ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା ପାଇଁ ଡାକିଲେ କଣ ଅସ୍ୱୀକାର କରିବି : ପ୍ରସନ୍ନ ପାଟ୍ଟଶାଣୀ

190

କନକ ବ୍ୟୁରୋ : ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା  । କନକ ନ୍ୟୁଜର କାର୍ଯ୍ୟକ୍ରମରେ ଭାଗ ନେଇ ପାଟ୍ଟଶାଣୀ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଆଲୋଚନା ପାଇଁ ଡାକିବେ,  ସେ କ’ଣ ଅସ୍ୱୀକାର କରିବେ ? ସେ କହିଛନ୍ତି, ଉଭୟ ମୋଦୀ ଓ ନବୀନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି  । ନବୀନ ପଟ୍ଟନାୟକ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଶା ପାଇଁ ଯାହା କରିଛନ୍ତି ତାହା ଅତୁଳନୀୟ । ତେବେ ସେ ଏବେ ଦଳ ପରିବର୍ତନ କରୁ ନାହାନ୍ତି ଓ ବିଜେପି ଯିବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ପାଟ୍ଟଶାଣୀ  ।

ନିକଟରେ ପାଟ୍ଟଶାଣୀଙ୍କୁ ମୋଦୀ ସରକାରଙ୍କ ପକ୍ଷରୁୁ କୌଣସି ରାଜ୍ୟର ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯିବା ନେଇ ସମ୍ଭାବନା ଥିବା ଚର୍ଚ୍ଚା ହୋଇଥିଲା  । କାରଣ ୨୦୧୯ ନିର୍ବାଚନ ପରଠାରୁ ଲଗାତାର ଭାବେ ବିଜେଡିରେ କୋଣଠେସା ହୋଇ ରହିଛନ୍ତି ପ୍ରସନ୍ନ । ଏପରିକି ରାଜ୍ୟସଭା ସାଂସଦ ହେବାକୁ ମନ ବଳାଇଥିଲେ ମଧ୍ୟ ଦଳ ପକ୍ଷରୁ ତାଙ୍କୁ ସେଭଳି ସୁଯୋଗ ଦିଆଯାଇନାହିଁ । ଯେଉଁଥିପାଇଁ ଦୀର୍ଘ ଦିନ ହେବ ଦଳ ଉପରେ ପାଟ୍ଟଶାଣୀ ଅସନ୍ତୁଷ୍ଟ ଥିବା କୁହାଯାଉଛି । ଏହାଛଡା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ପାଟ୍ଟଶାଣୀଙ୍କୁ ଆଉ ଆଗଭଳି ସେତେଟା ଦେଖିବାକୁ ମିଳୁନାହିଁ । ସମୟ ବିତିବା ସହ ପାଟ୍ଟଶାଣୀଙ୍କ ରାଜନୀତି କ୍ୟାରିୟର ମଧ୍ୟ ଅନ୍ଧାର ଭିତରକୁ ଠେଲି ହେବା ଆରମ୍ଭ କରିଛି । ଆଉ ନିଜ ରାଜନୈତିକ କ୍ୟାରିୟରକୁ ବଞ୍ଚାଇବା ପାଇଁ ପାଟ୍ଟଶାଣୀ ବିଜେପି ମୁହାଁ ହେଉଥିବା ଚର୍ଚ୍ଚା ହେଉଛି ।

ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ପ୍ରଥମରୁ ହିଁ ବିଜେଡି ରାଜନୀତି ସହ ଜଡିତ ଅଛନ୍ତି । ଅନେକବାର ସାଂସଦ ଓ ବିଧାୟକ ହୋଇଥିବା ପାଟ୍ଟଶାଣୀଙ୍କୁ ୨୦୧୯ ନିର୍ବାଚନରେ ଦଳ ଟିକେଟ ଦେଇନଥିଲା । ସେତେବେଳେ ତାଙ୍କୁ ରାଜ୍ୟସଭା ଲଡୁ ଦିଆଯିବା ନେଇ କାଳେ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ଏହା ଭିତରେ ବିଜେଡି ଅନ୍ୟ ନେତାଙ୍କୁ ରାଜ୍ୟସଭା ପଠାଇଥିଲେ ମଧ୍ୟ ପାଟ୍ଟଶାଣୀ ନିଜ ପାଳି କେବେ ଆସିବ ତାହାକୁ ଅପେକ୍ଷା କରି ରହିଛନ୍ତି ।