ଫାଇଦା ଦେବ କି ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର । ବିଶ୍ୱ ବଜାରରୁ ଟିକା କିଣିବା ପାଇଁ ଆସନ୍ତା ୨୦ରୁ ୨୮ ତାରିଖ ମଧ୍ୟରେ ଟେଣ୍ଡର ପକାଇ ପାରିବେ ଟିକା ନିର୍ମାତା

170

କନକ ବ୍ୟୁରୋ: ରାଜ୍ୟରେ ଟିକା ଅଭାବକୁ ଦୂର କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା କିଣିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୨୦ ତାରିଖରେ ଅନ୍ଲାଇନ ଟେଣ୍ଡର ଆରମ୍ଭ ହେବ । ଆଉ ୨୮ ତାରିଖ ପରେ ଖୋଲାଯିବ ଟେଣ୍ଡର । ଯେଉଁ ଫାର୍ମା କଂପାନୀ ଟେଣ୍ଡର ପାଇବ, ତାକୁ ୪ ମାସ ଭିତରେ ସମସ୍ତ ଟିକା ଦେବାକୁ ପଡ଼ିବ ।

ଟିକା ପାଇଁ ୪ ମାସ ସମୟ
୩୦ ଦିନରେ ଦେବାକୁ ହେବ ୭୫ ଲକ୍ଷ ଟିକା
୬୦ ଦିନରେ ୨ କୋଟି ୨୫ ଲକ୍ଷ
୯୦ ଦିନରେ ୩ କୋଟି ୭୫ ଲକ୍ଷ
୧୨୦ ଦିନ ଭିତରେ ୩ କୋଟି ୮୦ ଲକ୍ଷ ଟିକା ଯୋଗାଇବ

ନଜର ପକାଇବା, ଗ୍ଲୋବାଲ ଟେଣ୍ଡରରେ କ’ଣ ରହିଛି ସର୍ତ୍ତ ।
ଟେଣ୍ଡରରେ ଭାଗ ନେଉଥିବା ଟିକା କଂପାନୀକୁ ଅନୁମତି ଦେଇଥିବ ଡିସିଜିଆଇ
ଟେଣ୍ଡର ଅବଧି ୬ ମାସ ରଖିଛି ଓଡ଼ିଶା ଔଷଧ ନିଗମ
ଧାର୍ଯ୍ୟ ଡୋଜ୍ର ଆଗୁଆ ୩୦ ପ୍ରତିଶତ ଟଙ୍କା ଦିଆଯିବ
ଟିକା ପାଇବାର ୨ ଦିନ ଭିତରେ ଶତ ପ୍ରତିଶତ ଟଙ୍କା ପଇଠ କରାଯିବ
ସବୁଠୁ କମ୍ ଟେଣ୍ଡର ଡାକିଥିବା ସଂସ୍ଥାକୁ ଦିଆଯିବ ୫୦ ପ୍ରତିଶତ ଅର୍ଡର

ଯେଉଁ ଟିକା ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ଭିତରେ ସଂରକ୍ଷିତ ରହିପାରୁଥିବ, ସେହି ଟିକା ନିର୍ମାତାମାନେ ଟେଣ୍ଡରରେ ଭାଗ ନେଇପାରିବେ । ଦେଖିବା, ବର୍ତମାନ ବିଶ୍ୱରେ ଉପଲବ୍ଧ ହେଉଥିବା କେଉଁ ଟିକା, କେତେ ଡିଗ୍ରୀ ତାପମାତ୍ରା ରେ ରହିପାରିବ ।

-ଫାଇଜର ଟିକା : ମାଇନସ୍ ୮୦ ଡିଗ୍ରୀରୁ ମାଇନସ୍ ୬୦ ଡିଗ୍ରୀ ମଧ୍ୟରେ ୬ ମାସ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ଏବଂ ୨ ଡିଗ୍ରୀରୁ ୮ ଡିଗ୍ରୀ ମଧ୍ୟରେ ୫ ଦିନ ପର୍ଯ୍ୟନ୍ତ ରହିପାରିବ

-ମଡର୍ନା : ମାଇନସ୍ ୨୫ରୁ ମାଇନସ୍ ୧୫ ଡିଗ୍ରୀ ମଧ୍ୟରେ ୬ ମାସ ପର୍ଯ୍ୟନ୍ତ ରହିବ ଏବଂ ୨ ଡିଗ୍ରୀରୁ ୮ ଡିଗ୍ରୀ ମଧ୍ୟରେ ୩୦ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ

-କୋଭାସିଲ୍ଡ : ୨ ଡିଗ୍ରୀରୁ ୮ ଡିଗ୍ରୀ ମଧ୍ୟରେ ୬ ମାସ ପର୍ଯ୍ୟନ୍ତ ସୁରକ୍ଷିତ ରହିବ

-ସ୍ପୁଟନିକ୍ ଭି : ତରଳ ଆକାରରେ ମାଇନସ୍ ୧୮.୫ ଡିଗ୍ରୀ ଏବଂ ପାଉଡର ଆକାରରେ ୨ ଡିଗ୍ରୀରୁ ୮ ଡିଗ୍ରୀ
-ଜନସନ୍ ପାଇଁ ଜନସନ୍ : ୨ ଡିଗ୍ରୀରୁ ୮ ଡିଗ୍ରୀ ମଧ୍ୟରେ ୩ ମାସ ପର୍ଯ୍ୟନ୍ତ ରହିପାରିବ

-କୋଭାକ୍ସିନ : ୨ ଡିଗ୍ରୀରୁ ୮ ଡିଗ୍ରୀ ତାପମାତ୍ରା

-ନୋଭାଭାକ୍ସ : ୨ ଡିଗ୍ରୀରୁ ୮ ଡିଗ୍ରୀ ତାପମାତ୍ରା ମଧ୍ୟରେ ସୁରକ୍ଷିତ ରହିବ

ତେବେ ଏହିସବୁ ଟିକା ମଧ୍ୟରୁ ଭାରତ କେବଳ କୋଭାସିଲ୍ଡ, କୋଭାକ୍ସିନ୍ ଓ ସ୍ପୁଟନିକ୍ ଭି କୁ ଅନୁମତି ଦେଇଛି । ତେବେ ଆଉ କିଛି ଟିକାକୁ ଖୁବ ଶୀଘ୍ର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇପାରେ ଡିସିଜିଆଇ ।