ପୁଣି କଂଗ୍ରେସର ମଙ୍ଗୁଆଳ ହୋଇପାରନ୍ତି ରାହୁଲ ଗାନ୍ଧୀ । ୱାର୍କିଂ କମିଟି ବୈଠକ ପରେ କହିଲେ ସଭାପତି ପଦ ପାଇଁ କରିପାରନ୍ତି ବିଚାର ।

136

କନକ ବ୍ୟୁରୋ : ଦୀର୍ଘ ଦିନ ପରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ହୋଇଛି । ବୈଠକ ପରେ ପୁଣି ରାହୁଲ ଦଳର ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନ୍ୟପଟେ କାର୍ଯ୍ୟକାରିଣୀ ବୈଠକରେ ଅସନ୍ତୁଷ୍ଟ ଜି-୨୩ ନେତାଙ୍କୁ ସୋନିଆ ନାଲି ଆଖି ଦେଖାଇଥିବା ଚର୍ଚ୍ଚା ଚାଲିଛି । ଗଣମାଧ୍ୟମରେ ବିବୃତି ନଦେଇ ଦଳୀୟ ଅନୁଶାସନ ଭିତରେ ରହିବାକୁ ଅସନ୍ତୁଷ୍ଟ ନେତାଙ୍କୁ ତାଗିଦ କରିଛନ୍ତି ସୋନିଆ ଗାନ୍ଧୀ । ଏହାଛଡା ଦଳର ପରବର୍ତ୍ତୀ ରଣନୀତି ଉପରେ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଛି ।

ନେତାଙ୍କୁ ସୋନିଆଙ୍କ ସନ୍ଦେଶ । କହିଲେ, ସେ ହିଁ କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷା । ଦଳରେ ରହିବାକୁ ହେଲେ ମାନିବାକୁ ପଡ଼ିବ ଅନୁଶାସନ । ଦୀର୍ଘଦିନ ପରେ ଦିଲ୍ଲୀରେ ବସିଛି କଂଗ୍ରେସ ୱାର୍କିଂ କମିଟି ବୈଠକ । ଏଥିରେ ଅସନ୍ତୁଷ୍ଟ ନେତାଙ୍କୁ ନାଲିଆଖି ଦେଖାଇଛନ୍ତି ସୋନିଆ ଗାନ୍ଧୀ । ଆଉ କହିଛନ୍ତି, ସେ ହିଁ ଦଳର ପୂର୍ଣ୍ଣକାଳୀନ ଅଧ୍ୟକ୍ଷା । ତାଙ୍କ ସହ କଥା ହେବା ପାଇଁ ମିଡିଆର ସାହାରା ନେବା ଆବଶ୍ୟକ ନାହିଁ । ଦଳରେ ରହିବାକୁ ହେଲେ ଅନୁଶାସନ ଓ ନିୟମ ମାନିବାକୁ ହେବ ବୋଲି କହିଛନ୍ତି ସୋନିଆ ।

କଂଗ୍ରେସରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଲାଗି ବାରମ୍ବାର ଦାବି କରି ଆସୁଛନ୍ତି, ଜି-୨୩ ଭାବେ ପରିଚିତ କଂଗ୍ରେସର ଅସନ୍ତୁଷ୍ଟ ନେତା । ନିକଟରେ ବରିଷ୍ଠ ନେତା କପିଲ୍ ସିବଲ୍, ଦଳର ପରିଚାଳନା ନେଇ ଆପତ୍ତି ଉଠାଇଥିଲେ । କଂଗ୍ରେସର ଅଧ୍ୟକ୍ଷ କିଏ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ତୁରନ୍ତ ସିଡବ୍ଲୁସି ବୈଠକ ଡାକିବାକୁ ଦାବି କରିଥିଲେ ସିବଲ ।

ସିଡବ୍ଲୁସି ବୈଠକରେ ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ପ୍ରମୁଖ ସାମିଲ ହୋଇଛନ୍ତି । ଜି-୨୩ ନେତା ଭାବେ ପରିଚିତ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଓ ଆନନ୍ଦ ଶର୍ମା ମଧ୍ୟ ଯୋଗ ଦେଇଛନ୍ତି । ବୈଠକରେ ଅସନ୍ତୁଷ୍ଟ ନେତାଙ୍କୁ ନାଲିଆଖି ଦେଖାଇଛନ୍ତି ସୋନିଆ । ଗଣମାଧ୍ୟମରେ ବିବୃତି ନଦେଇ ଦଳୀୟ ଅନୁଶାସନ ଭିତରେ ରହିବାକୁ ତାଗିଦ କରିଛନ୍ତି ସୋନିଆ ଗାନ୍ଧୀ ।

ସେପ୍ଟେମ୍ବର ୨୦୨୨ରେ କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ । ପୁଣି କଂଗ୍ରେସର ଅଧ୍ୟକ୍ଷ ହୋଇପାରନ୍ତି ରାହୁଲ ! ସିଡବ୍ଲୁସି ବୈଠକରେ କଂଗ୍ରେସ ସାଂଗଠନିକ ନିର୍ବାଚନ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତାବର୍ଷ ଜିଲ୍ଲାସ୍ତରରୁ ଆରମ୍ଭ କରି ପିସିସି ଓ ଏଆଇସିସିର ବିଭିନ୍ନ କମିଟି ଏବଂ ସଭାପତି ପଦ ପାଇଁ ନିର୍ବାଚନ ହେବ । ୨୦୨୨ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ସେପଟେ ପୁଣିଥରେ ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋରଧରିଛି । ଦିଲ୍ଲୀ କଂଗ୍ରେସ ୱାର୍କିଂ କମିଟି ବୈଠକ ପରେ ରାହୁଲ ଗାନ୍ଧୀ ସଭାପତି ପଦ ପାଇଁ ଆଗାମୀ ଦିନରେ ବିଚାର କରିପାରନ୍ତି ବୋଲି କହିଥିବା ସୂଚନା ମିଳିଛି ।

କଂଗ୍ରେସର ପରବର୍ତ୍ତୀ ରଣନୀତି କଣ ହେବ ସିଡବ୍ଲୁସି ବୈଠକରେ ଚୂଡ଼ାନ୍ତ କରାଯାଇଛି । ଦରଦାମ ବୃଦ୍ଧି, ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବ କଂଗ୍ରେସ । ଦରଦାମ ବୃଦ୍ଧିକୁ ନେଇ ସାରା ଦେଶରେ ନଭେମ୍ବର ୨୪ରୁ ୨୯ ମଧ୍ୟରେ କଂଗ୍ରେସ ବିକ୍ଷୋଭ କରିବ । ଆଗକୁ ୟୁପି ନିର୍ବାଚନ ଥିବାରୁ ଦଳ କିପରି ଏକଜୁଟ ହୋଇ ଲଢ଼େଇ କରିବ, ଏନେଇ ମାନସ ମନ୍ଥନ କରାଯାଇଛି ।