ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଧୋନିଙ୍କ ଖେଳିବା ନେଇ ସସପେନ୍ସ! ସେମିଫାଇନାଲ ଭଳି ବଡ ମୁକାବିଲା ପୂର୍ବରୁ ଧୋନିଙ୍କୁ ସହ ବୁମରାହଙ୍କୁ ମିଳିପାରେ ବିଶ୍ରାମ ।

298

ବିଶ୍ୱକପର ଶେଷ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ବିରାଟ ବାହିନୀ । ଅପରାହ୍ନ ୩ଟାରେ ଲିଡସରେ ଏହି ମୁକାବିଲା ଦେଖିବାକୁ ମିଳିବ । ଭାରତ ପୂର୍ବରୁ ସେମିଫାଇନାଲ ଟିକେଟ ହାସଲ କରିଥିବା ବେଳେ ଶ୍ରୀଲଙ୍କା ଟାଇଟଲ ରେସରୁ ବାଦ୍ ପଡିଛି । ତେବେ ଏହି ମ୍ୟାଚର ଫଳାଫଳ ସେମିଫାଇନାଲ ଉପରେ ସେଭଳି କୌଣସି ପ୍ରଭାବ ପକାଇବ ନାହିଁ । କିନ୍ତୁ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷ ରେସରେ ସାମିଲ ହେବାକୁ ଚାହିଁବ । ତେବେ ଏହି ମ୍ୟାଚରେ ବଡ ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ରାମ ଦେଇପାରେ ଟିମ୍ ମ୍ୟାନେଞ୍ଜମେଣ୍ଟ । ଏହାଛଡା ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଶେଷ ଲିଗ୍ ମ୍ୟାଚରେ ସୁଯୋଗ ଦେଇପାରନ୍ତି କ୍ୟାପଟେନ କୋହଲି । ଏହାଛଡା ଖରାପ ଫର୍ମ ପାଇଁ ବାଂଲାଦେଶ ବିପକ୍ଷ ମ୍ୟାଚରୁ ବାଦ୍ ପଡିଥିବା କେଦାର ଯାଦବଙ୍କୁ ମଧ୍ୟ ପୁଣିଥରେ ମିଳିପାରେ ସୁଯୋଗ । ତେବେ ରିଷଭ ପନ୍ତ ଓ ଦିନେଶ କାର୍ତ୍ତିକ ଚୂଡାନ୍ତ ଏକାଦଶରେ ନିଜ ସ୍ଥାନ ବଜାୟ ରଖିପାରନ୍ତି । କାରଣ ଗତ ମ୍ୟାଚ୍ ଗୁଡିକରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ରିଷଭ ପନ୍ତ ।

ଯଦି ଟିମ୍ ମ୍ୟାନେଜମେଣ୍ଟ ଧୋନିଙ୍କୁ ବିଶ୍ରାମ ଦିଏ ତେବେ ଦିନେଶ କାର୍ତ୍ତିକ ୱିକେଟକିପିଙ୍ଗର ଭାର ସମ୍ଭାଳି ପାରନ୍ତି । ଏହାଛଡା ମଧ୍ୟକ୍ରମରେ ବ୍ୟାଟିଂ କରିବାର ଅଭିଜ୍ଞତା ମଧ୍ୟ ଦିନେଶଙ୍କ ପାଖରେ ରହିଛି । ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ଦେଇପାରନ୍ତି କୋହଲି । ଯାହା ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନଅପକୁ ଆହୁରି ଶକ୍ତିଶାଳୀ କରିବ । ସେହିଭଳି ସେମିଫାଇନାଲ ଭଳି ବଡ ମ୍ୟାଚ୍ ପୂର୍ବରୁ ବୁମରାହଙ୍କୁ ବିଶ୍ରାମ ଦେଇପାରେ ଟିମ୍ ମ୍ୟାନେଜମେଣ୍ଟ । ସାମି ଓ ଭୁବନେଶ୍ୱର କୁମାରଙ୍କ ଉପରେ ଦଳର ବୋଲିଂ ଭାର ନିର୍ଭର କରିବ ।