ସୁବର୍ଣ୍ଣପୁର : ସ୍ଥାୟୀ ନେତୃତ୍ୱର ଅଭାବ ବିରୋଧୀଙ୍କୁ କାଳ, କ୍ୟାବିନେଟ ମନ୍ତ୍ରୀ ବିଜେଡିର ବଳ ।

179

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନର ଉଷ୍ମତା ସୁବର୍ଣ୍ଣପୁରରେ ମଧ୍ୟ କିଛି କମ ନୁହେଁ । ଚଳିତ ୨୦୨୨ ପଞ୍ଚାୟତ ନିର୍ବାଚନର ଫଳାଫଳ ଏଠାରେ କଣ ହେବ ତାହାର ଅନ୍ଦାଜ ଲଗାଇବା ସହଜ ନୁହେଁ । କାରଣ ୨୦୧୭ରେ ଯେଉଁଭଳି ଅପ୍ରତ୍ୟାଶିତ ଫଳାଫଳ ଦେଖିବାକୁ ମିଳିଥିଲା ତାହା ସୁବର୍ଣ୍ଣପୁରର ରାଜନୀତିକୁ ଚଳିତଥର ନୂଆ ମୋଡରେ ଛିଡା କରିଛି । କାରଣ ଗତ ନିର୍ବାଚନରେ ସୁବର୍ଣ୍ଣପୁରରେ କେବଳ ପଦ୍ମ ଫୁଟିନଥିଲା ବରଂ ବିଜେଡିକୁ ବଡ ଝଟକା ମଧ୍ୟ ଲାଗିଥିଲା । ବିଜେଡି  ୪ ବ୍ଲକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇଥିଲେ ମଧ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହରାଇଥିଲା । ଜିଲ୍ଲା ପରିଷଦ ଆସନ ଗୁଡିକ ଦଳୀୟ ଚିହ୍ନରେ ଲଢାଯାଉଥିବାରୁ ସୁବର୍ଣ୍ଣପୁରରେ ବିଜେପିକୁ ମିଳିଥିବା ସଫଳତା ବିଜେଡିକୁ ବ୍ୟାକଫୁଟକୁ ଠେଲି ଦେଇଥିଲା ।  କିନ୍ତୁ ଚଳିତଥର ସ୍ଥିତିରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହା ବିଜେଡିକୁ ବେଶ ସୁହାଇବ ବୋଲି କୁହାଯାଉଛି ।

ଗତ ୨୦୧୨ ନିର୍ବାଚନରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତେଇଥିଲା । କିନ୍ତୁ ୨୦୧୭ର ଫଳାଫଳ ବିଜେଡି ପାଇଁ ଅପ୍ରତ୍ୟାଶିତ ଥିଲା । କାରଣ ଦଳ ୧୩ଟି ଜିଲ୍ଲା ପରିଷଦ ଜୋନରୁ ମାତ୍ର ୨ଟି ଦଖଲ କରିବାକୁ ସକ୍ଷମ ହୋଇଥିଲା । ଆଉ ବିଜେପି ଖାତାକୁ ଯାଇଥିଲା ୧୧ ଆସନ । ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଝଟକା ଦଳକୁ ଲାଗିଥିଲା ତାହାର ଭରଣା ୨୦୧୯ ନିର୍ବାଚନରେ କରିଥିଲା ବିଜେଡି । ଆଉ ଏହା ପରଠାରୁ ପଛକୁ ଫେରି ଚାହିଁନାହିଁ ଶାସକ ଦଳ । ଜିଲ୍ଲାର ଦୁଇ ବିଜେଡି ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ସହ କ୍ୟାବିନେଟ ପାହ୍ୟା ଭେଟି ଦେଇଥିଲେ ଶାସକ ଦଳ । ଆଉ ଏହି ରଣନୀତି ହିଁ ସୁବର୍ଣ୍ଣପୁରରେ ବିଜେଡିର ସୁବର୍ଣ୍ଣ ଯୁଗ ଆଣିବାକୁ ଯଥେଷ୍ଟ ବୋଲି ଚର୍ଚ୍ଚା ହେଉଛି । ଦଳ ଭିତରେ ସେଭଳି ଗୋଷ୍ଠୀ କନ୍ଦଳ ନଥିବା ବେଳେ ଦୁଇ ବରିଷ୍ଠ ନେତାଙ୍କ ଗୋଟିଚାଳନାରେ ବିରୋଧୀଙ୍କୁ ଧରାଶାୟୀ କରିବାକୁ ବିଜେଡି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏହାଛଡା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଭୋଟରଙ୍କ ପାଖରେ ପହଞ୍ଚାଇ ପଞ୍ଚାୟତ ଲଢେଇରେ ଦୁଇ ପାଦ ଆଗରେ ରହିଛି ବିଜେଡି ।

