ପାର୍ବଣ କଟକଣା : ତେଜିଲା ପ୍ରତିବାଦ, ନିଷ୍ପତ୍ତି ବଦଳାଇବେ କି ସରକାର?

119

କନକ ବ୍ୟୁରୋ : କଟକ ଆଉ ଦୁର୍ଗାପୂଜା, ଏହାର ଇତିହାସ ବହୁତ ପୁରୁଣା । କଟକର ସ୍ୱତନ୍ତ୍ର ପରିଚୟ ହେଉଛି ଦୁର୍ଗାପୂଜା । ସୁଉଚ୍ଚ ମେଢ, ଆଖି ଝଲସିଯିବା ଭଳି ମା’ଙ୍କ ମୃଣ୍ମୟୀ ମୂତ୍ତି କଟକର ଦଶହରାକୁ ନିଆରା କରିଥାଏ । ସେଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ଦଶହରା ବୁଲିବାକୁ କଟକ ଚାଲି ଆସିଥାନ୍ତି ଲୋକେ । କିନ୍ତୁ ଗତବର୍ଷ କରୋନା କଟକଣା ଯୋଗୁଁ ଦୁର୍ଗାପୂଜା କେବଳ ମଣ୍ଡପ ଭିତରେ ହିଁ ସୀମିତ ରହିଥିଲା । ନିର୍ଦ୍ଦିଷ୍ଟ ଉଚ୍ଚତାର ମୂର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଭକ୍ତ ଯେପରି ମଣ୍ଡପ ଭିତରକୁ ନ ଆସିବେ ସେଥିପାଇଁ କଟକଣା ଲଗାଯାଇଥିଲା । କିନ୍ତୁ ଏବେ ସ୍ଥିତି ବଦଳିଛି, କରୋନା ସଂକ୍ରମଣ କମିଛି । ତେବେ ପାର୍ବଣ କଟକଣା କିନ୍ତୁ ପୂର୍ବଭଳି ରହିଛି । ୪ ଫୁଟ ଉଚ୍ଚତାର ମୂର୍ତ୍ତି ଓ ପରଦା ଟାଣି ବିନା ଭକ୍ତରେ ପୂଜା । ଆଉ ସରକାରଙ୍କ ଏଭଳି ପାର୍ବଣ କଟକଣାକୁ ନେଇ କଟକରେ ତେଜିଲାଣି ପ୍ରତିବାଦ । ଏପରିକି ମା’ଙ୍କ ମୂର୍ତ୍ତି ର ଆକୃତିକୁ ପୂର୍ବଭଳି ଅପରିବର୍ତ୍ତିତ ରଖିବାକୁ ଦାବି କରି ବର୍ଷାରେ ଆଣ୍ଠେଇ ପ୍ରତିବାଦ କରିଛନ୍ତି କଟକର ବିଭିନ୍ନ ସାମାଜିକ ସଙ୍ଗଠନ ଓ ପୂଜା କମିଟି ସଦସ୍ୟ ।

ଏହା କେବଳ ପ୍ରତିବାଦରେ ସୀମିତ ହୋଇନାହିଁ ବରଂ ଏଥିରେ ରାଜନୈତିକ ଦଳ ସାମିଲ ହୋଇ ଏହି ପ୍ରତିବାଦକୁ ଆହୁରି ଶାଣିତ କରିଛନ୍ତି । କଟକବାସୀଙ୍କ ଭାବାବେଗ ସହ ଏହି ପ୍ରସଙ୍ଗ ଯୋଡି ହୋଇ ରହିଥିବାରୁ ସମସ୍ତଙ୍କର ସ୍ୱର ମଧ୍ୟ ଏକ ହୋଇଛି । ଏପରିକି ପାର୍ବଣ କଟକଣାକୁ ବିରୋଧ କରି ଆସନ୍ତା ୧୩ ତାରିଖରେ କଟକ ବନ୍ଦ ଡାକରା ଦେଇଛି ବିଜେପି । ତେବେ ଏଠି ପ୍ରଶ୍ନ ଉଠୁଛି,

