟ ସମସ୍ୟା କଥା ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟପଟେ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ବିଳମ୍ବ ପାଇଁ ଧର୍ମେନ୍ଦ୍ରଙ୍କୁ ଦାୟୀ କରିଛି ବିଜେଡି ।

ମତଦାନ ତାରିଖ ପାଖେଇ ଆସୁଥିବାବେଳେ, ସ୍ୱଛ ପାନୀୟ ଜଳ, ସ୍ୱାସ୍ଥ୍ୟସେବା ସମସ୍ୟା ଓ ଜାତୀୟ ରାଜପଥ ନିର୍ବାଚନୀ ପ୍ରସଙ୍ଗ ହୋଇଛି । ଭତୃହରି ଓ ଅନ୍ୟ ନେତାଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱଛ ପିଇବା ପାଣି ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏଥିସହ ରାଜନୈତିକ ଅଭିସନ୍ଧି ରଖି ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ସେହିପରି ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ବିଳମ୍ବ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ମୌଳିକ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ପରେ କଡା ଜବାବ ରଖିଛି ବିଜେଡି । ୧୦ବର୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସାରାଦେଶରେ ବିଜୁ ସ୍ୱାସ୍ଥ୍ୟ ଯୋଜନା ଶ୍ରେଷ୍ଠ ଯୋଜନା କହି ସମାଲୋଚନା କରିଛନ୍ତି । ଏଥିସହ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ବିଳମ୍ବକୁ ନେଇ ଧର୍ମେନ୍ଦ୍ରଙ୍କୁ ଦାୟୀ କରିଛନ୍ତି ସସ୍ମିତ ।

ଧର୍ମେନ୍ଦ୍ର ଓ ସସ୍ମିତଙ୍କ ଆରୋପ ପ୍ରତ୍ୟାରୋପ ଭିତରେ ଦୁଇ ଦଳର ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜି । କଂଗ୍ରେସ ମଧ୍ୟ ପାଣି ସମସ୍ୟାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ।
ତେବେ ପ୍ରଶ୍ନ ଉଠୁଛି, ଚଳିତ ନିର୍ବାଚନରେ ପିଇବା ପାଣି ସସମ୍ୟା ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନିର୍ବାଚନୀ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବେ କି ବିରୋଧୀ? ୫୫ ନମ୍ବର ଜାତୀୟ ରାଜପଥକୁ ନିର୍ବାଚନୀ ପ୍ରସଙ୍ଗ କରିବ କି ବିଜେଡି?