ଟି-୨୦ ପରେ କୋହଲିଙ୍କ ହାତରୁ ଯିବ କି ଦିନିକିଆ ଅଧିନାୟକ ପଦ? ଚର୍ଚ୍ଚା ବଢିଲା, ବୋର୍ଡର ଘୋଷଣାକୁ ଅପେକ୍ଷା ।

114

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରୁ ଟିମ୍ ଇଣ୍ଡିଆ ବିଦା ହେବା ପରେ ଦଳରେ ବଡ ଧରଣର ପରିବର୍ତ୍ତନର ଆଭାସ ମିଳିଛି । ଟି-୨୦ ବିଶ୍ୱକପ ପରେ କୋହଲି ଏହି ଫର୍ମାଟରୁ ଅଧିନାୟକ ପଦ ଛାଡିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ରୋହିତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ତେବେ ଏସବୁ ଭିତରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଖୁବଶୀଘ୍ର କୋହଲିଙ୍କ ଦିନିକିଆ ଅଧିନାୟକତ୍ୱକୁ ନେଇ ବଡ ନିଷ୍ପତ୍ତି ନେଇପାରେ ବୋର୍ଡ । ଚର୍ଚ୍ଚା ଅନୁଯାୟୀ, ୨୦୨୩ ବିଶ୍ୱକପ ପୂର୍ବରୁ ଟି-୨୦ ଓ ଦିନିକିଆ ଫର୍ମାଟରେ ଏବେ ଜଣେ ଅଧିନାୟକ ଚାହୁଁଛି ବୋର୍ଡ । ତେଣୁ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାଁକୁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଦିନିକିଆ ଅଧିନାୟକ ଭାବେ କୋହଲିଙ୍କୁ ଆଉ ସୁଯୋଗ ଦେଇନପାରେ ବୋର୍ଡ । ତେବେ କୋହଲି ଟେଷ୍ଟ ଦଳର ଅଧିନାୟକ ରହିବେ । ତେବେ ଦିନିକିଆ ଅଧିନାୟକତ୍ୱକୁ ନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସଂକେତ ମିଳିନାହିଁ । କିନ୍ତୁ ୨୦୨୩ ବିଶ୍ୱକପ ପୂର୍ବରୁ ଧଳା ବଲ ମ୍ୟାଚ୍ ପାଇଁ ଜଣେ କ୍ୟାପଟେନଙ୍କୁ ଦାୟିତ୍ୱ ଦେଇପାରେ ବୋର୍ଡ । ଅନ୍ୟପଟେ ରୋହିତଙ୍କ ସହ ରାହୁଲଙ୍କୁ ମଧ୍ୟ ଟିମ୍ ଇଣ୍ଡିଆର ମଙ୍ଗ ସମ୍ଭାଳିବା ପାଇଁ ପ୍ରସ୍ତୁତ କରୁଛି ବିସିସିଆଇ । ଯେଉଁଥିପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ତାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଯେତେବେଳେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯିବ ସେତେବେଳେ ଦଳର ମଙ୍ଗ ସମ୍ଭାଳିବେ ରାହୁଲ । ତେବେ ସବୁଠୁ ବଡ କଥା ହେଉଛି, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଘୋଷଣା ହୋଇଥିବା ଟିମରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିନାହିଁ । ହାର୍ଦ୍ଦିକଙ୍କ ସ୍ଥାନରେ ଭେଙ୍କଟେଶ ଆୟରଙ୍କୁ ସୁଯୋଗ ଦିଆଯାଇଛି । ସେହିଭଳି ଋତୁରାଜ ଗାଏକ୍ୱାଡ ଓ ହର୍ଷଲ ପଟେଲଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇଛି ।

ଫିଟନେସ ନଥିବା କାରଣରୁ ହାର୍ଦ୍ଦିକଙ୍କୁ ଦଳରୁ ବାଦ୍ ଦିଆଯାଇଥିବା କୁହାଯାଉଛି । ଯାହା ହାର୍ଦ୍ଦିକଙ୍କ କ୍ୟାରିୟର ପାଇଁ ବଡ ଝଟକା ଲାଗିପାରେ । କାରଣ ଘୋଷଣା ହୋଇଥିବା ଦଳରୁ ହାର୍ଦ୍ଦିକଙ୍କ ସ୍ଥାନରେ ଯଦି କେହି ଭଲ ବ୍ୟାଟିଂ କରନ୍ତି ତେବେ ପୁଣିଥରେ ଟିମକୁ କମବ୍ୟାକ୍ କରିବା ହାର୍ଦ୍ଦିକଙ୍କ ପାଇଁ ସ୍ୱପ୍ନ ପାଲଟିପାରେ । କାରଣ ଟି-୨୦ ବିଶ୍ୱକପରେ ହାର୍ଦ୍ଦିକଙ୍କ ଠାରୁ ସେଭଳି ଇନିଂସ ଦେଖିବାକୁ ମିଳିନଥିଲା ଯାହା ଚୟନକର୍ତ୍ତାଙ୍କୂୁ ପ୍ରଭାବିତ କରିବ । ଏହାଛଡା ଅଲରାଉଣ୍ଡର ଭାବେ ଟିମରେ ଚୟନ ହୋଇଥିଲେ ମଧ୍ୟ ପାକିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବୋଲିଂ କରିନଥିଲେ । ଯାହା ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲା । ତେଣୁ ହାର୍ଦ୍ଦିକଙ୍କୁ ଟିମକୁ ଫେରିବାକୁ ହେଲେ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିବାକୁ ପଡିବ । ସେହିଭଳି ବିଶ୍ୱକପରେ ପ୍ରଭାବୀ ପ୍ରଦର୍ଶନ କରିପାରିନଥିବା ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ଆଉ ଏକ ସୁଯୋଗ ଦିଆଯାଇଛି । ଯେହେତୁ ଦଳରେ କୌଣସି ଅନୁଭବୀ ବୋଲର ନାହାନ୍ତି ତେଣୁ ଭୁବନେଶ୍ୱରଙ୍କୁ ବୋଲିଂ ମଙ୍ଗ ସମ୍ଭାଳିବାକୁ ସୁଯୋଗ ଦିଆଯାଇଛି । ହୁଏତ ଏହା ଭୁବନେଶ୍ୱରଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭୁବନେଶ୍ୱରକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ ନଚେତ ଦଳରୁ ଆଉଟ ହୋଇପାରନ୍ତି ଭୁବନେଶ୍ୱର । କାରଣ ଆଗକୁ ବିଶ୍ୱକପ ରହିଛି । ତେଣୁ ଏବେଠାରୁ ଦଳର ବୋଲିଂ ବାହିନୀକୁ ଶକ୍ତିଶାଳୀ କରିବାକୁ ଚାହୁଁଛି ବୋର୍ଡ ।