କରୋନା ସଂକ୍ରମଣ କମୁଥିବା ବେଳେ ପାର୍ବଣ କଟକଣା କାହିଁକି?
ମୂର୍ତ୍ତିର ଉଚ୍ଚତା ବଢିବା ସାଙ୍ଗରେ କରୋନା ସଂକ୍ରମଣର ସମ୍ପର୍କ କଣ?
ଯଦି ରାଜନୈତିକ ସମାବେଶ ପାଇଁ ୧୦୦୦ ଜଣଙ୍କୁ ଅନୁମତି ମିଳିପାରିବ, ତେବେ ପୂଜାରେ କେବଳ ୭ ଜଣଙ୍କୁ ଅନୁମତି କାହିଁକି?
କରୋନା ସଂକ୍ରମଣ କମ ହୋଇଥିବାରୁ ବିବାହ ଉତ୍ସବରେ ୨୫୦ ଜଣଙ୍କୁ ଅନୁମତି ମିଳୁଛି, କିନ୍ତୁ ପୂଜା ବେଳେ ଭକ୍ତଙ୍କୁ କାହିଁକି ଦର୍ଶନ ପାଇଁ ମିଳିବନି ଅନୁମତି?
ଯଦି ଗାଇଡଲାଇନ ଅନୁଯାୟୀ ମଲ, ହଲ ଖୋଲିପାରୁଛି ତେବେ ମଣ୍ଡପରେ କଟକଣା ଭିତରେ କାହିଁକି ପୂଜାରେ ସାମିଲ ହୋଇପାରିବେନି ଭକ୍ତ?
କଟକଣା ଭିତରେ ସାଧାରଣ ଦର୍ଶନର ବ୍ୟବସ୍ଥା କାହିଁକି କଲେନି ପ୍ରଶାସନ ?
ରାଜନୈତିକ ସମାବେଶରେ ସଂକ୍ରମଣ ବ୍ୟାପେ ନାହିଁ କି?
ବିକ୍ଷୋଭ ସମାବେଶରୁ କରୋନା ଦୂରେଇ ରୁହେ କି?
ଯଦି ମନ୍ଦିର ଭିତରକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳୁଛି, ତେବେ ମଣ୍ଡପକୁ କାହିଁକି ନୁହେଁ?

ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠିଲାଣି । ସବୁଠୁ ବଡ କଥା ହେଲା ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ ହୋଇସାରିଲାଣି । ଏଭଳି ସ୍ଥିତିରେ ସରକାର ଓ ପ୍ରଶାସନକୁ ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ପଡିବ । କାରଣ ମୂର୍ତ୍ତି ର ଆକୃତିକୁ ପୂର୍ବଭଳି ଅପରିବର୍ତ୍ତିତ ରଖିବାକୁ ଯେଉଁ ପ୍ରତିବାଦ ଆରମ୍ଭ ହୋଇଛି ତାହା କଟକ ଦେଇ ରାଜଧାନୀକୁ ବ୍ୟାପିଲାଣି । ଆଉ ସବୁଠୁ ବଡ କଥା ହେଲା, ଏଥିରେ ରାଜନୈତିକ ଦଳ ମଧ୍ୟ ସାମିଲ ହେବା ସହ ସରକାରଙ୍କୁ ଟାର୍ଗେଟ କଲେଣି । ଯାହା ଦର୍ଶାଉଛି ଆଗକୁ ଏହି ପ୍ରତିବାଦ ଆହୁରି ତୀବ୍ର ହେବାକୁ ଯାଉଛି । ଯେହେତୁ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ରହିଛି, ତେଣୁ ଏଭଳି ପ୍ରସଙ୍ଗକୁ ଅସ୍ତ୍ର କରି କଟକରେ ଶାସକ ଦଳକୁ ଘେରିପାରନ୍ତି ବିରୋଧୀ ଦଳ । ତେବେ ବିରୋଧୀଙ୍କ ଏଭଳି ଆଭିମୁଖ୍ୟ ଦେଖିବା ପରେ ପ୍ରଶାସନିକସ୍ତରରେ ଆଲୋଚନା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏପରିକି ଶାସକ ଦଳର ଶୀର୍ଷ ନେତୃତ୍ୱ ଏବାବଦରେ ମାନସମନ୍ଥନ ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି । ତେବେ ଅପେକ୍ଷା କେବେ ସରକାର ପାର୍ବଣ କଟକଣାକୁ କୋହଳ କରିବେ, ମଣ୍ଡପରୁ ପରଦା ହଟିବ ଓ ମା’ଙ୍କର ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ ।