ଲୋକସଭା ଭଳି ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବ କି ବିଜେଡି? ମହିଳା ସଂରକ୍ଷଣ ଆଇନ ଆସିବା ପରେ ଦଳ ପ୍ରାର୍ଥୀ ଖୋଜୁଥିବା ଚର୍ଚ୍ଚା

171

କନକ ବ୍ୟୁରୋ: ଲୋକସଭା ପରେ ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ କି ବିଜେଡି । ମହିଳା ସଂରକ୍ଷଣ ବିଲ ଆଇନରେ ପରିଣତ ହେବା ପରେ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଖୋଜୁଥିବା ଚର୍ଚ୍ଚା ହେଉଛି । ବିଜେଡିର ବିଧାୟିକା ନଥିବା ୧୦ଟି ସଂସଦୀୟ କ୍ଷେତ୍ର ଉପରେ ଫୋକସ କରିଛି ଦଳ ।

ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ ଆଇନରେ ପରିଣତ ହୋଇସାରିଛି । କିନ୍ତୁ କେବେ କାର୍ଯ୍ୟକାରୀ ହେବ ତାକୁ ନେଇ ଅନେକ ପ୍ରଶ୍ନ ଓ ବିତର୍କ ଚାଲିଛି । ମହିଳା ସଂରକ୍ଷଣକୁ ନେଇ ବିଜେଡି ସବୁବେଳେ ଫ୍ରଟଫୁଟରେ ରହିଆସିଛି ଓ ମାଇଲେଜ ନେବାକୁ ମଧ୍ୟ ଉଦ୍ୟମ କରିଛି । କିନ୍ତୁ ବଡ କଥା ହେଉଛି ଆଗାମୀ ନିର୍ବାଚନରେ ବିଧାନସଭା କ୍ଷେତ୍ରରେ ବିଜେଡି ୩୩ ପ୍ରତିଶତ ଅର୍ଥାତ ୧୪୭ରୁ ୪୯ଟି ଆସନରେ ଲଢିବା ପାଇଁ ସଜବାଜ ହେଉଛି । ଏପରିକି ପ୍ରାର୍ଥୀ ଖୋଜିବା ପ୍ରକ୍ରିୟା ବି ଆରମ୍ଭ ହୋଇସାରିଛି । ୨୧ଞ୍ଚ ୨ ଫର୍ମୁଲାରେ ଦଳ ମହିଳା ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଆର୍ଥାତ ପ୍ରତି ସଂସଦୀୟ କ୍ଷେତ୍ରର ଅନ୍ୟୁନ ୨ଟି ବିଧାନସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବିଜେଡି ।

ବିଜେଡି ଖୋଜୁଛି ମହିଳା ପ୍ରାର୍ଥୀ
-କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର , କଳାହାଣ୍ଡି, ନବରଙ୍ଗପୁର, ଭୁବନେଶ୍ୱର, କନ୍ଧମାଳ, ପୁରୀ, ମୟୁରଭଂଜ ସଂସଦୀୟ କ୍ଷେତ୍ର ଉପରେ ସ୍ୱତନ୍ତ୍ର ଫୋକସ । କାରଣ ଏହି ସଂସଦୀୟ କ୍ଷେତ୍ରରେ ବିଜେଡିର ଜଣେ ହେଲେ ବି ମହିଳା ବିଧାୟିକା ନାହାନ୍ତି । ତେଣୁ ଏହି ସବୁ ଆସନ ପାଇଁ ଏବେଠାରୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କଲାଣି ଶାସକ ଦଳ ।

୨୦୧୯ରେ ୨୧ଟି ବିଧାନସଭା ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା ବିଜେଡି । ସେଥିରୁ ୧୨ ଜଣ ବିଜୟୀ ହୋଇ ବିଧାନସଭାକୁ ଆସିଥିଲେ । ଆଉ ୮ଟି ଉପନିର୍ବାଚନରୁ ୫ଟି ଆସନରେ ବିଜେଡି ମହିଳା ପ୍ରାର୍ଥୀ ଦେଇଥିଲା । ବିଜେପୁର, ଝାରୁସୁଗୁଡା, ବ୍ରଜରାଜନଗର ଓ ପଦ୍ମପୁରରେ ବାଜିମାତ କରିଥିଲା ଦଳ । ଧାମନଗରର ମହିଳା ପ୍ରାର୍ଥୀ ଦେଇଥିଲେ ବି ହାରିଥିଲା ବିଜେଡି । ୨୧ ଲୋକସଭା ଆସନରୁ ୭ଟି ଆସନରେ ବିଜେଡି ମହିଳା ପ୍ରାର୍ଥୀ ଦେଇଥିଲା । ଆଉ ନିର୍ବାଚିତ ହୋଇଥିଲେ ୫ ମହିଳା ସାସଂଦ ।

୪୯ଟି ବିଧାନସଭା ଆସନରେ ମହିଳା ପ୍ରାର୍ଥୀ କରିବା ବିଜେଡି ପାଇଁ ଏକ ବଡ ଚ୍ୟାଲେଞ୍ଜ ଓ ଆହ୍ୱାନ ସୃଷ୍ଟି କରିପାରେ । କାରଣ , ମହିଳା ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ହେଲେ ଅନେକ ହେଭିୱେଟ ଓ ପୁରୁଖା ନେତାଙ୍କ ଟିକେଟ କାଟିବାକୁ ପଡିବ । ତେଣୁ ଭାବିଚିନ୍ତି ଗୋଟିଚାଳନା କରିପାରନ୍ତି ବିଜେଡି ସୁପ୍ରିମୋ ।