କେବେ ମୁକ୍ତ ହେବ ୧୬ ଏକରର ବିଶାଳ ସ୍ୱର୍ଗଦ୍ୱାର? ଜମି ମାଡି ବସିଥିବା ବ୍ୟବସାୟୀ ଓ ପ୍ରଭାବଶାଳୀଙ୍କ ଉପରେ ପଡିବ ତ ସରକାରଙ୍କ ଛାଟ?

295

କନକ ବ୍ୟୁରୋ : କୋଟି କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ସ୍ୱର୍ଗଦ୍ୱାରରୁ ବିଜୁ ବାବୁଙ୍କ ସମାଧି ହଟିବା ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ହେଲେ ଏବେ ପ୍ରଶ୍ନ ଉଠୁଛି ସରକାରଙ୍କ ଏହି ନିଷ୍ପତି ପରେ କେବେ ହଟିବ ଜବରଦଖଲ । ୧୬ ଏକରରୁ ଅଧିକ ଜମିରେ ସ୍ୱର୍ଗଦ୍ୱାର ନିର୍ମିିତ ହୋଇଥିବାବେଳେ ଏବେ ଜବରଦଖଲ ଯୋଗୁଁ ଏହା ସଂକୀର୍ଣ୍ଣ ଅବସ୍ଥାରେ ପଡିଛି । କୋଟି କୋଟି ଟଙ୍କାର ଏହି ଜମିକୁ ବ୍ୟବସାୟୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ମାଡି ବସିଛନ୍ତି ।

୪ କୋଟିର ଅଧିକ ଓଡ଼ିଆଙ୍କ ଭାବାବେଗ ସହ ଜଡିତ ପୁରୀ ସ୍ୱର୍ଗଦ୍ୱାର । ତେବେ ଜବରଦଖଲ ଫଳରେ ୧୬ ଏକର ଜାଗାରେ ହୋଇଥିବା ଏହି ସ୍ୱର୍ଗଦ୍ୱାର ଏବେ ସଂକୁଚିତ ହୋଇପଡ଼ିଛି । ଯେତିକି ଜାଗା ଅଛି, ସେଥିରେ ଅଳିଆ, ଆବର୍ଜନା ଭର୍ତି । ନା’ ଶୌଚାଳୟ ବ୍ୟବସ୍ଥା, ନା’ ଅଛି ସ୍ନାନାଗାର, ନା’ ରହିଛି ବିଶ୍ରାମ ଗୃହ । ସ୍ୱର୍ଗଦ୍ୱାରର ଉନ୍ନତିକରଣ ଏବଂ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜୁବାବୁଙ୍କ ସାମାଧୀ ସ୍ଥଳକୁ ହଟାଇ ଦେବା ସହ ଏହାର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ପ୍ରଶ୍ନ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ସମାଧି ତ’ ହଟିଯିବ, ହେଲେ ଯେଉଁ ଜାଗାକୁ ବ୍ୟବସାୟୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ମାଡି ବସିଛନ୍ତି, ସେମାନଙ୍କ କବଳରୁ କେବେ ମୁକ୍ତ ହେବ ସ୍ୱର୍ଗଦ୍ୱାର ।

ସ୍ୱର୍ଗଦ୍ୱାରରୁ ବିଜୁବାବୁଙ୍କ ସମାଧି ହଟାଇବାକୁ ୧୯୯୯ ମସିହାରେ ପୁରୀ ସିଭିଲ ଜର୍ଜ ଜୁନିୟର ଡିଭିଜନ କୋର୍ଟରେ ଟାଇଟଲ ସୁଟ୍ କରାଯାଇଥିଲା । ମାମଲାର ବିଚାର କରି ସମାଧିସ୍ଥଳ ନିର୍ମାଣ ଓ ଜବରଦଖଲକୁ ଅସିଦ୍ଧ ଘୋଷଣା କରିଥିଲେ କୋର୍ଟ । ଜବରଦଖଲ ହଟାଇବାକୁ ପୁରୀ ଜିଲ୍ଲାପାଳ ଓ ପୌରନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ତେବେ ଏହା ବିରୋଧରେ ପିଟିସନ ଦାୟର କରିଥିଲା ପୁରୀ ପ୍ରଶାସନ । ଫଳରେ ଉଚ୍ଛେଦ ପ୍ରକ୍ରିୟା ବିଳମ୍ବ ହୋଇଥିବା କହିଛି ସଚେତନ ନାଗରିକ ମଂଚ । ବିଜୁବାବୁଙ୍କ ସମାଧି ହଟାଇବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ସ୍ୱାଗତ କରିବା ସହ ଆଜି ସିଂହଦ୍ୱାର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଛନ୍ତି ନାଗରିକ ମଂଚର କର୍ମକର୍ତା ।

ସ୍ୱର୍ଗଦ୍ୱାରର ବିକାଶ ଲାଗି ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ସରକାର । ତେଲେଙ୍ଗନା ଢାଂଚାରେ ମହାପ୍ରସ୍ଥାନମ୍ ଭଳି ସ୍ୱର୍ଗଦ୍ୱାରର ନବକଳେବର କରାଯିବ ବୋଲି କୁହାଯାଉଛି । ହେଲେ କେବେ ଯୋଜନା ମୁତାବକ ସ୍ୱର୍ଗଦ୍ୱାରର ବିକାଶ ହେବ, ତା’ ଉପରେ ରହିଛି ସମସ୍ତଙ୍କ ନଜର ।