ରାଜ୍ୟରେ ବଢିପାରେ ବିଜୁଳି ଦର! ୟୁନିଟ ପିଛା ୭ ପଇସା ବଢ଼ାଇବା ପାଇଁ ଯୁକ୍ତି ବାଢ଼ିଲା ଓଏଚପିସି, ମାର୍ଚ୍ଚ ମାସରେ ଆସିବ ଫଇସଲା

178

କନକ ବ୍ୟୁରୋ : ଦିଲ୍ଲୀର କେଜ୍ରିୱାଲ ସରକାର ଶସ୍ତାରେ ବିଜୁଳି ଦେଇ ସାରାଦେଶରେ ଚର୍ଚ୍ଚାରେ ଥିବା ବେଳେ ଓଡିଶାରେ ବିଜୁଳି ଦର ବଢେଇବା ନେଇ ପ୍ରକ୍ରିୟା୍ ଆରମ୍ଭ ହୋଇଛି ।ବିଜୁଳି ଦର ୮୮ ପଇସାରୁ ୯୫ ପଇସା କରିବା ପାଇଁ ଆଜି ପ୍ରସ୍ତାବ ଦେଇଛି ଓଏଚପିସି  । ଅର୍ଥାତ ୭ ପଇସା ବୃଦ୍ଧି ପାଇବ । ଆଉ ଯଦି ଏହି ପ୍ରସ୍ତାବକୁ ଓଇଆରସି ଗ୍ରହଣ କରେ ଆସନ୍ତା ଆର୍ଥିକ ବର୍ଷରୁ ବଢିବ ବିଜୁଳି ଦର । ଗୋଟିଏ ପଟେ ବକେୟା ପଡିଥିବା ବିଜୁଳି ବିଲ ଆଦାୟ ପାଇଁ ସାରାରାଜ୍ୟରେ ଧରପଗଡ ଚାଲିଥିବା ବେଳେ ଏବେ ବିଜୁଳି ଦର ବୃଦ୍ଧି ନେଇ ପ୍ରସ୍ତାବ ଆସିବା ଖାଉଟିଙ୍କ ଚିନ୍ତା ବଢାଇଦେଇଛି ।

୨୦୨୦-୨୧ ଆର୍ଥିକ ବର୍ଷରେ ବଢ଼ିବ କି ନାହିଁ, ଶୁଣାଣି ଆରମ୍ଭ କରିଛି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ । ପ୍ରଥମ ଦିନରେ ଦରବୃଦ୍ଧି ସପକ୍ଷରେ ନିଜ ଯୁକ୍ତି ରଖିଛି ଓଡ଼ିଶା ଜଳ ବିଦ୍ୟୁତ ନିଗମ । ଓଏଚପିସିର ଯୁକ୍ତି ହେଉଛି,

ବିଦ୍ୟୁତ ଉତ୍ପାଦନ, ପରିଚାଳନା ଓ ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧି ହୋଇଛି

ଗତ ୨ ବର୍ଷ ହେଲା ବଢ଼ିନାହିଁ ବିଦ୍ୟୁତ ଦର୍

୨୦୨୦-୨୧ରେ ୫୬୦୨ ମିଲିୟନ ୟୁନିଟ ବିକ୍ରି ଲକ୍ଷ୍ୟ ରହିଛି

ସେଥିପାଇଁ ୫୩୬.୭୩ କୋଟି ଟଙ୍କା ଖର୍ଚ୍ଚ ଆକଳନ

ତେଣୁ ୟୁନିଟ ପିଛା ହାରାହାରି ୯୫.୮୦ ପଇସା ଆବଶ୍ୟକ

ଏବେ ୟୁନିଟ ପିଛା ୮୮ ପଇସାରେ ବିଦ୍ୟୁତ ବିକ୍ରି କରୁଥିବା ବେଳେ ଏହାକୁ ୭ ପଇସା ବୃଦ୍ଧି କରିବାକୁ ଦାବି କରିଛି ଓଡ଼ିଶା ଜଳ ବିଦ୍ୟୁତ ନିଗମ । ବିଦ୍ୟୁତ ଦର ବୃଦ୍ଧି ନୁହେଁ, ହ୍ରାସ ହେବା ଜରୁରୀ ବୋଲି ଯୁକ୍ତି ବାଢ଼ିଛି ବିଦ୍ୟୁତ ଉପଭୋକ୍ତା ସଂଘ । ଉପଭୋକ୍ତା ସଂଘର ଯୁକ୍ତି ହେଉଛି

– ଚଳିତ ବର୍ଷ ସରକାରଙ୍କୁ ୩୧ କୋଟି ଟଙ୍କା ଲାଭାଂଶ ଦେଇଛି ଓଏଚପିସି

– ଓଡ଼ିଶା ଜଳ ବିଦ୍ୟୁତ ନିଗମ ପାଖରେ ରହିଛି ୬୬୨ କୋଟି ଟଙ୍କାର ବ୍ୟାଙ୍କ ଜମା

– ବିନା ଲାଭରେ ସୁଲଭ ବିଜୁଳି ଯୋଗାଇବା ପାଇଁ ଗଠନ ହୋଇଥିଲା ଓଏଚ୍ପିସି

– ତେଣୁ ୟୁନିଟ ପିଛା ୮୮ ପଇସା ବଦଳରେ ୮୦ ପଇସାକୁ ହ୍ରାସ କରାଯାଉ

୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଦେୟମୁକ୍ତ କରିଛନ୍ତି ଦିଲ୍ଲୀ ସରକାର । ଓଡ଼ିଶାରେ କାହିଁକି ଉପଭୋକ୍ତାଙ୍କୁ ସୁଲଭ ବିଜୁଳି ଯୋଗାଇ ଦିଆଯିବନାହିଁ ବୋଲି ମତ ପ୍ରକାଶ ପାଇଛି । ବିଦ୍ୟୁତ ବୋର୍ଡର ପୂର୍ବତନ ମୁଖ୍ୟଯନ୍ତ୍ରୀ ମଧ୍ୟ ଦରବୃଦ୍ଧିକୁ ବିରୋଧ କରିଛନ୍ତି ।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଦରବୃଦ୍ଧି ନେଇ ଶୁଣାଣି ହେବ । ସେହିପରି ବାଲେଶ୍ୱରରେ ନେସ୍କୋ, ସମ୍ବଲପୁରରେ ୱେସକୋ, ଓ କୋରାପୁଟରେ ସାଉଥକୋର ଶୁଣାଣି ହେବ । ୨୬ ତାରିଖରେ ରାଜ୍ୟ ଉପଦେଷ୍ଟା କମିଟି ବୈଠକରେ ସମସ୍ତ ଆବେଦନ ଉପରେ ଆଲୋଚନା ହେବ ଏବଂ  ମାର୍ଚ୍ଚ ମାସ ଶେଷ ଆଡକୁ ଏ ନେଇ ରାୟ ଶୁଣାଇବେ ଓଇଆରସି ।