କନକ ବ୍ୟୁରୋ : ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପୁଣିଥରେ ନିଜ ଦଳର ସରକାରକୁ ଅକଳରେ ପକାଇଛନ୍ତି। ରାଜ୍ୟ ସରକାରଙ୍କ ଯୋଜନା ଆଉ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଭର୍ତ୍ତୃହରିଙ୍କୁ ନେଇ ବିଜେଡି-ବିଜେପି ବାକ୍ଯୁଦ୍ଧ ଚାଲିଥିବା ବେଳେ ପ୍ରଜାତନ୍ତ୍ର ପରିସରରେ ଆୟୋଜିତ ବିଷୁବ ମିଳନ ସମାବର୍ତ୍ତନ ସମାରୋହରେ ଭର୍ତ୍ତୃହରିଙ୍କ ବକ୍ତବ୍ୟ ପୁଣିଥରେ ବିଜେଡି ସରକାର ପାଇଁ ଅଡୁଆ ସୃଷ୍ଟି କରିଛି। ଭର୍ତ୍ତୃହରି କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଥିବା ବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଭାରତୀୟ ଭାଷା ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ଲାଗି ନିର୍ଣ୍ଣୟ ନେଇଛନ୍ତି। ଏହା ସଂସ୍କୃତ ସମେତ କନ୍ନଡ, ଓଡ଼ିଆ, ତାମିଲ ଓ ଅସମିଆ ଭଳି ବାର ପାଖାପାଖି ଭାରତୀୟ ଭାଷାର ମାନ ସ୍ଥାପିତ ହେବ। ଅନ୍ୟପଟେ ଓଡ଼ିଆ ବିଶ୍ୱବିଦ୍ୟାଳୟ କଥା ଅନେକ ବର୍ଷ ହେଲା ଶୁଣାଗଲାଣି। କିନ୍ତୁ ସେ କାର୍ଯ୍ୟ କେଉଁ ଅବସ୍ଥାରେ ଅଛି, ତାହାକୁ ଜାଣିବା ପାଇଁ ୧୫ଟା ଜାଗା ଯିବାକୁ ପଡୁଛି। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୮ ଅକ୍ଟୋବର ୯ ତାରିଖରେ ପୁରୀ ଜିଲ୍ଲା ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ। ଦେଶ, ବିଦେଶରେ ଓଡ଼ିଆ ଭାଷାର ଗବେଷଣା ଓ ବିକାଶ ପାଇଁ ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏବେ ସେହି ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ନେଇ ଭର୍ତ୍ତୃହରିଙ୍କ ଏଭଳି ମନ୍ତବ୍ୟ ବିଜେଡି ସରକାରକୁ ଅଡୁଆରେ ପକାଇବାକୁ ଯାଉଛି।
ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ପ୍ରକଳ୍ପକୁ ନେଇ ଭର୍ତ୍ତୃହରିଙ୍କ ସମାଲୋଚନା ଇଏ ପ୍ରଥମ ନୁହେଁ। ଜାନୁଆରି ୨୩ ତାରିଖରେ ନେତାଜୀ ଜୟନ୍ତୀ ଅବସରରେ କଟକରେ ଏକ ଅତ୍ୟାଧୁନିକ ବସ୍ ଷ୍ଟାଣ୍ଡର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ। କିନ୍ତୁ ସେହି କାର୍ଯ୍ୟକ୍ରମରେ ଭର୍ତ୍ତୃହରି ଅନୁପସ୍ଥିତ ଥିଲେ। ଆଉ ଏହି ପ୍ରକଳ୍ପର ଯଥାର୍ଥତା ତଥା ଉପଯୋଗିତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଭର୍ତ୍ତୃହରିଙ୍କ ଏଭଳି ମନ୍ତବ୍ୟକୁ ସେତେବେଳେ ପୂର୍ବତନ ବିଧାୟକ, କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ କଡା ସମାଲୋଚନା କରି ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ।
