ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନକୁ ବ୍ୟାନ୍ କରିପାରେ ଆଇସିସି? ସାମ୍ନାକୁ ଆସିଲା ବଡ କାରଣ?

237

କନକ ବ୍ୟୁରୋ : ଆସନ୍ତା ଅକ୍ଟୋବରରେ ୨୦୨୧ ଟି-୨୦ ବିଶ୍ୱକପ ଖେଳାଯିବ । ତେବେ ବିଶ୍ୱକପ ପୂର୍ବରୁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଟି-୨୦ ବିଶ୍ୱକପ ଖେଳିନପାରେ ଆଫଗାନିସ୍ତାନ । ଏହି ମେଗା ଇଭେଣ୍ଟରେ ଆଫଗାନିସ୍ତାନ ଉପରେ ବ୍ୟାନ୍ ଲଗାଇପାରେ ଆଇସିସି । ଆଉ ଏହା ପଛର ସବୁଠୁ ବଡ କାରଣ ହେଉଛି ତାଲିବାନ । କୁହାଯାଉଛି, ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ତାଲିବାନ ପତାକାରେ ଖେଳିବାକୁ ଚାହୁଁଛି । ଯଦି ଆଫଗାନିସ୍ତାନ କ୍ରିକେଟ ଟିମ୍ ତାଲିବାନ ପତାକାକୁ ନେଇ ବିଶ୍ୱକପ ଖେଳନ୍ତି ତେବେ ଆଇସିସି ଏହି ଟିମ ଉପରେ ବ୍ୟାନ୍ ଲଗାଇପାରେ । ଏହାପୂର୍ବରୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷଙ୍କୁ ହଟାଇଛି ତାଲିବାନ । ଆଉ ଏହି ଘଟଣା ଆଫଗାନିସ୍ତାନ କ୍ରିକେଟ ଟିମ ତାଲିବାନ ପତାକା ସହ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।

ଯଦି ଆଫଗାନିସ୍ତାନ ତାଲିବାନ ପତାକାରେ ଖେଳିବାକୁ ଚାହେଁ ତେବେ ଆଇସିସି ଏହି ଟିମକୁ ବିଶ୍ୱକପରେ ଭାଗ ନେବାରୁ ରୋକିପାରେ ଏବଂ ଟିମକୁ ନିଲମ୍ବିତ କରିପାରେ । ଖୁବଶୀଘ୍ର ପ୍ରତି ଟିମ୍ ନିଜ ପତାକା ଆଇସିସି ପାଖରେ ଜମା କରିବେ । ତେଣୁ ଆଫଗାନିସ୍ତାନର ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଆଇସିସି ଖୁବଶୀଘ୍ର ଏକ ଜରୁରୀକାଳୀନ ବୈଠକ ଡାକିପାରେ । ଏପରିକି ଏହି ବୈଠକରେ ଆଫଗାନିସ୍ତାନ ଟିମକୁ ନିଲମ୍ବିତ କରିବାକୁ ଆଇସିସି ଭୋଟିଂ କରିପାରେ । କିନ୍ତୁ ଏବେଯାଏଁ ଆଇସିସିର ଭରସା ଅଛି ଯେ, ଆଫଗାନିସ୍ତାନର ପତାକା ସହ ଟିମ୍ ମୈଦାନକୁ ଓହ୍ଲାଇବ ।

ୟୁଏଇରେ ଆସନ୍ତା ଅକ୍ଟୋବରରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ । ଭାରତ ଯେଉଁ ଗ୍ରୁପରେ ରହିଛି ଆଫଗାନିସ୍ତାନ ମଧ୍ୟ ସେହି ଗ୍ରୁପରେ ରହିଛି । ଏହି ଗ୍ରୁପରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟ ରହିଛି । ଏହାପୂର୍ବରୁ ଆଫଗାନିସ୍ତାନର ତାଲିବାନ ସରକାର ଆଇପିଏଲ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛି । ଚିୟର ଲିଡର୍ସଙ୍କ ନାଚ ଗୀତ କାରଣରୁ ଏହି ପ୍ରତିବନ୍ଧକ ଲଗାଇଥିବା କହିଛି ତାଲିବାନ ।