ସଂସଦରେ ପହଞ୍ଚିନି କି ଓଡ଼ିଶା-ଆନ୍ଧ୍ର ବିବାଦ ପ୍ରସଙ୍ଗ? ସଂସଦରେ ୭ଟି ରାଜ୍ୟର ସୀମା ବିବାଦ ଉଲ୍ଲେଖ କଲେ କେନ୍ଦ୍ର ସରକାର, ହେଲେ ଭୁଲିଗଲେ କୋଟିଆ ପ୍ରସଙ୍ଗ ।

109

କନକ ବ୍ୟୁରୋ :  କୋଟିଆକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଚାଲିଥିବା ବିବାଦ ବାବଦରେ ଜାଣନ୍ତି ନାହିଁ କେନ୍ଦ୍ର ସରକାର । ଆନ୍ତଃରାଜ୍ୟ ସୀମା ବିବାଦକୁ ନେଇ ସଂସଦରେ ସରକାର ଉତ୍ତର ରଖିଥିବା ବେଳେ ତାଲିକାରେ ଓଡିଶା ନାହିଁ । ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ତେଜିଛି ।

କୋଟିଆ କଳହ, କାହାକୁ ଅଛପା ନାହିଁ । କେତେବେଳେ ଆନ୍ଧ୍ର ଆସି ଓଡ଼ିଶା ସୀମାରେ ନିର୍ବାଚନ କରୁଛି, ତ ଆଉ କେତେ ବେଳେ କୋଟିଆକୁ ନେଇ ନୂଆ କାହାଣୀ କହୁଛି ଆନ୍ଧ୍ର । କିନ୍ତୁ ବଡ଼ମ୍ବନା ଦେଖନ୍ତୁ- କେନ୍ଦ୍ର ସରକାରଙ୍କ ଆନ୍ତଃରାଜ୍ୟ ସୀମା ବିବାଦ ତାଲିକାରେ ଓଡ଼ିଶା-ଆନ୍ଧ୍ରର ନାଁ ହିଁ ନାହିଁ । ଯେଉଁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇପାରୁଛନ୍ତି, ସେହି ଦିଲ୍ଳୀରେ ଥିବା ସାଂସଦ ଯାଏଁ କେମିତି ପହଂଚିପାରୁନାହିଁ ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ପ୍ରସଙ୍ଗ? ଓଡିଶାର ଆନ୍ଧ୍ର ସହ ଥିବା ବିବାଦକୁ କାହିଁକି ତାଲିକାଭୁକ୍ତ କରିନାହାଁନ୍ତି କେନ୍ଦ୍ର ସରକାର ?

ଆସାମ-ମିଜୋରାମ ସୀମାରେ ଫୁଟିଥିବା ଏହି ଗୁଳିର ଶବ୍ଦ ଦେଶର ସଂସଦ ଯାଏଁ ପହଂଚିଛି । ସୀମା ବିବାଦ ଉଗ୍ର ରୂପ ନେବା ପରେ ଲୋକସଭାରେ ଗୃହମନ୍ତ୍ରାଳୟ ପକ୍ଷରୁ ସୀମା ବିବାଦକୁ ନେଇ ଉତ୍ତର ରଖାଯାଇଛି । ଏଥିରେ କୁହାଯାଇଛି- ଦେଶର ଏଭଳି ସାତଟି ବିବାଦ ରହିଛି । ହରିୟାଣା- ହିମାଚଳପ୍ରଦେଶ, ଲଦାଖ- ହିମାଚଳପ୍ରଦେଶ, ମହାରାଷ୍ଟ୍ର- କର୍ଣ୍ଣାଟକ, ଆସାମ-ଅରୁଣାଚଳପ୍ରଦେଶ, ଆସାମ-ନାଗାଲାଣ୍ଡ, ଆସାମ-ମେଘାଳୟ ଓ ଆସାମ-ମିଜୋରାମ । କିନ୍ତୁ ବର୍ଷ ବର୍ଷ ଧରି କୋଟିଆ ଉପରେ ଆନ୍ଧ୍ର ପ୍ରଶାସନ ମାଡ଼ି ଆସି ମନଇଚ୍ଛା କାର୍ଯ୍ୟକ୍ରମ କରୁଥିବା ବେଳେ ଏହି ତାଲିକାରେ ଓଡ଼ିଶା-ଆନ୍ଧ୍ରର ନା ବି ନାହିଁ ।

ରାଜନୀତିର ଏହି ଟଣାଓଟଣା ଭିତରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପୁଣି ଥରେ ସୁପ୍ରିମକୋର୍ଟ ଯିବ ମାମଲା । ଏନେଇ ଏକ ଡ୍ରାଫ୍ଟ ପ୍ରସ୍ତୁତ ହୋଇଥିବା ବେଳେ କୋଟିଆ ପ୍ରସଙ୍ଗକୁ ନେଇ ଓଡ଼ିଶା ଶୀଘ୍ର ସର୍ବୋଚ୍ଚ ନ୍ୟାୟଳୟର ଆଶ୍ରୟ ନେବ ବୋଲି ସୂଚନା ଦିଆଯାଇଛି । ଏହା ପୂର୍ବରୁ କୋଟିଆରେ ଆନ୍ଧ୍ର ନିର୍ବାଚନ କରିବାକୁ ବିରୋଧ କରି ଅଦାଲତ ଅବମାନନା ମାମଲା କରିଥିଲା ଓଡ଼ିଶା ।