ବିଜେଡି ଟିକେଟରେ ଲଗାତାର କଟକ ଲୋକସଭା ଆସନରୁ ବିଜୟୀ ହୋଇଥିବା ଭର୍ତ୍ତୃହରିଙ୍କର ଏଭଳି ବକ୍ତବ୍ୟ ଏବଂ ତାଙ୍କୁ ବିଜେପି ନେତାଙ୍କ ପ୍ରଶଂସା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ପ୍ରଜାତନ୍ତ୍ର ପରିସରରେ ବିଷୁବ ମିଳନ ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବା ସହିତ ସେ ବିଜେଡିରେ ଅବହେଳିତ ହେଉଛନ୍ତି ବୋଲି ବକ୍ତବ୍ୟ ଦେବା ପରେ ତାହାକୁ ନେଇ ଉଭୟ ବିଜେଡି ଓ ବିଜେପି ଦଳରେ ଆକ୍ଷେପ, ପ୍ରତିଆକ୍ଷେପ ଆରମ୍ଭ ହୋଇଯାଇଥିଲା।
ଭର୍ତ୍ତୃହରିଙ୍କୁ ନେଇ ବିଜେଡି ଭିତରେ ବି କିଛିମାସ ହେଲା ଏଭଳି ଛକାପଞ୍ଝା ରାଜନୀତି ଆରମ୍ଭ ହୋଇଯାଇଛି। ତାଙ୍କ କାର୍ଯ୍ୟକ୍ରମରୁ ବି ଦଳର ବହୁ ବରିଷ୍ଠ ନେତା ଓ ବିଧାୟକ ଦୂରେଇ ରହୁଛନ୍ତି। ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ପାଳନ ପାଇଁ ଭର୍ତ୍ତୃହରି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନର ଉଦ୍ୟମ କରିଥିଲେ। ସେହି କାର୍ଯ୍ୟକ୍ରମରୁ କଟକ ଜିଲ୍ଲାର ଅଧିକାଂଶ ବିଧାୟକ ଦୂରେଇ ରହିଥିଲେ। ଏମିତିକି ସେହି ଦିନ ବେଲଭ୍ୟୁ ନିକଟରେ ଗାନ୍ଧୀଜୀଙ୍କ ସ୍ମୃତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବାକୁ ଥିବା ପାର୍କକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆଯାଇଥିଲା।
୨୦୧୯ ନିର୍ବାଚନ ବେଳେ ଭର୍ତ୍ତୃହରିଙ୍କୁ ବିଜେଡି ଟିକେଟ୍ ମିଳିବା ନିଷ୍ପତ୍ତି ଶେଷଯାଏ ଝୁଲି ରହିଥିବା ବେଳେ ସେ ବିଜେପିକୁ ଯିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଭର୍ତ୍ତୃହରି ବିଜେଡି ଟିକେଟ ପାଇ ଲଢିଲେ ଓ ଜିତିଲେ। କିନ୍ତୁ ଗଲା କିଛି ମାସ ଧରି ଭର୍ତ୍ତୃହରିଙ୍କ ଭୂମିକା ଚର୍ଚ୍ଚାର ପ୍ରସଙ୍ଗ ହୋଇ ରହି ଆସିଛି। ତାଙ୍କ ଦଳର ସରକାରର ବିଭିନ୍ନ କାର୍ଯ୍ୟକୁ ସେ ସମାଲୋଚନା କରୁଥିବା ବେଳେ ବିଜେପିରୁ ତାଙ୍କୁ ପ୍ରଶଂସା ମିଳୁଛି। ଏପ୍ରିଲ ୯ ତାରିଖରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଲିଖିତ ଓଡ଼ିଶା ଇତିହାସ ପୁସ୍ତକର ହିନ୍ଦୀ ଅନୁବାଦକୁ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉନ୍ମୋଚନ କରାଇଥିଲେ ଭର୍ତ୍ତୃହରି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭର୍ତ୍ତୃହରିଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ଭର୍ଚୁଆଲ୍ ମୋଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ମାନଙ୍କୁ ଦେଖିବାକୁ ମିଳି ନଥିଲା। ସେ ବିଜେପିର ନିକଟବର୍ତ୍ତୀ ହେଉଛନ୍ତି ବୋଲି ଆଲୋଚନା ହେଉଥିବା ବେଳେ ଏ ସଂପର୍କରେ କିନ୍ତୁ ଭର୍ତ୍ତୃହରି କୌଣସି ମତ ଦେବାକୁ ମନା କରି ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/mehtb_getty.jpg)