କୋଭିଡ-୧୯ର ସ୍ଥିତି ନେଇ ଆଜି ସମୀକ୍ଷା କରିବେ ମୋଦି: ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରତିନିଧିମାନଙ୍କ ସହିତ ଭର୍ଚୁଆଲ ବୈଠକ

ଟିକା ବଂଟନ ରଣନୀତି ନେଇ ହୋଇପାରେ ଆଲୋଚନା । ସାମିଲ ହେବେ କେଜ୍ରିୱାଲ ଏବଂ ମମତା

80

କନକ ବ୍ୟୁରୋ: ଭାରତର ବିଭିନ୍ନ ରାଜ୍ୟରେ କୋଭିଡ-୧୯ର ସ୍ଥିତି କିପରି ରହିଛି ସେନେଇ ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରତିନିଧିମାନଙ୍କ ସହିତ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିକା ବଂଟନର ରଣନୀତି କଣ ରହିବ ସେ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ନେଇ ସୂଚନା ମିଳିଛି । ଏହି ଭର୍ଚୁଆଲ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହେବା ନେଇ ସୁତ୍ରରୁ ସୂଚନା ମିଳିଛି । କରୋନା ସ୍ଥିତି ନେଇ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଅନେକ ଭର୍ଚୁଆଲ ମିଟିଂ କରିସାରଛନ୍ତି ।

ଜାତୀୟ ସ୍ତରରେ ସଂକ୍ରମଣ ୫୦ହଜାରରୁ କମ ରହିଥିବା ବେଳେ କେତେକ ସହରରେ ସଂକ୍ରମଣ ହାର ବୃଦ୍ଧି କାରଣରୁ କର୍ଫ୍ୟୁ ସହିତ ଅନ୍ୟ କଟକଣାକୁ ଲାଗୁ କରାଯାଇଛି । ଅନ୍ୟପଟେ କରୋନା ଟିକା ଯେତେବେଳେ ଆସିବ ସେତେବେଳେ ଏହାର କିପରି ସଠିକ ବଂଟନ ହୋଇପାରିବ ସେ ଦିଗରେ ମଧ୍ୟ କେନ୍ଦ୍ର ସରକାର ବେଶ ଯତ୍ନବାନ ରହିଛନ୍ତି । ଭାରତରେ ବର୍ତମାନ ୫ଟି ଟିକାର ବିକାଶ ପ୍ରକ୍ରିୟା ଜାରି ରହିଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୪ଟି ଟିକା ରହିଛି । ଆଉ ଗୋଟିଏ ଟିକାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି ।