ଉପକୂଳକୁ ଘଷି ହୋଇ ଆଗକୁ ବଢ଼ିବ, ଦୀଘା-ହାତିଆ ଭିତରେ ସ୍ଥଳଭାଗ ଛୁଇଁବ ଅମ୍ଫାନ୍; ଉତ୍ତର ଓଡ଼ିଶାକୁ ବିପଦ, ଆଜିଠୁ ବର୍ଷା, ୧୩୫କିମି ବେଗରେ ଦେଇପାରେ ଝଟକା

674

କନକ ବ୍ୟୁରୋ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ୍ ଗତକାଲି ସନ୍ଧ୍ୟାରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇଛି। ରାତି ଏଗାରଟା ୧୫ ବେଳକୁ ଭାରତୀୟ ପାଣିପାଗ ବିଭାଗ ଯେଉଁ ବୁଲେଟିନ୍ ଜାରି କରିଛନ୍ତି, ସେ ଅନୁସାରେ ବାତ୍ୟା ପାରାଦୀପ ଠାରୁ ୯୦୦ କିଲୋମିଟର ଦକ୍ଷିଣରେ ରହିଛି ଓ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢିବା ସହିତ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଏମିତି ଯେ ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତି ଭୀଷଣ ରୂପ ଧାରଣ କରିବ। ସେତେବେଳକୁ ବାତ୍ୟାର କେନ୍ଦ୍ରସ୍ଥଳୀରେ ପବନର ବେଗ ଘଣ୍ଟାପ୍ରତି ୧୬୦ରୁ ୧୭୦ କିଲୋମିଟର ଥିବ ଓ ମଝିରେ ମଝିରେ ୧୮୫ କିଲୋମିଟର ବେଗରେ ଝଟକା ଦେଉଥିବ। ପାଖାପାଖି ୩୬ ଘଣ୍ଟା ଧରି ବାତ୍ୟା ଏଭଳି ରୂପରେ ସମୁଦ୍ରକୁ ଗୁରାଣ୍ଡିବା ବେଳେ ଉପକୂଳ ଓଡ଼ିଶାରେ ଏକ ବଡ଼ ପ୍ରଭାବ ରଖି ଫେରିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କଲେଣି।

ଭାରତର ପାଣିପାଗ ବିଭାଗ କହୁଛି, ଆଜି ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଦେଖିବାକୁ ମିଳିବ। ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ ଓ ମଝିରେ ମଝିରେ ୬୫ କିଲୋମିଟର ବେଗରେ ଝଟ୍‌କା ଦେବ। ୧୯ ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ। ୨୦ ତାରିଖ ସକାଳ ପରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ ଜିଲ୍ଲାରେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ ଓ ସ୍ଥଳ ବିଶେଷରେ ୯୫ କିଲୋମିଟର ବେଗରେ ଝଟ୍‌କା ଦେବ। ଧୀରେ ଧୀରେ ଏହା ବଢିବ ଓ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ। ମଝିରେ ମଝିରେ ୧୩୫ କିଲୋମିଟର ବେଗରେ ପବନ ଆସି ଝଟ୍‌କା ଦେବ। ପୁରୀ, କଟକ, ଖୋର୍ଧା, ଯାଜପୁର ଜିଲ୍ଲାରେ ପବନର ବେଗ ୫୫ରୁ ୬୫ କିଲୋମିଟର ରହିବ। ବେଳେ ବେଳେ ୭୫ କିଲୋମିଟର ବେଗରେ ଆସି ଧକ୍କା ଦେବ।

