କନକ ବ୍ୟୁରୋ : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ରବିବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ରାଜ୍ୟ ବିଜେପି ସଭାପତିଙ୍କୁ କଡା ଚେତାବନୀ ଦେଇଛନ୍ତି । ବିଜେପି ସଭାପତି ବନ୍ଦୀ ସଞ୍ଜୟ ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ଏବଂ ଧାନ ଚାଷ କରିବାକୁ ପ୍ରବର୍ତ୍ତାଉଛନ୍ତି । ଏପରିକି କେନ୍ଦ୍ରର ବିଜେପି ସରକାର ଚାଷୀଙ୍କ ଧାନ କିଣିବେ ବୋଲି ମିଛ ପ୍ରତିଶ୍ରୁତି ଦେଉଛନ୍ତି ବୋଲି କେସିଆର କହିଛନ୍ତି । ଏହାସହ କେସିଆର ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ର ସରକାର ଧାନ କିଣିବେ ନାହିଁ, ଯେଉଁଥିପାଇଁ କୃଷି ମନ୍ତ୍ରୀ ଚାଷୀଙ୍କୁ ଅନ୍ୟ ଫସଲ ଅମଳ କରିବାକୁ କହୁଛନ୍ତି ଯାହାଦ୍ୱାରା ଚାଷୀଙ୍କର କ୍ଷତି ହେବ ନାହିଁ ।
ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ଚାଷୀଙ୍କ ଧାନ କିଣିବାକୁ କେନ୍ଦ୍ରକୁ କହିଥିଲି । କିନ୍ତୁ ଏ ବାବଦରେ ପରେ ନିଷ୍ପତ୍ତି ନିଆଯିବ ଓ ସୂଚିତ କରାଯିବ ବୋଲି ମନ୍ତ୍ରୀ କହିଥିଲେ । କିନ୍ତୁ ଏବେ ପର୍ଯ୍ୟନ୍ତ ଏବାବଦରେ କୌଣସି ସ୍ପଷ୍ଟ ସୂଚନା କେନ୍ଦ୍ରରୁ ମିଳିନାହିଁ । ତେଲେଙ୍ଗାନା ପାଖରେ ଗତ ବର୍ଷର ୫ ଲକ୍ଷ ଟନ ବଳକା ଧାନ ରହିଛି, କିନ୍ତୁ କେନ୍ଦ୍ର ସରକାର ଏହାକୁ କିଣୁନାହାନ୍ତି । କେନ୍ଦ୍ର ସରକାର କହୁଛନ୍ତି ଧାନ କିଣିବେନି, କିନ୍ତୁ ରାଜ୍ୟ ବିଜେପି ସଭାପତି ଧାନ କିଣିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଏଭଳି ଶସ୍ତା କଥା କହିବାରୁ ଦୂରେଇ ରୁହନ୍ତୁ । ଯଦି ଆମ ବାବଦରେ ଇଆଡୁ ସିଆଡୁ କହିବ ତେବେ ତମ ଜିଭ କାଟିଦେବୁ ବୋଲି କହିଛନ୍ତି କେସିଆର ।
କେସିଆର କହିଛନ୍ତି, ସଞ୍ଜୟ କହୁଛନ୍ତି ମୋତେ ଜେଲ ପଠାଇବେ । କିନ୍ତୁ ମୁଁ ତାଙ୍କୁ ଚ୍ୟାଲେଞ୍ଜ କରି କହୁଛି ଯେ, ମୋତେ ଆଗ ଛୁଇଁକି ଦେଖାନ୍ତୁ । ଅରୁଣାଚଳପ୍ରଦେଶରେ ଚୀନ ଆମ ଉପରେ ଆକ୍ରମଣ କରୁଛି, କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଏବେ ପର୍ଯ୍ୟନ୍ତ ଚୁପ୍ ବସିଥିଲୁ । ଭାବୁଥିଲୁ କୁକୁରଙ୍କୁ ଭୁକିବାକୁ ଦିଅ । କିନ୍ତୁ ଏବେ ଆଉ ଚୁପ୍ ହୋଇ ବସିବୁନି, ବରଂ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ ।
ବିଜେପିର ଟାର୍ଗେଟ କରିବା ସହ କେସିଆର କହିଛନ୍ତି, ସେମାନେ ଚାଷୀଙ୍କ କାର ତଳେ ଚାପି ଦେଉଛନ୍ତି । କିନ୍ତୁ ଆମେ ଚାଷୀଙ୍କୁ ସମର୍ଥନ କରିବୁ । କାରଣ ଆମର ଦାୟିତ୍ୱ ହେଉଛି ଚାଷୀଙ୍କୁ ବଞ୍ଚାଇବା । ବିରୋଧୀ ଶସ୍ତା ରାଜନୀତି କରୁଛନ୍ତି, ଚାଷୀଙ୍କ ଭାବନା ସହ ଖେଳୁଛନ୍ତି । କିନ୍ତୁ ଆମ ଦଳ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ନେଇ ଲଗାତାର ପ୍ରଦର୍ଶନ ଜାରି ରଖିବ । ଗତ ୭ ବର୍ଷରେ ବିଜେପି କରିଛି ବା କଣ? ଭାରତର ଜିଡିପି ବାଂଲାଦେଶ ଓ ପାକିସ୍ତାନ ଠାରୁ ମଧ୍ୟ ତଳକୁ ଖସିଗଲାଣି । କିନ୍ତୁ ଅନ୍ୟପଟେ କେନ୍ଦ୍ର ସରକାର ଅନାବଶ୍ୟକ ଭାବେ ଟିକସ ବଢାଇ ଚାଲିଛନ୍ତି । ନା ଲୋକଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିଲା ନା ଦେଶବାସୀଙ୍କୁ ପ୍ରତିବର୍ଷ ୨ କୋଟି ରୋଜଗାର ମିଳିଲା । ଏଭଳି କହି ବିଜେପି ଉପରେ ବର୍ଷିଛନ୍ତି କେସିଆର ।