କନକ ବ୍ୟୁରୋ : ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ପୂର୍ବରୁ ‘ଟ୍ରିପଲ ଟେଷ୍ଟ’ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ପାଳନ କରାଯିବ। ଯଦି କୌଣସି ଅଞ୍ଚଳରେ ଏହା ପାଳନ ହୋଇନଥାଏ, ତେବେ ସେ ଅଞ୍ଚଳରେ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ ଆସନ ଅଣସଂରକ୍ଷିତ ଭାବେ ବିବେଚନା ହେବ। ରାଜ୍ୟ ନିର୍ବାଚନ କମିସନ ଏହା ଅନୁପାଳନ ହେଉଛି ନା ନାହିଁ;ତାହା ନିଶ୍ଚିତ କରିବେ। ମଧ୍ୟପ୍ରଦେଶ ମାମଲାରେ ସୁପ୍ରିମକୋର୍ଟଙ୍କ ଏଭଳି ସ୍ପଷ୍ଟ ନିର୍ଦେଶ ସଂକ୍ରାନ୍ତ ନକଲ ପ୍ରଦାନ କରି ଆଜି ରାଜ୍ୟ ନିର୍ବାଚନ କମିସନର ଆସନ୍ତା ପୌର ନିର୍ବାଚନ ସଂକ୍ରାନ୍ତରେ ସରକାରଙ୍କ ଠାରୁ ଓବିସି ସଂରକ୍ଷଣ ନେଇ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟ ନିର୍ବାଚନ କମିସନର ମଧ୍ୟ ପଞ୍ଚାୟତ ନିର୍ବାଚନ ସଂକ୍ରାନ୍ତରେ ଗତକାଲି ହାଇକୋର୍ଟଙ୍କ ନିଷ୍ପତ୍ତିର ନକଲ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି।
ରାଜ୍ୟ ନିର୍ବାଚନ କମିସନରଙ୍କ ଏଭଳି ପଦକ୍ଷେପ ପରେ ଏବେ ପୌର ନିର୍ବାଚନରେ ଓବିସି ସଂରକ୍ଷଣର ଭାଗ୍ୟ କଣ ହେବ, ସେ ନେଇ କଲ୍ପନାଜଳ୍ପନା ଆରମ୍ଭ ହୋଇଛି। ହେଲେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଯେହେତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅତ୍ୟନ୍ତ ସ୍ପଷ୍ଟ ରହିଛି, ଏଣୁ ରାଜ୍ୟ ସରକାର ଯଦି ନିର୍ବାଚନ କରୁଛନ୍ତି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣ ରଖିବାକୁ ନିଷ୍ପତ୍ତି ନେଉଛନ୍ତି; ତେବେ ଟ୍ରିପଲ୍ ଟେଷ୍ଟ ବ୍ୟବସ୍ଥାକୁ ଅନୁପାଳନ କରିବାକୁ ବାଧ୍ୟ। ଅନ୍ୟଥା ଏହା ବିନା ନିର୍ବାଚନ କରିବାକୁ ନିଷ୍ପତ୍ତି ନେଲେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବେ ନାହିଁ। ଆହୁରି ସରଳ ଭାବେ କହିଲେ, ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନ ମଧ୍ୟ ବିନା ପଛୁଆ ବର୍ଗ ସଂରକ୍ଷଣରେ ହିଁ ହେବ। ଅତଏବ ଏବେ ରାଜ୍ୟ ସରକାର ରାଜ୍ୟ ନିର୍ବାଚନ କମିସନରଙ୍କ ଚିଠି ଉପରେ କି ଜବାବ ରଖୁଛନ୍ତି ଅଥବା ପରବର୍ତ୍ତୀ ପଦକ୍ଷେପ କ’ଣ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ନେଇ ମଧ୍ୟପ୍ରଦେଶ ଓ ମହରାଷ୍ଟ୍ରର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଓବିସିଙ୍କ ପାଇଁ ସଂରକ୍ଷଣ ରହିବନାହିଁ।। ଯେହେତୁ ଟ୍ରିପଲ୍ ଟେଷ୍ଟ ବ୍ୟବସ୍ଥା ଅନୁପାଳନ ହୋଇନାହିଁ, ତେଣୁ ଏଠାରେ ଯଦି ସଂରକ୍ଷଣ ରୁହେ ତେବେ ମାମଲା ସୁପ୍ରିମକୋର୍ଟଙ୍କ ନିର୍ଦେଶର ବିରୋଧାଚରଣ କରିବେ ଏବଂ ପୁଣି କୋର୍ଟକୁ ଯାଇପାରେ। ଏଣୁ ରାଜ୍ୟ ନିର୍ବାଚନ କମିସନଙ୍କ ଉଦ୍ଦେଶ୍ୟରେ କୋର୍ଟ ଯେଉଁ ନିର୍ଦେଶ ଦେଇଛନ୍ତି, ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓବିସି ସଂରକ୍ଷଣ ନେଇ ଦେଇଥିବା ରାୟ ରାଜ୍ୟ ସରକାରଙ୍କୁ ଆଜି ପଠାଇ ଦିଆଯାଇଛି। ପୌର ନିର୍ବାଚନ କ୍ଷେତ୍ରରେ ରାଜ୍ୟ ସରକାର ସ୍ପଷ୍ଟ ଚିତ୍ର ଦେବାକୁ ଏଥିରେ କୁହାଯାଇଛି। ସରକାରଙ୍କ ନିଷ୍ପତ୍ତି ଜାଣିବା ପରେ ଆମେ ନିର୍ବାଚନ ପ୍ରସ୍ତୁତିରେ ଆଗେଇବୁ ବୋଲି ରାଜ୍ୟ ନିର୍ବାଚନ କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
