ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ କି ହେମନ୍ତ ସୋରେନ? ଜେଲରୁ ମୁକୁଳିବା ପୂର୍ବରୁ ଝାଡଖଣ୍ଡରେ ବଢିଲା ଚର୍ଚ୍ଚା ।

763

କନକ ବ୍ୟୁରୋ : ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଛି ଜାମିନ । ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ହେମନ୍ତଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ଜାମିନ ମିଳିଛି । ପାଖାପାଖି ୫ ମାସ ପରେ ଜେଲରେ ମୁକୁଳିବେ ହେମନ୍ତ ସୋରେନ । ପୂର୍ବରୁ ଜମି ଦୁର୍ନୀତି ମାମଲାରେ ହେମନ୍ତଙ୍କୁ ଗିରଫ କରିଥିଲା ଇଡି । ତେବେ ଜେଲରୁ ମୁକୁଳିବା ପରେ ହେମନ୍ତ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦରେ ବସିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଜେଏମଏମର ରାଜ୍ୟସଭା ସାଂସଦ ମହୁଆ ମାଜୀ କହିଛନ୍ତି, ହେମନ୍ତ ସୋରେନ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ଦଳୀୟ ବୈଠକରେ ନିଷ୍ପତ୍ତି ନିଆଯିବ । ଏବେ ହେମନ୍ତଙ୍କୁ ଜାମିନ ମିଳିଥିବା ବେଳେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ମୁଁ ବ୍ୟକ୍ତିଗତ ଭାବେ କୌଣସି ନିଷ୍ପତ୍ତି ନେଇ ପାରିବନି କିନ୍ତୁ ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ସମର୍ଥନ କରିବି ।

ଏହାସହ ସାଂସଦ ମହୁଆ ମାଜୀ କହିଛନ୍ତି, ହେମନ୍ତ ସୋରେନଙ୍କୁ ଯେଉଁ ଜମି ଦୁର୍ନୀତି ମାମଲାରେ ଗିରଫ କରାଯାଇଥିଲା ସେହି ଜମିକୁ ନା କେହି ବିକ୍ରି କରିପାରିବେ ନା କେହି କିଣିପାରିବେ । ଅନ୍ୟପଟେ ହେମନ୍ତଙ୍କୁ ଗିରଫ କରାଯିବା ପରେ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ । ନିଜେ ହେମନ୍ତ ସୋରେନ ଚମ୍ପାଇ ସୋରେନଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ପ୍ରସ୍ତାବ ଦେଇଥିଲେ । ଜେଲରେ ଥିବା ବେଳେ ହେମନ୍ତଙ୍କ ସ୍ତ୍ରୀ କଳ୍ପନା ସୋରେନ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଆତ୍ମବିଶ୍ୱାସ ବଢାଇଥିଲେ । ନିଜେ କଳ୍ପନା ଉପ-ନିର୍ବାଚନ ଲଢି ବିଜୟୀ ମଧ୍ୟ ହୋଇଥିଲେ । ତେବେ ହେମନ୍ତ ଜେଲରୁ ଫେରିବା ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଆସନ୍ତା ନଭେମ୍ବର-ଡିସେମ୍ବରରେ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ମାସ ଆଗରୁ ବିଜ୍ଞପ୍ତି ପ୍ରକାଶ ପାଇବ । ତେଣୁ ଏମିତିରେ ଦେଖିବାକୁ ଗଲେ ମାତ୍ର ୩ରୁ ୪ ମାସ ପାଇଁ ହେମନ୍ତ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବାର ସମ୍ଭାବନା କ୍ଷୀଣ ।

ମୁଖ୍ୟମନ୍ତ୍ରୀ ହେବା ଅପେକ୍ଷା ବରଂ ହେମନ୍ତ ନିର୍ବାଚନ ପରିଚାଳନା ଉପରେ ଅଧିକ ଫୋକସ କରିପାରନ୍ତି । ଏବେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ସାଧାରଣ ଲୋକଙ୍କ ମନରେ ଭିନ୍ନ ଧାରଣା ସୃଷ୍ଟି କରିବାକୁ ଚାହିଁନପାରନ୍ତି ହେମନ୍ତ । ତେଣୁ ଦଳକୁ ବିଜୟୀ କରିବାକୁ ଏବେ ହେମନ୍ତ ଅଧିକ ପ୍ରାଥମିକତା ଦେବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।