ଗମାଙ୍ଗ ଛାଡିବେ ବିଜେପି? କେସିଆରଙ୍କ ସହ ଭେଟଘାଟ

365

କନକ ବ୍ୟୁରୋ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ଏହାପରେ ରାଜ୍ୟର ଏହି ଆଦିବାସୀ ନେତା ଭାରତୀୟ ଜନତା ପାର୍ଟି ଛାଡି ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତ ରାଷ୍ଟ୍ର ସମିତି ବା ବିଆରଏସ ହେଉଛି ତେଲେଙ୍ଗାନାର ଶାସକ ଦଳ । ନିକଟରେ ତେଲେଙ୍ଗାନା ରାଷ୍ଟ୍ର ସମିତି ବା ଟିଆରଏସର ନାମ ପରିବର୍ତନ ହୋଇ ବିଆରଏସ ହୋଇଛି । ବିଆରଏସ ଏବେ ସମସ୍ତ ରାଜ୍ୟରେ ଦଳର ପଦ ଚିହ୍ନ ରଖିବାକୁ ଚାହୁଁଛି । ଏମିତିିକି ସାଧାରଣ ନିର୍ବାଚନ ବେଳେ ଦେଶର ବିଭିନ୍ନ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବାକୁ ଯୋଜନା କରିଛି । ଏହି ସମୟରେ ଗମାଙ୍ଗ ବାପ-ପୁଅ ଦଳ ଛାଡିବା ନେଇ ଚର୍ଚ୍ଚା ବଢାଇଛି ।

ଭେଟଘାଟ ବେଳେ ବିଆରଏସ ଦଳର ଆଭିମୁଖ୍ୟ ଓ ଆଦର୍ଶ ବାବଦରେ ଗିରିଧାରୀ ଗମାଙ୍ଗ ଏବଂ ଶିଶିର ଗମାଙ୍ଗଙ୍କୁ କେସିଆର ବୁଝାଇଛନ୍ତି । କନକ ନ୍ୟୁଜକୁ ଶିଶିର ଗମାଙ୍ଗ କହିଛନ୍ତି, ବିଆରଏସରେ ସାମିଲ ହେବାକୁ ତାଙ୍କୁ ଅଫର ଦିଆଯାଇଛି । ଓଡିଶାର ନେତୃତ୍ୱ ନେବାକୁ କୁହାଯାଇଛି । ସେମାନେ କିନ୍ତୁ ଏଯାବତ କୌଣସି ନିଷ୍ପତି ନେଇ ନାହାନ୍ତି । ଗିରଧାରୀ ଗମାଙ୍ଗ ଓଡିଶା ରାଜନୀତିର ଚର୍ଚ୍ଚିତ ଆଦିବାସୀ ନେତା । କିଛି ମାସ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ଦକ୍ଷିଣ ଓଡିଶାରେ ତେଲୁଗୁ ଭୋଟରଙ୍କ ଗୋଟିଏ ପ୍ରଭାବ ରହିଛି । ତେଣୁ କେସିଆର ଏହି ଭୋଟ୍ ବ୍ୟାଙ୍କ ଜରିଆରେ ଓଡିଶା ରାଜନୀତିରେ ଏଂଟ୍ରି ମାରିବାକୁ ଯୋଜନା କରୁଥିବା କୁହାଯାଉଛି ।

ଗିରିଧାରୀ ଗମାଙ୍ଗ ଦୀର୍ଘ ଦିନ ଧରି କଂଗ୍ରେସରେ ଥିଲେ । ୨୦୧୪ରେ ଦେଶରେ ମୋଦୀ ଲହର ଆସିବା ପରେ ହାତ ପାର୍ଟି ଛାଡି ପଦ୍ମ ପୋଖରୀରେ ବୁଡ ପକାଇଥିଲେ ଏହି ନେତା । ଏବେ କିନ୍ତୁ ଦଳରେ ଗୁରୁତ୍ୱ ନମିଳିବାରୁ ବିଆରଏସ ଯିବାକୁ ବାପ-ପୁଅ ଇଚ୍ଛା ରଖିଥିବା କୁହାଯାଉଛି ।