ଓମିକ୍ରନ ଭାରିଆଣ୍ଟ ବ୍ୟାପୁଛି, ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ କି ଭାରତ? ଦକ୍ଷିଣ ଆଫ୍ରିକା ବୈଦଶିକ ମନ୍ତ୍ରାଳୟ ଦେଲା ବଡ ସଂକେତ ।

141

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଓମିକ୍ରନ ଭାରିଆଣ୍ଟର ଭାଇରସ ଚିହ୍ନଟ ହେବା ପରେ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜ ଉପରେ ସଙ୍କଟର କଳାବାଦଲ ଘୂରି ବୁଲୁଛି । ୧୭ ଡିସେମ୍ବରରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ତେବେ ଏହି ଗସ୍ତ ପୂର୍ବରୁ ଦକ୍ଷିଣ ଆଫ୍ରିକାର ବୈଦଶିକ ମନ୍ତ୍ରାଳୟ ବଡ ବୟାନ ଦେବା ସହ କହିଛି ଯେ, ଟିମ୍ ଇଣ୍ଡିଆ ପାଇଁ ସୁରକ୍ଷିତ ଜୈବ ବଳୟ ସୃଷ୍ଟି କରାଯିବ । ଏପରିକି ଦକ୍ଷିଣ ଆଫ୍ରିକା ମାଟିରେ ପାଦ ଦେବା କ୍ଷଣି ଟିମ୍ ଇଣ୍ଡିଆର ଖେଳାଳୀଙ୍କୁ ସଙ୍ଗେ ସଙ୍ଗେ ବାୟୋ ବବଲ ମଧ୍ୟରେ ରଖାଯିବ । ଏହାସହ ବିସିସିଆଇକୁ ଧନ୍ୟବାଦ ମଧ୍ୟ ଦେଇଛି ଦକ୍ଷିଣ ଆଫ୍ରିକା । କାରଣ ଓମିକ୍ରନ ଭାରିଆଣ୍ଟର ଭାଇରସ ଚିହ୍ନଟ ହେବା ପରେ ମଧ୍ୟ ଏବେ ଇଣ୍ଡିଆ-ଏ ଟିମ୍ ଦକ୍ଷିଣ ଆଫ୍ରିକାରେ ମ୍ୟାଚ ଖେଳୁଛି ।

ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଟିମ୍ ଇଣ୍ଡିଆ ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ୪ଟି ଟି-୨- ମ୍ୟାଚ ଖେଳିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପରେ ଆସନ୍ତା ଡିସେମ୍ବର ୮ରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ ଇଣ୍ଡିଆ ଯିବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ତେବେ ଭାରତ ପକ୍ଷରୁ ଏଯାଏଁ ଏହି ଗସ୍ତକୁ ନେଇ କୌଣସି ସଂକେତ ମିଳିପାରିନାହିଁ । ଯେହେତୁ ଏବେ ଓମିକ୍ରନ ଭାରିଆଣ୍ଟ ଅଧିକ ମାତ୍ରାରେ ବ୍ୟାପୁଛି ତେଣୁ ଶେଷ ପର୍ଯ୍ୟନ୍ତ ସ୍ଥିତି ଉପରେ ନଜର ରଖାଯାଇଛି । ଯଦି ସ୍ଥିତିରେ କୌଣସି ସୁଧାର ନ ଆସେ ତେବେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।