ଇରାନ ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ଆମେରିକାକୁ ଟାର୍ଗେଟ କରୁ କରୁ ନିଜ ବିମାନକୁ ମିଜାଇଲ ମାଡ କରି ଖସାଇ ଦେଲା କି ଇରାନ?

480

ଇରାକରେ ଥିବା ଆମେରିକାର ସାମରିକ ଘାଟି ଉପରେ ଇରାନ ମିଜାଇଲ ଆକ୍ରମଣ କରିଥିବା ବେଳେ ଏଥିରେ ପ୍ରାୟ ୮୦ ଜଣଙ୍କର ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି । ଆମେରିକା ସାମରିକ ଘାଟି ଉପରେ ଆକ୍ରମଣର କିଛି ସମୟ ବ୍ୟବଧାନରେ ଇରାନ ଆକାଶରେ ଏକ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ପ୍ରାୟ ୧୭୦ ଜଣ ମୃତ୍ୟୁବରଣ କରିଥିବା ଜଣାଯାଇଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଏଥିରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏସବୁ ଭିତରେ ପ୍ରଶ୍ନ ଉଠୁଛି, ଆମେରିକା ସାମରିକ ଘାଟି ଉପରେ ମିଜାଇଲ ମାଡ କରୁଥିବା ଇରାନ କଣ ଭୁଲବଶତଃ ନିଜ ଦେଶର ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନକୁ କ୍ଷେପଣାସ୍ତ୍ର ମାଡ କରିଥିଲା ।

ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ କରିବା ପରେ ଇରାନ ଏବେ ନିଜ ଦେଶର ସୁରକ୍ଷାକୁ କଡାକଡି କରିଦେଇଛି । ଆମେରିକା ପକ୍ଷରୁ କାଳେ ଆକ୍ରମଣ କରାଯିବ ତେଣୁ ସବୁ ପ୍ରକାର ସୁରକ୍ଷା ଦିଗ ଉପରେ ଦୃଷ୍ଟି ଦେଉଛି ଇରାନ । କୁହାଯାଉଛି ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣର ଠିକ ପରେ ପରେ ଆକାଶରେ ଏହି ବିମାନକୁ ଦେଖିବା ମାତ୍ରେ ମିଜାଇଲ ମାଡ କରି ଖସାଇ ଦେଇଛି ଇରାନ । ବାଲାକୋଟରେ ଭାରତର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନର ଯୁଦ୍ଧ ବିମାନ ମଧ୍ୟ ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିଲା । ତେବେ ପାକିସ୍ତାନ ଯୁଦ୍ଧ ବିମାନକୁ ମିସାଇଲ ମାଡ କରି ଖସାଇବାକୁ ଭାରତୀୟ ସେନା ଉଦ୍ୟମ କରୁଥିବା ବେଳେ ଭାରତର ଏକ ଯୁଦ୍ଧ ହେଲିକପ୍ଟର ଏହାର ଶିକାର ହୋଇଥିଲା । ଆଉ ଏଥିରେ ଭାରତୀୟ ବାୟୁସେନାର କିଛି ଅଧିକାରୀ ମଧ୍ୟ ମୃତ୍ୟୁବରଣ କରିଥିଲେ ।

ଫ୍ଲାଇଟ ରାଡାର ୨୪ ମୁତାବକ, ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟାରଲାଇନର ଏକ ଫ୍ଲାଇଟ ଭୋର ୬.୧୨ ମିନିଟ୍ ସମୟରେ ୟୁକ୍ରେନର ରାଜଧାନୀ ଅଭିମୁଖେ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ମଧ୍ୟରେ ବିମାନଟି କ୍ରାସ ହୋଇଯାଇଥିଲା । ବିମାନଟି ମାତ୍ର ୪ ବର୍ଷ ପୁରୁଣା ହୋଇଥିବା ବେଳେ ୨ ଦିନ ପୂର୍ବେ ଏହାର ସୁରକ୍ଷାକୁ ନେଇ ଯାଞ୍ଚ କରାଯାଇଥିଲା । ୟୁକ୍ରେନ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ପ୍ରାଥମିକ ଯାଞ୍ଚରୁ ଇଞ୍ଜନ ଖରାପ କାରଣରୁ ଏଭଳି ଦୁର୍ଘଟଣା ହୋଇଥିବା ଜଣାପଡିଛି । ତେବେ ମିଜାଇଲ ମାଡରେ ବିମାନ ଦୁର୍ଘଟଣା ହୋଇଥିବା କଥାକୁ ଖାରଜ କରାଯାଇଛି ।