ପାଣିପାଗ ବିଭାଗ ସୂଚାଇଛି ଯେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଂଜରେ କଚ୍ଚା ଘର ଓ କିଛି ପକ୍କା ଘର ପ୍ରତି ବାତ୍ୟା ବିପଦ ଆଣିପାରେ। ଆଜବେଷ୍ଟସ୍ ଉଡ଼ାଇ ଦେବା ଅସମ୍ଭବ ନୁହେଁ। ଟେଲିଫୋନ୍ ଟାଵାର, ବିଦ୍ୟୁତ ଖୁଣ୍ଟ ଉପୁଡ଼ିପାରେ। ରେଳସେବା ବ୍ୟାହତ ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ପଶ୍ଚିମବଙ୍ଗ ଉପକୂଳରେ ୧୨ଫୁଟରୁ ଅଧିକ ଉଚ୍ଚର ଜୁଆର ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ପାଣିପାଗ ବିଜ୍ଞାନୀ କହିଛନ୍ତି ଯେ, ରିପୋର୍ଟ ଲେଖା ହେବା ବେଳକୁ ବାତ୍ୟା ଦିଗ ପରିବର୍ତନ କରିବା ଆରମ୍ଭ କରିଛି। ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଏବେ ଆଗକୁ ବଢ଼ିବ। ବାଂଲାଦେଶ-ଦୀଘା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ, ଯେତେବେଳେ ପବନର ବେଗ ଥିବ ଘଣ୍ଟାପ୍ରତି ୧୩୫ କିଲୋମିଟର। ଆଜି ତାରିଖ ମଧ୍ୟାହ୍ନରେ ବାତ୍ୟା ଅତି ଭୀଷଣ ରୂପ ଧାରଣ କରିବ ଓ ୧୯ ତାରିଖ ସନ୍ଧ୍ୟା ବେଳକୁ ବିଶାଖପାଟଣା ଦୂରରେ ଥିବା ବେଳେ ପବନର ବେଗ ୨୦୦ କିମି ଉପରେ ରହିଥିବ। ୧୮ ତାରିଖ ସନ୍ଧ୍ୟା ପରେ ଏହା ଅଧିକ ପୂର୍ବ ଆଡ଼କୁ ଢଳି ଗତି କରିବ।

୧୯ ତାରିଖ ବିଶାଖାପାଟଣାରୁ ୨୦ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବା ଭିତରେ ସମୁଦାୟ ଅଞ୍ଚଳକୁ ଅମ୍ଫାନ୍ ୨୪ ଘଣ୍ଟାରେ ଅତିକ୍ରମ କରିବ। ଓଡ଼ିଶା ଦେଇ ସେ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଯିବ। ପାରାଦୀପ ଠାରୁ ୧୨୦ କିଲୋମିଟର ଏବଂ ଚାନ୍ଦିପୁରଠାରୁ ୧୦୦ କିଲୋମିଟର ଦୂର ସମୁଦ୍ରରେ ବାତ୍ୟା ଗତିକରିବ ବୋଲି ଡ. ପଶୁପାଳକ କହିଛନ୍ତି। ୧୯ ତାରିଖରେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ମଧ୍ୟମରୁ ଭାରି ବର୍ଷା ହେବ। ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହେବ। ତେବେ ବାଲେଶ୍ବର ଓ ଭଦ୍ରକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ପାରାଦୀପ ପାଖରେ ପବନର ବେଗ ୮୦ କିଲୋମିଟର, ସ୍ଥଳବିଶେଷରେ ୯୦ କିଲୋମିଟର ବେଗରେ ଝଟ୍‌କା ଦେବ। ଚାନ୍ଦବାଲିରେ ପବନର ବେଗ ୭୦ କିଲୋମିଟର ରହିବ।

ଉଲ୍ଲେଖଯୋଗ୍ୟ, ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ବାତ୍ୟା ଅସ୍ତରଙ୍ଗଠାରୁ ୧୨୩ କିଲୋମିଟର ଦୂର ସମୁଦ୍ରରେ ଗତି କରିବ। ସେହିପରି ଧାମରାଠାରୁ ୭୦, ଚାନ୍ଦିପୁରଠାରୁ ୮୭ କିଲୋମିଟର ଦୂରରେ ଆଗକୁ ବଢିବ। ଏହା ଦୀଘା ଠାରୁ ୪୮ କିଲୋମିଟର ଦୂରରେ ସ୍ଥଳଭାଗକୁ ସ୍ପର୍ଶ କରିପାରେ ବୋଲି କୁହାଯାଉଛି।