ଆସନ୍ତା ଆଇପିଏଲ ସିଜିନରେ ଖେଳିବେ କି ନାହିଁ ଧୋନି? ଜାଣନ୍ତୁ ଇସାରା ଇସାରାରେ କଣ ଉତ୍ତର ଦେଲେ କ୍ୟାପଟେନ୍ କୁଲ ।

935

ସରିଛି ଆଇପିଏଲର ୧୨ ତମ ସଂସ୍କରଣ, ଚତୁର୍ଥ ଥର ପାଇଁ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ସସପେନ୍ସ ଭରା ମୁକାବିଲାରେ ୧ ରନରେ ବାଜି ମାରିବା ସହ ଆଇପିଏଲ ଟ୍ରଫି ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ । ପୁଣି ଥରେ ଫଟାଫଟ କ୍ରିକେଟର ମଜା ନେବାକୁ ଦର୍ଶକଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିବ । ନୂଆ ନୂଆ ପ୍ଲେୟାରଙ୍କ ସହ ମୈଦାନକୁ ଓହ୍ଳାଇବେ ବିଭିନ୍ନ ଦଳ । ଆଉ ଏସବୁ ଭିତରେ ପ୍ରଶ୍ନ ଉଠୁଛି ଆଇପିଏଲର ୧୩ତମ ସିଜିନରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନିଙ୍କୁ ପୁଣିଥରେ କଣ ପଡିଆରେ ଦେଖିବାକୁ ମିଳିବ । ବିଶ୍ୱକପ ପରେ କ୍ରିକେଟରୁ ଅବସର ନେଇଯିବେ କି ଧୋନି? ଏଭଳି ପ୍ରଶ୍ନ ଦର୍ଶକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଧୋନି ଏକ ବଡ ସଂକେତ ଦେଇଛନ୍ତି ।

ଆଇପିଏଲ ଫାଇନାଲ ମ୍ୟାଚ୍ ପରେ ସଞ୍ଜୟ ମଞ୍ଜେରକରଙ୍କ ସହ ଧୋନି ଆଲୋଚନା କରିବା ସମୟରେ ନିଜ କ୍ରିକେଟ କ୍ୟାରିୟର ସର୍ମ୍ପକରେ ସଂକେତ ଦେଇଛନ୍ତି । ଆଲୋଚନା ସମୟରେ ଧୋନି କହିଛନ୍ତି, ଉଭୟ ଟିମ ବହୁତ ଭୁଲ କରିଥିଲେ । କିନ୍ତୁ ଯେଉଁ ଟିମ ଗୋଟିଏ ଭୁଲ କମ କରିଥିଲା ସେହି ଦଳ ବିଜୟୀ ହେଲା । ତେବେ ଏହି ଚର୍ଚ୍ଚା ମଧ୍ୟରେ ଯେତେବେଳେ ଆଗାମୀ ସିଜନରେ ଧୋନୀ ଆଇପିଏଲରେ ଖେଳିବେ କି ନାହିଁ ବୋଲି ପ୍ରଶ୍ନ କରିଥିଲେ ସଞ୍ଜୟ । କିନ୍ତୁ ଧୋନି ଯେଉଁ ଉତ୍ତର ଦେଇଥିଲେ ତାହା ଦର୍ଶକଙ୍କୁ ସସପେନ୍ସ ଘେରକୁ ଠେଲି ଦେଇଥିଲା ।

ସଞ୍ଜୟ ଯିବା ପୂର୍ବରୁ ଧୋନିଙ୍କୁ କହିଥିଲେ, ବହୁତ ଭଲ ଯାତ୍ରା ଥିଲା । ଆଗାମୀ ସିଜିନରେ ପୁଣିଥରେ ଦେଖିବାକୁ ଆଶା ରହିଛି । ଆଉ ସଞ୍ଜୟଙ୍କ ଲହି କଥାର ପ୍ରତ୍ୟୁତ୍ତରରେ କହିଥିଲେ, ହଁ, ମୋର ମଧ୍ୟ ଆଶା ଅଛି । ଧୋନିଙ୍କ ଏହି ବୟାନ ଉଭୟ ଭାରତ ଓ ଚେନ୍ନାଇ ସୁପର କିଙ୍ଗସର କ୍ରିକେଟ ଫ୍ୟାନଙ୍କ ମନରେ ଖୁସିର ଲହର ଖେଳାଇଦେଇଛି । କୁହାଯାଉଛି ୩୭ ବର୍ଷୀୟ ଧୋନି ବିଶ୍ୱକପ ପରେ କ୍ରିକେଟରୁ ସନ୍ୟାସ ନେଇପାରନ୍ତି । କିନ୍ତୁ ଏହାକୁ ନେଇ ଧୋନି କୌଣସି ସଂକେତ ଦେଇନାହାନ୍ତି ।