କନକ ବ୍ୟୁରୋ: ଇଣ୍ଡିଆନ୍ ଏକ୍ସପ୍ରେସ୍ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ରଖିଥିବା ମନ୍ତବ୍ୟ, ଏବଂ ସମ୍ବଲପୁର ଓ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ, ମୃଦଳା ଠାକୁରଙ୍କ ଏହି ସବୁ କାର୍ଯ୍ୟକ୍ରମକୁ ଯଦି, ୨୦୨୪ ନିର୍ବାଚନ ସହିତ ଯୋଡ଼ିଦିଆଯାଏ ତେବେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର କେଉଁଠି ହେବ, ତାହା ହୁଏତ ଆକଳନ କରିହେଉଛି ।

Advertisment

ଧର୍ମେନ୍ଦ୍ରଙ୍କ ନଜରରେ ସମ୍ବଲପୁର ଆସନ? ସମ୍ବଲପୁର ଲୋକସଭାରୁ ଲଢ଼ିବେ କି ଧର୍ମେନ୍ଦ୍ର? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିୟମିତ ବ୍ୟବଧାନରେ ସମ୍ବଲପୁର ଜିଲ୍ଲାକୁ ଗସ୍ତ କରୁଛନ୍ତି । ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ସମ୍ବଲପୁର ଜିଲ୍ଳାର ଖିଣ୍ଡା ଗାଁକୁ ଯିବା, ସମ୍ବଲପୁର ସହରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ରାଜନୀତିରେ ବେଶ ଗୁରୁତ୍ୱ ରଖୁଛି । ଠିକ୍ ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର ସମ୍ବଲପୁର ଲୋକସଭା କ୍ଷେତ୍ରରେ ମେଗା ସ୍ୱାସ୍ଥ୍ୟ ଶିବିର କରିଆସୁଛନ୍ତି । ଯେଉଁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗୁଛି, କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ରହୁଛି । ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ ପରେ ସମ୍ବଲପୁର’ର ବରେଇପାଲି, ରେଢ଼ାଖୋଲ ବିଧାନସଭା କ୍ଷେତ୍ରର ପଡ଼ିଆବାହାଲରେ ସ୍ୱାସ୍ଥ୍ୟଶିବିର ଆୟୋଜିତ ହୋଇଛି । ଆସନ୍ତାକାଲି ରେଙ୍ଗାଲି ବିଧାନସଭା କ୍ଷେତ୍ରର ନିଶାଭଙ୍ଗା, ୫ ତାରିଖରେ କୁଚିଣ୍ଡା ବିଧାନସଭା କ୍ଷେତ୍ରର ଖଣ୍ଡାକଟା ଏବଂ ପରେ ଦେବଗଡ଼ ବିଧାନସଭା କ୍ଷେତ୍ରର ବାରକୋଟରେ ଏହା ଆୟୋଜିତ ହେବ ।

ସମ୍ବଲପୁର ଲୋକସଭା କ୍ଷେତ୍ରରେ ଆସୁଥିବା ୭ଟି ବିଧାନସଭା ମଧ୍ୟରୁ ୩ଟି ଆସନ ବିଜେପି ହାତରେ ଥିବା ବେଳେ ବିଜେଡି ହାତରେ ରହିଛି ୪ଟି ଆସନ । ଆଉ ଏହି ୭ଟି ଆସନରୁ ୪ଟି ସମ୍ବଲପୁର ଜିଲ୍ଲାର ହୋଇଥିବା ବେଳେ ଗୋଟିଏ ଦେବଗଡ଼ ଏବଂ ୨ଟି ଅନୁଗୁଳ ଜିଲ୍ଲାରୁ ଆସିଛି । ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କ ପତ୍ନୀ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛନ୍ତି । ସେହିପରି ସମ୍ବଲପୁରରୁ ସାଂସଦ ଥିବା ନିତେଶ ଗଙ୍ଗଦେବ ବିଭିନ୍ନ କାରଣରୁ ବିବାଦରେ ଅଛନ୍ତି । ତେଣୁ ସମ୍ବଲପୁର ପାଇଁ ବଡ଼ ଚେହେରା ଖୋଜୁଛି ଭାରତୀୟ ଜନତା ପାର୍ଟି ।

ଲୋକସଭା କ୍ଷେତ୍ରର ସୀମା ନିର୍ଦ୍ଧାରଣ ହେବା ପୂର୍ବରୁ ଦେବଗଡ଼ ଲୋକସଭା ଆସନରୁ ଥରେ ବିଜୟୀ ହୋଇଥିଲେ ଧର୍ମେନ୍ଦ୍ର । ଏବେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଥିବାରୁ ପ୍ରତ୍ୟକ୍ଷ ନିର୍ବାଚନରେ ଜିତି ଜାତୀୟ ରାଜନୀତିରେ ନିଜର ପତିଆରା ବୃଦ୍ଧି ପାଇଁ ଚେଷ୍ଟା କରିପାରନ୍ତି ।