ଅପରପକ୍ଷେ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ପୌର ନିର୍ବାଚନ ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଦେଇଛୁ। ଏଥିପାଇଁ ଜିଲ୍ଲାପାଳ, ମହାନଗର ନିଗମ କମିସନରମାନେ ସେମାନଙ୍କର ଆସନ ସଂରକ୍ଷଣ ଜନିତ ଚୂଡ଼ାନ୍ତ ତାଲିକା ଦେଇ ସାରିଛନ୍ତି। ହେଲେ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ହାଇକୋର୍ଟ ତାଙ୍କ ରାୟରେ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ରହିବନାହିଁ ବୋଲି କହିଛନ୍ତି। ହେଲେ ପୌର ନିର୍ବାଚନ ନେଇ କିଛି କହିନାହାନ୍ତି। ଏହି ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ବି କେହି କୋର୍ଟଙ୍କ ଦ୍ବାରସ୍ଥ ହୋଇନାହାନ୍ତି। ତେଣୁ ଆମେ ଓବିସି ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ସିଟ୍ ବଦଳାଇବା ନିଷ୍ପତ୍ତି ନେଇନାହୁଁ। ଜିଲ୍ଲାପାଳ ଏବଂ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆସିଥିବା ତାଲିକା ଏବଂ ଏହା ଉପରେ ଆସିଥିବା ଅଭିଯୋଗ ଓ ପ୍ରସ୍ତାବକୁ ଭିତ୍ତି କରି ଆମେ ଖୁବ୍ ଶୀଘ୍ର ଚୂଡ଼ାନ୍ତ ତାଲିକା ବା ବିଜ୍ଞପ୍ତି ପ୍ରକାଶ କରିବୁ।
ଅନ୍ୟ ଗୋଟିଏ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ରାଜ୍ୟ ନିର୍ବାଚନ କମିସନରଙ୍କ ଚିଠି ପାଇବା ପରେ ସରକାରୀସ୍ତରରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି। ନିର୍ଦିଷ୍ଟ କି ପଦକ୍ଷେପ ନିଆଯିବ, ସେ ନେଇ ସରକାର ବିଚାର ଆଲୋଚନା ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବା ପରେ ପୌର ନିର୍ବାଚନରେ ଓବିସି ସଂରକ୍ଷଣ ପ୍ରସଙ୍ଗରେ ନଗର ଉନ୍ନୟନ ବିଭାଗକୁ ଆବଶ୍ୟକ ନିର୍ଦେଶନାମା ଯିବ ବୋଲି ସୂଚନା ମିଳିଛି। ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ କରିବା ନେଇ ରାଜ୍ୟ ନିର୍ବାଚନ କମିସନ ସବୁ ପ୍ରକାରର ପ୍ରସ୍ତୁତି ଆରମ୍ଭ କରିସାରିଥିଲେ। ଏବେ ଓବିସି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ସମୁଦାୟ ପ୍ରକ୍ରିୟାକୁ ଗୋଳମାଳିଆ କରିଦେଇଛି। ହାଇକୋର୍ଟରେ ରାଜ୍ୟ ସରକାର ବୁଧବାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ଆଉ ବିଶେଷ ସମସ୍ୟା ନାହିଁ। ହେଲେ ପୌର ନିର୍ବାଚନ ପ୍ରକ୍ରିୟାର ଭାଗ୍ୟ କଣ ହେବ, ତାହା ଏବେ ବି ସମସ୍ତଙ୍କ ଅଜଣା ରହିଛି।
ଏଠାରେ ଉଲ୍ଲେଖଥାଉକି, ଟ୍ରିପଲ ଟେଷ୍ଟର ବ୍ୟବସ୍ଥା ଅନୁସାରେ ଓଡ଼ିଶା ସରକାର ଓବିସି କମିସନ ଗଠନ କରିଛନ୍ତି। ହେଲେ ଗଣନା କରାଯାଇନାହିଁ କିମ୍ବା ପ୍ରକୃତ ଓବିସିଙ୍କ ସଂଖ୍ୟା କେତେ ତାହା ଧାର୍ଯ୍ୟ ହୋଇନାହିଁ। ଯେଉଁଥିପାଇଁ ଏବେ ନିର୍ବାଚନ ପ୍ରକ୍ରିୟା ମଝିରାସ୍ତାରେ ସରକାର ଅକଳରେ ପଡିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/elections.jpg)