ଫ୍ଲୋର ଟେଷ୍ଟରେ ଫେଲ୍ ମାରିବେନି ତ ଫଡନବୀଶ ? ସକାଳେ ଶପଥଗ୍ରହଣ ଉତ୍ସବରେ ସାମିଲ ଥିବା ବିଧାୟକ ସନ୍ଧ୍ୟାରେ ପୁଣିଥରେ ଫେରିଲେ ଏନସିପି ଶିବିରକୁ ।

1,012

କନକ ବ୍ୟୁରୋ : ଦେବେନ୍ଦ୍ର ଫଡ଼ନବୀଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ବିଜେପି ସାମ୍ନାରେ ବଡ଼ ଚ୍ୟାଲେଂଜ ହେଉଛି ବହୁମତ ସାବ୍ୟସ୍ତ କରିବା । ଆସନ୍ତା ୩୦ ତାରିଖ ଭିତରେ ବିଧାନସଭାରେ ବହୁମତର ପ୍ରମାଣ ଦେବେ ଦେବେନ୍ଦ୍ର ଫଡ଼ନବିସ୍ । ଆଉ ଏପଟେ ଉଭୟ ଉଦ୍ଧବ ଠାକରେ ଏବଂ ଶରଦ ପାୱାର ଦାବି କରିଛନ୍ତି ଯେ, ସେମାନେ ଏବେବି ଏକାଠି ଅଛନ୍ତି । ବହୁମତର ପରୀକ୍ଷାରେ ବିଜେପି ଫେଲ୍ ମାରିବ ବୋଲି କହିଛନ୍ତି ଶିବସେନା ଓ ବିଜେପି ।

ଏନସିପିର ୫୪ ବିଧାୟକ ଏବଂ ୧୪ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ଥିବା ଦେଖାଇ ଶପଥ ସିନା ନେଇ ଗଲେ ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ । ହେଲେ ଏବେ ପ୍ରଶ୍ନ ହେଉଛି-ସତରେ କ’ଣ ବିଜେପି ପାଖରେ ରହିଛି ବହୁମତ ପାଇଁ ଆବଶ୍ୟକ ଥିବା ୧୪୫ ବିଧାୟକଙ୍କ ସମର୍ଥନ । ଏଭଳି ଚର୍ଚ୍ଚା ଚାଲିଥିବା ବେଳେ ଏନସିପି-କଂଗ୍ରେସ-ଶିବସେନା ପକ୍ଷରୁ ବିଜେପିକୁ ଜୋରଦାର ବିରୋଧ କରାଯାଇଛି । ଏପରିକି ସକାଳେ ରାଜଭବନରେ ଦେବେନ୍ଦ୍ରଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ଥିବା ବିଧାୟକଙ୍କୁ ସନ୍ଧ୍ୟାରେ ଏନସିପି ଶିବିରରେ ଦେଖିବାକୁ ମିଳିଛି । ଏପରିକି ସକାଳେ ରାଜଭବନରେ ଦେବେନ୍ଦ୍ରଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ଥିବା ବିଧାୟକଙ୍କୁ ସନ୍ଧ୍ୟାରେ ଏନସିପି ଶିବିରରେ ଦେଖିବାକୁ ମିଳିଛି । ଯାହା ବିଜେପିକୁ ପୁଣିଥରେ ବ୍ୟାକଫୁଟକୁ ଠେଲି ଦେଇଛି ।

ଅଜିତ ପାୱାର ନେଇଥିବା ନିଷ୍ପତିକୁ ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତି, ଦଳୀୟ ନିଷ୍ପତି ସହ ଏହାର କୌଣସି ସଂପର୍କ ନାହିଁ ବୋଲି ଶରଦ ପାୱାର କହିଛନ୍ତି । ସେହିପରି ଶିବସେନା ମୁଖ୍ୟ ବିଜେପିକୁ କଟାକ୍ଷ କରି କହିଛନ୍ତି-ବିଜେପି ଭାଙ୍ଗିବାର କାମ କରେ କିନ୍ତୁ ଶିବସେନା ଯୋଡ଼ିବାରେ ବିଶ୍ୱାସ କରେ । ଆଉ ଏସବୁ ଭିତରେ ଦେବେନ୍ଦ୍ର ଫଡନବିସ୍ ଶପଥ ନେବା ପରେ କହିଛନ୍ତି- ମୋଦି ହୈ ତୋ ମୁକ୍ନିନ୍ ହୈ ।

ନଜର ପକାନ୍ତୁ ମହାରାଷ୍ଟ୍ର ରାଜନୀତିର ସଂଖ୍ୟା ଗଣିତ ଉପରେ ।

– ବିଜେପି ୧୦୫, ଶିବସେନା ୫୬, ଏନ୍ସିପି ୫୪, କଂଗ୍ରେସ ୪୪ ଆସନ ପାଇଥିଲା । ଅବଶିଷ୍ଟ ୨୯ଟି ଆସନ ଅନ୍ୟାନ୍ୟ ଦଳ ପାଖକୁ ଯାଇଥିଲା । ଆଉ ସରକାର ଗଠନ ବା ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୧୪୫ ।

-ତେବେ ବିଜେପିକୁ ସରକାର ଗଠନ ପାଇଁ ଆବଶ୍ୟକ ଆହୁରି ୪୦ ବିଧାୟକଙ୍କ ସମର୍ଥନ

-ନିର୍ଦ୍ଦଳୀୟ ଏବଂ ବିଦ୍ରୋହୀ ଏନସିପି ବିଧାୟକଙ୍କୁ ମିଶାଇ ଯଦି ୪୦ ବିଧାୟକ ସମର୍ଥନ ପାଇବ ତେବେ ବିଜେପିକୁ ବହୁମତ ସବ୍ୟସ୍ତ କରିବାରେ ଅସୁବିଧା ହେବ ନାହିଁ

-ଏପଟେ ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବରେ ସରକାର ଗଠନ କରିବାର ସମର୍ଥ । ହେଲେ ଦେଖିବାର କଥା ଏନସିପିିର କେତେ ବିଧାୟକ ପ୍ରକୃତରେ ବିଜେପି ସମର୍ଥନରେ ଭୋଟ୍ ଦେଉଛନ୍ତି ।

ଆଉ ଏସବୁ ଭିତରେ କଂଗ୍ରେସକୁ ମିଶାଇ, ଶିବସେନା ଓ ଏନସିପି ପାଖରେ ୧୭୦ ବିଧାୟଙ୍କ ସମର୍ଥନ ଥିବା ଦାବି କରୁଥିବା ବେଳେ ଏପଟେ ବିଜେପି କହୁଛି ତାଙ୍କ ପାଖରେ ରହିଛି ୧୭୨ ବିଧାୟକଙ୍କ ସମର୍ଥନ । ତେବେ କାହା ପାଖରେ କେତେ ବିଧାୟକଙ୍କ ସମର୍ଥନ ଅଛି, ତାହା ସ୍ପଷ୍ଟ ହୋଇଯିବ, ଯେତେବେଳେ ଗୃହରେ ବହୁମତର ପରୀକ୍ଷା ହେବ ।