ଆଖିରେ ଧାରଧାର ଲୁହ ଓ ହାତରେ ୩ ବର୍ଷର ରୋଗୀଣା ପୁଅ । ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବା ପୂର୍ବରୁ ମଞ୍ଚରୁ ତଳକୁ ବିଦା କରିଦେଲେ ସ୍ଥାନୀୟ ନେତା, କ୍ୟାମେରା ଆଗରେ ନିଜର କରୁଣ କାହାଣୀ କହିଲେ କୁମୁଦ ।

1,108

କନକ ବ୍ୟୁରୋ :  ଆଖିରେ ଧାରଧାର ଲୁହ ଓ ହାତରେ ୩ ବର୍ଷର ରୋଗୀଣା ପୁଅ । ଦିନ ୧୦ ଟାରୁ ସୁନ୍ଦରଗଡ ଭବାନୀ ଭବନ ପଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ ଭାଲୁଲତା ଗାଁ ର କୁମୁଦ କିସାନ । ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ହେଲିକେପ୍ଟରକୁ ଦେଖିବାକୁ ଆସିନଥିଲେ ବରଂ ନିଜ ୩ ବର୍ଷିୟ କଅଁଳ ଶିଶୁର ଜୀବନ ବଚାଂଇବା ପାଇଁ ନବୀନଙ୍କ ନିକଟକୁ ବଡ ଆଶା ନେଇ ଆସିଥିଲେ । ଇଚ୍ଛା ଥିଲା ନବୀନଙ୍କୁ ଭେଟିବେ ନିଜ ପୁଅର ଦୁଃଖ କାହାଣୀ କହିବେ । କାରଣ ପୁଅକୁ ଯେଉଁ ବେଟା ଥାଲାସେମିଆ ରୋଗ ହୋଇଛି ତାହାର ଉପଚାର କୌଣସି ସରକାରୀ ମେଡିକାଲରେ ହୋଇପାରୁନାହିଁ । ତେଣୁ ଘରୋଇ ମେଡିକାଲରେ ଚିକିତ୍ସା କରିବାକୁ ହେଲେ ପ୍ରଚୁର ଅର୍ଥ ଦରକାର । କିନ୍ତୁ ଅର୍ଥାଭାବରୁ ମୃତ୍୍ୟୁ ସହ ସଂଘର୍ଷ କରୁଛି ୩ ବର୍ଷର ପୁଅ । ତେଣୁ ସହାୟତା ପାଇଁ ଧାଇଁ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ।

ସଭାସ୍ଥଳରେ ୪ ଘଣ୍ଟା ଅପେକ୍ଷା କରିବା ପରେ ଆସିଥିଲେ ମୁଖ୍ୟମନ୍ତ୍ରୀ । ଆଉ ନବୀନଙ୍କ ଆସିବା ଦେଖି ମଞ୍ଚ ନିକଟକୁ ପୁଅକୁ ଧରି ଦୌଡି ଯାଇଥିଲେ କୁମୁଦ । କିନ୍ତୁ ପ୍ରଥମେ ପୋଲିସ ଓ ପରେ ପ୍ରଶାସନ କୁମୁଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବାକୁ ସୁଯୋଗ ଦେଇନଥିଲେ । ତେବେ କୌଣସି ମତେ ମଞ୍ଚ ପାଖରେ ପହଞ୍ଚି ଯାଇଥିଲେ କୁମୁଦ । କିନ୍ତୁ ମଞ୍ଚ ଉପରକୁ ଉଠିବା ପୂର୍ବରୁ ଧୋବ ଫରଫର ପୋଷାକ ପିନ୍ଧିଥିବା କିଛି ନେତା ତାଙ୍କୁ ସେଠାରୁ ଧକ୍କା ମାରି ଘଉଡାଇ ଦେଇଥିଲେ । ଏପରିକି ଏଇଟା କଣ ତୋ ବୋପାର ସମ୍ପତି ବୋଲି କହିବାକୁ ମଧ୍ୟ ପଛାଇନଥିଲେ କିଛି ନେତା । ଆଉ ସେଠାରୁ ନିରାଶ ହେବା ପରେ କ୍ୟାମେରା ଆଗରେ କୋହ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ କୁମୁଦ ।

ଗୋଟିଏ ପଟେ ସରକାର ଜନ୍ମରୁ ମୃତ୍ୟୁ ଯାଏଁ ଯୋଜନା ପରେ ଯୋଜନା କରି ବାହାବା ସାଉଁଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ଯେତେବେଳେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛନ୍ତି ସେତେବେଳେ ତଥାକଥିତ ସ୍ଥାନୀୟ ନେତା, ଜନତା ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରତିବନ୍ଧକ ହୋଇ ଛିଡା ହେବା କେତେଦୂର ଯୁକ୍ତିଯୁକ୍ତି ।