କନକ ବ୍ୟୁରୋ: ଜେଲର ଚାରିକାନ୍ଥ ଭିତରୁ ମୁକୁଳିବା ପାଇଁ ଶେଷ ପ୍ରୟାସ! ଗ୍ରାହାମ ଷ୍ଟେସନ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ କାଟୁଥିବା ଦାରା ସିଂହଙ୍କ ପାଇଁ ଦାୟର ହୋଇଛି ଦୟା ଆବେଦନ । ରାଷ୍ଟ୍ରପତିଙ୍କ ନିକଟରେ ଏହି ଆବେଦନ ହୋଇଛି। ସେହିପରି ସୁପ୍ରିମକୋର୍ଟରେ ମଧ୍ୟ ଏକ ମର୍ସି ପିଟିସନ ଦାଖଲ ହୋଇଛି। ୨୦୨୩ରେ ସ୍ବତନ୍ତ୍ର ଲିଭ୍ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ପରେ ଦାରାଙ୍କ ପାଇଁ ଏହା ଶେଷ ପ୍ରୟାସ ବୋଲି କୁହାଯାଉଛି।

Advertisment
  • ଜେଲରୁ ମୁକୁଳିବେ କି ଦାରା ସିଂହ?
  • ଦାୟର ହୋଇଛି ‘ଦୟା ଆବେଦନ’

ଦାରା ସିଂହ ଓରଫ ରବୀନ୍ଦ୍ର ପାଲ୍ ଏବଂ ମହେନ୍ଦ୍ର ହେମ୍ୱ୍ରମଙ୍କ ପାଇଁ ଦାୟର ହୋଇଛି ଦୟା ଆବେଦନ। ଗୋଟିଏ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦୟା ଆବେଦନ ଅନ୍ୟଟି ସୁପ୍ରିମକୋର୍ଟରେ ମର୍ସି ପିଟିସନ। ଏହି ଦୁଇ ଅଭିଯୁକ୍ତ ଏବେ ଗ୍ରାହାମ ଷ୍ଟେସନ ପୋଡ଼ି ମାମଲାରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଛନ୍ତି। ଯେହେତୁ ଦୀର୍ଘ ବର୍ଷ ହେବ କାରାଦଣ୍ଡା ଭୋଗିସାରିଲେଣି ତେଣୁ ନିୟମ ଅନୁଯାୟୀ ମର୍ସି ପିଟିସନ ଏବଂ ଦୟା ଆବେଦନ ହୋଇଛି। ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ କରିଛନ୍ତି ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂହ।

ସେହିପରି ମର୍ସି ପିଟିସନ ପାଇଁ ସୁପ୍ରିମକୋର୍ଟଙ୍କ ନିଜେ ଦ୍ବାରସ୍ଥ ହୋଇଛନ୍ତି ନିଜେ ଦାରା ସିଂହ। ୨୩ ଜାନୁଆରୀ ୧୯୯୯ରେ ହୋଇଥିବା ଏହି ହତ୍ୟାକାଣ୍ଡ ମାମଲାରେ ଦାରା ସିଂହଙ୍କୁ ସେତେବେଳେ ଗିରଫ କରିଥିଲେ ତତ୍କାଳୀନ କେନ୍ଦୁଝର ଏସପି ତଥା ନୂଆ କରି ଡିଜିପି ଭାବେ ଦାୟିତ୍ବ ନେଇଥିବା ୱାଇ ବି ଖୁରାନିଆ । ଏହି ମାମଲାରେ ସୁପ୍ରିମକୋର୍ଟ ଯେତେବେଳେ ଓଡ଼ିଶା ସରକାରଙ୍କ ମତାମତ ଲୋଡିଛନ୍ତି ସେହି ସମୟରେ ଖୁରାନିଆ ଡିଜିପି ହୋଇଥିବାରୁ ସରକାରଙ୍କ ଜବାବ ଉପରେ ଏବେ ରହିଛି ସମସ୍ତଙ୍କ ନଜର।

  • କ’ଣ ଥିଲା ଘଟଣା?
  • କ’ଣ ରହିଛି ମାମଲା?

୧୯୯୯ ଜାନୁଆରୀ ୨୨। କେନ୍ଦୁଝର ମନୋହରପୁର ଗ୍ରାମରେ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହାମ ଷ୍ଟେନସ ଓ ତାଙ୍କ ଦୁଇ ନାବାଳକ ପୁଅ ଫିଲିପ୍ ଓ ଟିମୋଥି ଷ୍ଟେସନ ଗାଡ଼ିରେ ଶୋଇଥିଲେ। ଏହି ସମୟରେ ବାପ-ପୁଅକୁ ନିଆଁ ଲଗାଇ ହତ୍ୟା କରିଥିଲେ ଦାରା। ୧୯୯୯ ସେପ୍ଟେମ୍ବର ୧ରେ ମୟୂରଭଞ୍ଜ ଜାମାବାଣୀ ଗ୍ରାମରେ କ୍ୟାଥଲିକ ଚର୍ଚ୍ଚର ଫାଦର ଅରୁଲ ଦୋସଙ୍କୁ ମଧ୍ୟ ହତ୍ୟା କରିଥିଲା। କୋର୍ଟ ଦ୍ବାରା ଦୁଇ ମାମଲାରେ ଦାରା ଦଣ୍ଡିତ ହୋଇସାରିଛି। ୨୦୦୩ରେ ସିବିଆଇ ସ୍ବତନ୍ତ୍ର କୋର୍ଟ ଦାରା ସିଂଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାବାସ କରିଦେଇଥିଲେ। ଯାହାକୁ ୨୦୧୧ରେ ସୁପ୍ରିମକୋର୍ଟ କାଏମ ରଖିଥିଲେ।

ଗ୍ରାହାମ ଜଣେ ଅଷ୍ଟ୍ରେଲିଆ ନାଗରିକ। ସେ ହୋ ଭାଷାରେ ବାଇବେଲ ଅନୁବାଦରେ ସହଯୋଗ କରିଥିଲେ। ୧୯୬୫ ମସିହାରେ ଭାରତ ଭ୍ରମଣରେ ଆସିଥିଲେ ଗ୍ରାହାମ ଷ୍ଟେନ୍। ଆଦିବାସୀ ଅଞ୍ଚଳରେ ମିଶନାରୀ ତରଫରୁ କାମ କରୁଥିଲେ। ୨୦୦୪ ଯାଏଁ ଭାରତରେ ରହି କୁଷ୍ଠ ରୋଗୀଙ୍କ ସହାୟତା କରିଥିଲେ ଗ୍ରାହାମଙ୍କ ପତ୍ନୀ। ୨୦୦୫ରେ ଷ୍ଟେନସ ଗ୍ଲାଡିସଙ୍କୁ ମିଳିଥିଲା ପଦ୍ମଶ୍ରୀ ସମ୍ମାନ।