ମାଞ୍ଚେଷ୍ଟର ଟେଷ୍ଟ ଭଳି ଆଇପିଏଲ ରଦ୍ଦ ହେବ ତ? ବିସିସିଆଇକୁ ପ୍ରଶ୍ନ କଲେ ଇଂଲଣ୍ଡର ପୂର୍ବତନ କ୍ରିକେଟର ।

185

କନକ ବ୍ୟୁରୋ :  ଭାରତ ପରେ ଦୁବାଇ । ପୁଣି ଆଇପିଏଲରେ କରୋନାର ଏଣ୍ଟ୍ରି । ସନରାଇଜର୍ସ ହାଇଦ୍ରାବାଦର ଟି. ନଟରାଜନ କରୋନାରେ ସଂକ୍ରମିତ ହୋଇଥିଲେ ମଧ୍ୟ ଆଇପିଏଲ ଜାରି ରଖିବ ବୋଲି ସ୍ପଷ୍ଟ କରାଯାଇଛି । ଅଥାର୍ତ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମ୍ୟାଚ୍ ଖେଳାଯିବ । ଆଉ ଏଭଳି ନିଷ୍ପତ୍ତିକୁ ନେଇ ଏବେ ବିସିସିଆଇ ଉପରେ ବର୍ଷିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ ।

ଟି. ନଟରାଜନ କରୋନାରେ ସଂକ୍ରମିତ ହେବା ପରେ ମାଇକେଲ ଭନ୍ ଟ୍ୱିଟ୍ କରିବା ସହ ଲେଖିଛନ୍ତି, ମାଞ୍ଚେଷ୍ଟର ଟେଷ୍ଟ ଭଳି ଆଇପିଏଲ ରଦ୍ଦ ହେଉଛି  କି ନାହିଁ । କିନ୍ତୁ ମୁଁ ଗ୍ୟାରେଣ୍ଟି ଦେଉଛି ଏଭଳି କିଛି ବି ହେବ ନାହିଁ । ଏଭଳି କହି ବିସିସିଆଇକୁ ଟାର୍ଗେଟ କରିଛନ୍ତି ମାଇକେଲ ଭନ୍ । ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଓ ସହଯୋଗୀ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଆଉ ଯେଉଁଥିପାଇଁ ମାଞ୍ଚେଷ୍ଟର ଟେଷ୍ଟ ଖେଳିନଥିଲା ଟିମ୍ ଇଣ୍ଡିଆ । ଫଳରେ ଶେଷ ଟେଷ୍ଟ ମ୍ୟାଚକୁ ରଦ୍ଦ କରିବାକୁ ପଡିଥିଲା । ତେବେ ଶେଷ ଟେଷ୍ଟ ମ୍ୟାଚ୍ ରଦ୍ଦକୁ ନେଇ ସେତେବେଳେ ଜୋରଦାର ବିବାଦ ଦେଖିବାକୁ ମିଳିଥିଲା । ସେତେବେଳେ ମଧ୍ୟ ମାଇକେଲ ଭନ୍ ଆଇପିଏଲ ପାଇଁ ମାଞ୍ଚେଷ୍ଟରକୁ ରଦ୍ଦ କରାଯାଇଥିବା ଅଭିଯୋଗ ଆଣିଥିଲେ । ଆଉ ଏବେ ଯେତେବେଳେ  ଆଇପିଏଲ ଚାଲୁଥିବା ବେଳେ ଜଣେ ଖେଳାଳୀ କରୋନାରେ ସଂକ୍ରମିତ ହୋଇଛନ୍ତି ସେତେବେଳେ ଆଇପିଏଲ ରଦ୍ଦ ହେବ କି ନାହିଁ ବିସିସିଆଇକୁ ପ୍ରଶ୍ନ କରିଛନ୍ତି ଭନ୍ ।

ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ପୂର୍ବରୁ ନଟରାଜନ କରୋନାରେ ଆକ୍ରାନ୍ତ ହେବା ହାଇଦ୍ରାବାଦକୁ ବଡ ଝଟକା ଦେଇଛି । ନଟରାଜନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ବେଳେ ସାଥୀ ଖେଳାଳୀ ବିଜୟ ଶଙ୍କରଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି । ଏହାପୂର୍ବରୁ ମେ’ ମାସରେ ଭାରତରେ କରୋନା କାରଣରୁ ଆଇପିଏଲକୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା । ଆଉ ଏହାର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ଏବେ ୟୁଏଇରେ ଖେଳାଯାଉଛି ।