କନକ ବ୍ୟୁରୋ : ଚର୍ଚ୍ଚାରେ କୋରାପୁଟ ରାଜନୀତି । ପୂର୍ବତନ ମୁଖ୍ୟମନ୍ତ୍ରୀ, ଗିରିଧାରୀ ଗମାଙ୍ଗ ପରେ ଭାରତୀୟ ରାଷ୍ଟ୍ରୀୟ ସମିତି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ଜୟରାମ ପାଙ୍ଗି । ଦୁଇ ଦିନ ତଳେ କେ.ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ । ଆଉ ଏବେ କେସିଆର୍ଙ୍କୁ ଭେଟିଛନ୍ତି ଜୟରାମ ପାଙ୍ଗି । ୩ ଦିନ ହେଲା ହାଇଦ୍ରାବାଦରେ ଅଛନ୍ତି ପାଙ୍ଗି ।
କେସିଆରଙ୍କୁ ଭେଟିବା ପରେ ପ୍ରତିକ୍ରିୟାରେ ପାଙ୍ଗୀ କହିଛନ୍ତି ଯେ, ହାଇଦ୍ରାବାଦରୁ ତାଙ୍କୁ ସାକ୍ଷତ କରିବା ପାଇଁ ନିମନ୍ତ୍ରଣ ଆସିଥିଲା । ଏହି ଦେଖାସାକ୍ଷତ ପରେ କେସିଆରଙ୍କ ଦଳରେ ସାମିଲ ହେବେ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତି କି ଏହି ପ୍ରଶ୍ନର ଉତ୍ତରରେ, ସମୟ ଆସିଲେ ଜଣାପଡ଼ିବ ବୋଲି ପାଙ୍ଗୀ କହିଥିବା ସୂଚନା ମିଳିଛି । ଏହା ପୂର୍ବରୁ ଭାରତୀୟ ରାଷ୍ଟ୍ରୀୟ ସମିତିରେ ଯୋଗ ଦେବାକୁ ଅଫର ଥିବା କହିଥିଲେ ଶିଶିର ଗମାଙ୍ଗ ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦୀର୍ଘବର୍ଷର ସଂପର୍କ ତୁଟାଇ ବିଜେପିରେ ସାମିଲ୍ ହୋଇଥିଲେ ଟାଣୁଆ ଆଦିବାସୀ ନେତା ଜୟରାମ ପାଙ୍ଗି। ପଟାଙ୍ଗୀ ନିର୍ବାଚନମଣ୍ଡଳୀରୁ ୪ଥର ବିଧାୟକ ନିର୍ବାଚିତ ହୋଇଥିବା ପାଙ୍ଗି ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ପଦ ସମ୍ଭାଳିଥିଲେ । ୨୦୦୯ ସାଧାରଣ ନିର୍ବାଚନରେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ବିଜେଡି ଟିକେଟ୍ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ୨୦୧୪ରେ ନିର୍ବାଚନରେ ଟିକେଟରୁ ବଞ୍ଚିତ ହୋଇ ୨୦୧୭ ମେ ୯ତାରିଖରେ ବିଜେପିରେ ଯୋଗ ଦେଇଥିଲେ । ଯାହା ବିଜେଡିକୁ ଝଟ୍କା ଦେଇଥିଲା। ୨୦୧୯ରେ ଶ୍ରୀ ପାଙ୍ଗି ବିଜେପି ଟିକେଟରେ କୋରାପୁଟ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ହାରିଥିଲେ ।
କିନ୍ତୁ, ଦଳର ଭୋଟ ହାରକୁ ଅଢ଼େଇ ଗୁଣ ବୃଦ୍ଧି କରିବାରେ ସହାୟକ ହୋଇଥିଲେ। ଯାହା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକ୍କାଙ୍କ ପରାଜୟର ମୁଖ୍ୟ କାରଣ ଥିଲା। ମାତ୍ର, ବିଜେପିରେ ନିଜ ସ୍ଥିତି ମଜଭୁତ୍ କରିବାରେ ସେ ବିଫଳ ହେବାପରେ ୨୦୨୨ ଏପ୍ରିଲ୍ ୨ ତାରିଖରେ ଦଳ ଛାଡ଼ିଥିଲେ। ଶ୍ରୀ ପାଙ୍ଗିଙ୍କ ନେତୃତ୍ବରେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ୨୦୧୯ ନିର୍ବାଚନ ଲଢ଼ିଥିବା ଅନେକ ନେତା, କର୍ମୀ ଏବେ ଦଳ ଛାଡ଼ି ସାରିଲେଣି। ଲକ୍ଷ୍ମୀପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା କୁମୁଦ ସାଉଁନ୍ତା ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିକୁ ଫେରି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ।
ଗୁଣପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଶିଶିର ଗମାଙ୍ଗ ନିକଟରେ ଭାରତୀୟ ରାଷ୍ଟ୍ର ସମିତି ପ୍ରତିଷ୍ଠାତା ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିବା ପରେ ବିଜେପି ଛାଡ଼ିବା ତାଲିକା ଆଉ ଟିକେ ଲମ୍ବା ହୋଇଛି। ଶିଶିରଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ ଓଡ଼ିଶାରେ ବିଆରଏସ୍ ମଙ୍ଗ ଧରିବାକୁ ଯାଉଥିବା ଚର୍ଚ୍ଚା ହେଉଥିବା ବେଳେ, ଏହା ଯଦି ସତ୍ୟ ହୁଏ ତା’ହେଲେ କୋରାପୁଟ ସଂସଦୀୟ କ୍ଷେତ୍ରରେ ବିଜେପିକୁ ନେତୃତ୍ବ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିବ ।
୨୦୧୪ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ଶିବ ଶଙ୍କର ଉଲାକା ୨୦୧୯ ନିର୍ବାଚନରେ ବିଷମକଟକ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଶ୍ରୀ ଉଲାକା ପରାଜିତ ହେବାପରେ ୨୦୨୪ ନିର୍ବାଚନକୁ ଲକ୍ଷ୍ୟରେ ରଖି ସଙ୍ଗଠନକୁ ସୁଦୃଢ଼ କରିବାରେ ଲାଗିଛନ୍ତି । ଏପରି ସ୍ଥିତିରେ ଦଳ ପୁଣି ଜଣେ ନୂଆ ମୁହଁକୁ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରି ନିର୍ବାଚନକୁ ଓହ୍ଲାଇବ ନା ଆଉ କେଉଁ ରଣନୀତି ଆପଣାଇବ ତାକୁ ନେଇ କୋରାପୁଟ ରାଜନୀତି ଉଷ୍ମ ହୋଇଛି ।
Follow Us