ବାଜେପେୟୀଙ୍କ ସହ ଖେଳିଥିବା ଖେଳ ମୋଦୀଙ୍କ ସହ ଖେଳିବେ କି ଚନ୍ଦ୍ରବାବୁ ନାଇଡୁ । ପଢନ୍ତୁ ୨୫ ବର୍ଷ ତଳେ ଟିଡିପି ପାଇଁ କେମିତି ଭାଙ୍ଗିଥିଲା ବିଜେପି ସରକାର

5,243

କନକ ବ୍ୟୁରୋ :ବିଜେପି ଓ ଏନଡିଏର ସହଯୋଗୀଦଳମାନେ ଆଜିର ବୈଠକରେ ଘୋଷଣା କରିଛନ୍ତି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ । ହେଲେ ନରେନ୍ଦ୍ର ମୋଦୀ ସେହିଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ ଯେଉଁଦିନ ପର୍ଯ୍ୟନ୍ତ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ଏନଡିର ସହଯୋଗୀ ଭାବେ ରହିବେ । ହେଲେ ଆରମ୍ଭରୁ ବିଜେପିକୁ ସମର୍ଥନ ଦେବା ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ସର୍ତ ରଖିଛନ୍ତି ଯେ ତାଙ୍କୁ ବାଚସ୍ପତି ପଦ ଦରକାର ।

ହେଲେ ଆଜି ଯେତେବେଳେ ଚନ୍ଦ୍ରବାବୁ ନାଇଡୁ ଲୋକସଭା ଅଧ୍ୟକ୍ଷ ପାଇଁ ଅଡି ବସିଛନ୍ତି, ସେଇଥିରୁ ମନେ ପଡୁଛି ୨୫ ବର୍ଷ ତଳେ ବାଜେପେୟୀଙ୍କ ସରକାର ଭାଙ୍ଗିବା କଥା । ଏହାକୁ ନଜର କରି ଭାବିବାକୁ ବାଧ୍ୟ କରୁଛି ଯେ, ୨୫ ବର୍ଷ ତଳେ ଟିଡିପି ଦ୍ୱାରା କିଭଳି ବାଜପେୟୀ ସରକାର ଭାଙ୍ଗିଯାଇଥିଲା ତାହା ବୋଧେ ବିଜେପି ନେତାମାନେ ଭୁଲି ଯାଇଛନ୍ତି । ଏବେ ଯଦି ଟିଡିପି ସେହି ଖେଳ ଖେଳିବ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବଡ ମହଙ୍ଗା ପଡିବ ।

ଲୋକସଭା ବାଚସ୍ପତି ପଦ ଟିଡିପିକୁ ଦେବା କାହିଁକି ବିପଦ, ତାହାର ଏକ ପୁରୁଣା ଇତିହାସ ରହିଛି । ୨୫ ବର୍ଷ ତଳେ ଦେଶରେ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାର ଚାଲିଥିଲା । ସେହି ଶାସନକାଳ ମଧ୍ୟରେ ବିରୋଧୀ ବାଜପେୟୀଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ । ଏଣୁ ବାଜପେୟୀ ସରକାର ସଂସଦରେ ୧୯୯୯ ଏପ୍ରିଲ ୧୭ ତାରିଖରେ ଏହି ପ୍ରସ୍ତାବ ଉପରେ ବହୁମତ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ବିଜେପିର ଚାଣକ୍ୟ କୁହାଯାଉଥିବା ପ୍ରମୋଦ ମହାଜନଙ୍କର ବିଶ୍ୱାସ ଥିଲା କି, ବାଜପେୟୀଙ୍କ ପାଖରେ ବହୁମତ ରହିଛି ଓ ସେ ସରକାର ବଂଚାଇବାରେ ସଫଳ ହେବେ । ସେତେବେଳେ ଏନଡିଏ ସରକାରରୁ ମାୟାବତୀ ଅଲଗା ହୋଇସାରିଥିଲେ । ଏହାସହ ବିଜେପି ପାଖରେ ବହୁମତ ମଧ୍ୟ ରହିଥିଲା । ହେଲେ ହଠାତ୍ ଲୋକସଭା ଅଧ୍ୟକ୍ଷ ଓଡିଶାର ସାଂସଦ ଗରିଧର ଗମାଙ୍ଗଙ୍କୁ ଭୋଟିଂ ଅଧିକାର ଦେଇଦେଇଥିଲେ ।

ଗରିଧର ଗମାଙ୍ଗ ଲୋକସଭାରେ ସାଂସଦ ଥିଲେ, ହେଲେ ଫେବୃଆରୀ ୧୭ ତାରିଖ ୧୯୯୯ ମସିହାରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ପଦରେ ଥିଲେ । ପ୍ରମୋଦ ମହାଜନଙ୍କ ଧାରଣା ଥିଲା କି, ଗିରିଧର ଗମାଙ୍ଗ ସାଂସଦ ପଦରୁ ଇସ୍ତଫା ଦେଇ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ହେଲେ କଂଗ୍ରେସ ମନେ ରଖିଥିଲା ଗିରିଧର ଗମାଙ୍ଗ ସାଂସଦ ପଦରୁ ଇସ୍ତଫା ଦେଇନାହାଁନ୍ତି । ହେଲେ ଯେତେବେଳେ ଗରିଧର ଗମାଙ୍ଗ ସଂସଦରେ ପହଂଚି ଭୋଟ ଦେବାକୁ ଯାଇଥିଲେ, ସେତେବେଳେ ବିଜେପି ସାଂସଦମାନେ ଗମାଙ୍ଗଙ୍କ ବିରୋଧରେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ସେତେବେଳେ ଲୋକସଭାରେ ଅଧ୍ୟକ୍ଷ ଥିବା ଟିଡିପି ସାଂସଦ ଜିଏମ ବାଲଯୋଗୀ ଗିରିଧର ଗମାଙ୍ଗଙ୍କୁ ଭୋଟ ଦେବାକୁ ଅନୁମତି ଦେଇଥିଲେ । ବାସ୍ ଗୋଟିଏ ଭୋଟ ପାଇଁ ବାଜପେୟୀଙ୍କ ସରକାର ଭାଙ୍ଗି ଯାଇଥିଲା । ଆଜିର ଦିନରେ ସେହିକଥା ମନେପକାଇଲେ, ଭବିଷ୍ୟତରେ ଟିଡିପି ପୁଣିଥରେ ମୋଦୀଙ୍କ ସହ ସେହି ଖେଳ ଖେଳିବ ନାହିଁ ତ !