କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ବାଚନୀ ଇସ୍ତାହାର ଜରିଆରେ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ସବୁ ବର୍ଗ ଓ ସବୁ କ୍ଷେତ୍ରକୁ ଏହି ଘୋଷଣାପତ୍ରରେ ଫୋକସରେ ରଖାଯାଇଛି । କିନ୍ତୁ ୨୦୨୪ ନିର୍ବାଚନୀ ବୈତରଣୀ ପାର ହେବାକୁ ଓଡ଼ିଶାର ୯୦% ଲୋକଙ୍କୁ ପ୍ରଭାବିତ କରିବା ଭଳି ନବୀନଙ୍କର ଏକ ଘୋଷଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ନବୀନଙ୍କ ଏହି ଘୋଷଣାପତ୍ରରେ ରହିଛି ମାଗଣା ବିଜୁଳିର ପ୍ରତିଶ୍ରୁତି । ଯାହା ବିଜେଡି ପାଇଁ ୨୦୨୪ରେ ବ୍ରହ୍ମାସ୍ତ୍ର ପାଲଟିବାକୁ ଯାଉଛି । ୨ ଟଙ୍କିଆ ଚାଉଳ ଓ ବିଏସକେୱାଇ ଭଳି ମାଗଣା ବିଜୁଳି ଘୋଷଣା ୨୦୨୪ରେ ବିଜେଡିର ବିଜୟ ପାଇଁ ପଥ ପରିଷ୍କାର କରିବ ବୋଲି ଦଳୀୟ ନେତା ଦମ୍ଭୋକ୍ତି ଦେଖାଇଛନ୍ତି ।
ଏହାପୂର୍ବରୁ ୨୦୦୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଟଙ୍କିଆ ଚାଉଳ ଯୋଜନାର ଆରମ୍ଭ କରିଥିଲେ । ଯାହା ୨୦୦୯ ନିର୍ବାଚନରେ ବିଜେଡି ପାଇଁ ଆଶୀର୍ବାଦ ପାଲଟିଥିଲା । ଏହି ଯୋଜନା ଜରିଆରେ ଓଡ଼ିଶାର ଅନେକ ଗରିବ ପରିବାର ଉପକୃତ ହୋଇଥିଲେ । ଯାହାର ସିଧାସଳଖ ପ୍ରଭାବ ୨୦୦୯ ନିର୍ବାଚନରେ ଦେଖିବାକୁ ମିଳିଥିଲା । ବିଜେପି ସହ ମେଣ୍ଟ ଭାଙ୍ଗି ଏକାକୀ ଲଢି ବହୁମତ ହାସଲ କରିବାରେ ସଫଳ ହୋଇଥିଲା ବିଜେଡି । ୨ ଟଙ୍କିଆ ଚାଉଳ ଜରିଆରେ ଓଡ଼ିଶାର ଗରିବ ପରିବାରର ବିଶ୍ୱାସ ଜିଣିଥିଲେ ବିଜେଡି ସୁପ୍ରିମୋ । ପରବର୍ତ୍ତୀ ସମୟରେ ନିର୍ବାଚନ ପୂର୍ବରୁ ଜନାଭିମୁଖୀ ଯୋଜନା ଆଣି ବିଜେଡି ପାଇଁ ଚତୁର୍ଥ ଓ ପଞ୍ଚମ ପାଳି ପାଇଁ ମାର୍ଗ ପ୍ରଶସ୍ତ କରିଥିଲେ ନବୀନ । ୨୦୧୮ରେ ବିଏସକେୱାଇ ଭଳି ଜନକଲ୍ୟାଣକାରୀ ଯୋଜନାକୁ ଲୋକେ ବେଶ ପସନ୍ଦ କରିଥିଲେ । ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦେଇ ନବୀନ ମାଷ୍ଟରଷ୍ଟ୍ରୋକ ଖେଳିଥିଲେ । ସେତେବେଳେ ମାତ୍ର ୯୬ ଲକ୍ଷ ପରିବାର ଏହି ବିଏସକେୱାଇ ଯୋଜନା ଜରିଆରେ ଉପକୃତ ହେଉଥିଲେ । କିନ୍ତୁ ୨୦୨୪ ଘୋଷଣାପତ୍ରରେ ବିଏସକେୱାଇ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ମଧ୍ୟବିତ୍ତ ପରିବାର, ସରକାରୀ କର୍ମଚାରୀଙ୍କ ସମେତ ଚୁକ୍ତିଭିତ୍ତିକ କର୍ମଚାରୀ, ତୃଣମୂଳସ୍ତରରେ କାମ କରୁଥିବା କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ସାମିଲ କରାଯିବ ।
ଅନ୍ୟପଟେ ଚଳିତ ଘୋଷଣାପତ୍ରରେ ମାଗଣା ବିଜୁଳି ଦେବାକୁ ଘୋଷଣା କରି ନବୀନ ପୁଣିଥରେ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ୧୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ମାଗଣା ବିଜୁଳି ଏବଂ ୧୦୦ରୁ ୧୫୦ ୟୁନିଟ୍ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ୫୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣା ଦେବାକୁ ଘୋଷଣା କରିଛନ୍ତି ନବୀନ ।ଏହି ଘୋଷଣା ଦ୍ୱାରା ଓଡ଼ିଶାର ୮୫ରୁ ୯୦% ପରିବାରକୁ ପ୍ରଭାବିତ କରିବାରେ ସଫଳ ହୋଇପାରନ୍ତି ନବୀନ । ଚାଷୀଙ୍କ ପାଇଁ ମଧ୍ୟ ମାଗଣା ବିଜୁଳି ଉପଲବ୍ଧ କରିବାକୁ ନବୀନଙ୍କ ଘୋଷଣା ବିଜେଡି ପାଇଁ ଗେମଚେଞ୍ଜର ସାବ୍ୟସ୍ତ ହୋଇପାରେ । ଚଳିତ ଘୋଷଣାପତ୍ରରେ ବିଜେଡି ଯୁବବର୍ଗଙ୍କୁ ଅଧିକ ଫୋକସ କରିଛି । ଯୁବବର୍ଗଙ୍କ ଶିକ୍ଷା ଠାରୁ ଆରମ୍ଭ କରି ଉଦ୍ୟୋଗୀ ହେବାକୁ ଆର୍ଥିକ ସହାୟତାର ଘୋଷଣା ବିଜେଡିର ଭୋଟ ପ୍ରତିଶତକୁ ଆହୁରି ବୃଦ୍ଧି କରିପାରେ । ଯାହା ବିଜେଡି ଓ ନବୀନଙ୍କୁ ଷଷ୍ଠ ଥର ପାଇଁ ଓଡ଼ିଶାର ଶାସନ କ୍ଷମତା ଡୋରୀ ଦେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/Masterstroke.jpg)