କନକ ବ୍ୟୁରୋ: କଥା କୁହାଯାଏ, ଯେଉଁମାନେ ଇତିହାସ ଭୁଲି ଯାଆନ୍ତି । ସେମାନଙ୍କୁ ଭିବଷ୍ୟତ କ୍ଷମା ଦିଏ ନାହିଁ । ଯଦିଓ ଏହି କଥାରେ ସତ୍ୟତା କେତେ କାହାରିକୁ ଜଣାନାହିଁ । ତଥାପି ଇତିହାସକୁ ନେଇ ରାଜନୀତି ହୁଏ । ଦୀର୍ଘ ଦିନର ବିରତୀ ପରେ ପୁଣି ଥରେ ଇତିହାସକୁ ନେଇ ପୁଣି ଥରେ ସଂସଦରେ ମୁହାଁମୁହିଁ ହୋଇଥିଲେ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ।

Advertisment

ଶାସକ ବିଜେପି ଦଳ ଓ ମୋଦି ସରକାର, ଗୋଟିଏ ପରେ ଗୋଟିଏ ସହରର ନାଁ ପରିବର୍ତନ କରିବା ଭିତରେ ବିରୋଧୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି, ଇତିହାସର ପୁର୍ନରଲିଖନ୍ କରିବାକୁ ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ସଂସଦରେ, ସାଂସଦ ଶ୍ରୀ ସୁବାରାୟନ୍. କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କଠାରୁ ଜାଣିବାକୁ ଚାହିଁଥିଲେ-ଇତିହାସର ପୁନର୍ଲିଖନ କରୁଛନ୍ତି କି ସରକାର? ଇଣ୍ଡିଆନ କାଉନ୍ସିଲ ଅଫ ହିଷ୍ଟୋରିକ ରିସର୍ଚ୍ଚ, ନୂଆ ଇତିହାସ ଲେଖିବା ପାଇଁ କାମ ଆରମ୍ଭ କରିଛି କି? ଏହି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ଇତିହାସର ପୁନଃଲିଖନର ଆବଶ୍ୟକତା ନାହିଁ । କିନ୍ତୁ ଇତିହାସ ବ୍ୟାପକ ହେବା ଜରୁରୀ ।

ଏପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଖାଇଲା କରିଥିଲେ କଂଗ୍ରେସ ସାଂସଦ ମନିଷ ତିୱାରୀ । ସେ ଅଭିଯୋଗ କରି କହିଥିଲେ-
-ଯଦି ଆଇସିଏଚଆର ନୂଆ ଇତିହାସ ଲେଖୁନି, ତେବେ କ’ଣ କରୁଛି ସ୍ପଷ୍ଟ ହେବା ଦରକାର?
-ଆଇସିଏଚଆର କାମ ଏବଂ କେନ୍ଦ୍ର ସରକାରଙ୍କ କଥା ଭିତରେ କାହିଁକି ଏତେ ତଫାତ ରହୁଛି?

ଏହି ପ୍ରଶ୍ନବାଣ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି- ମଗୋଲ ଇତିହାସକୁ ଲିଭାଇ ଦେବାର କୌଣସି ଉଦ୍ୟମ ହେଉନାହିଁ । ସେହିପରି ସହରର ନାଁ ପରିବର୍ତନ ସମ୍ପର୍କରେ କହିଛନ୍ତି- ପୂର୍ବରୁ ଥିବା ନାଁକୁ କେବଳ ପୁର୍ନରସ୍ଥାପିତ କରାଯାଇଛି ।

ଇତିହାସକୁ ନେଇ ଶାସକ ଓ ବିରୋଧୀ ଦଳର ମୁହାଁମୁହିଁ ଭିତରେ ଦେଶରେ ଏଭଳି କିଛି ଘଟଣାକ୍ରମ ରହିଛି, ଯାହା ଇତିହାସ ପୃଷ୍ଠାରେ ଉଚିତ ସ୍ଥାନ ପାଇନାହିଁ । ଆଲୁରି ସୀତାରାମ ରାଜୁରୀଙ୍କ ସଂଗ୍ରାମ, ବକ୍ସି ଜଗବନ୍ଧୁଙ୍କ ବିପ୍ଳବ ଏବଂ ସିପାହୀ ବିଦ୍ରୋହ ବୋଲି ଶହ ଶହ ଘଟଣା ଏବେ ବି ଦେଶକୁ ଅଜଣା ରହିଛି । ଯଦିଓ ଇତିହାସ ଓ ରାଜନୀତି ଦୁଇଟି ପୃଥକ୍ ପୃଥକ୍ ବିଷୟ । କିନ୍ତୁ ଭାରତରେ ଇତିହାସକୁ ନେଇ ରାଜନୀତି ହେବା ନୂଆ ନୁହେଁ ।