ଅନ୍ୟପଟେ ଗତ ନିର୍ବାଚନରେ ସୁବର୍ଣ୍ଣପୁରରେ ଅପ୍ରତ୍ୟାଶିତ ସଫଳତା ପାଇଥିବା ବିଜେପି ଚଳିତ ନିର୍ବାଚନରେ ସେତେଟା ସଫଳ ହେବନି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ରଖିଛନ୍ତି । ଗତ ନିର୍ବାଚନରେ ବିଜେପି ଏଠାରେ ୧୧ ଜିଲ୍ଲା ପରିଷଦ ଆସନ ହାତେଇବା ସହ ଅଧ୍ୟକ୍ଷ ପଦ ଅକ୍ତିଆର କରିଥିଲା । କିନ୍ତୁ ଏଥର ତାହାର ପୁନରାବୃତ୍ତି ଦେଖିବା ସମ୍ଭାବନା କ୍ଷୀଣ ।  ଦଳରେ ସ୍ଥାୟୀ ନେତୃତ୍ୱଙ୍କ ଅଭାବ ଏହା ପଛର ସବୁଠୁ ବଡ କାରଣ ବୋଲି କୁହାଯାଉଛି । ବିଜେଡିକୁ ଚ୍ୟାଲେଞ୍ଜ କରିବା ଭଳି ଚେହେରା ବିଜେପି ଶିବିରରେ ନରହିବା ଦଳକୁ ବ୍ୟାକଫୁଟକୁ ଠେଲି ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ସାଂସଦ ସଙ୍ଗୀତା ସିଂହଦେଓଙ୍କର ପ୍ରଭାବ କିଛି ମାତ୍ରାରେ ଏଠାରେ ରହିଥିଲେ ମଧ୍ୟ ଚଳିତ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀରରେ ତାଙ୍କର ଅଧିକ ଫୋକସ ରହିଛି । ଆଉ ଏହାର ଫାଇଦା ସିଧାସଳଖ ଶାସକ ବିଜେଡିକୁ ମିଳିପାରେ ବୋଲି କୁହାଯାଉଛି । ଗତଥର ପର୍ଯ୍ୟାୟକ୍ରମେ ନିର୍ବାଚନ ଫଳାଫଳ ଘୋଷଣା ହେବା ମଧ୍ୟ ସୁବର୍ଣ୍ଣପୁରରେ ବିଜେପି ପାଇଁ ସୁଯୋଗ ସୃଷ୍ଟି କରିଥିଲା ।  ଯେହେତୁ ପାଖ ଜିଲ୍ଲାରେ ବିଜେପି ଭଲ ପ୍ରଦର୍ଶନ କରିଥିଲା ତେଣୁ ଏହାର ପ୍ରଭାବ ସୁବର୍ଣ୍ଣପୁର ଉପରେ ମଧ୍ୟ ପଡିଥିଲା । କିନ୍ତୁ ଏଥର ଏକାସହ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ବିଜେପି ପାଇଁ ଆଉ ସେହିଭଳି ହାୱା ସୃଷ୍ଟି କରିବାରେ ସହାୟକ ହେବନି ବୋଲି କୁହାଯାଉଛି ।  କିନ୍ତୁ ଦଳ ଭିତରେ ଅନ୍ତଃକନ୍ଦଳ ନରହିବା କିଛି ମାତ୍ରାରେ ବିଜେପିକୁ ଆଶ୍ୱସ୍ତି ଆଣି ଦେଇଛି ।

ବିଜେପି ଭଳି କଂଗ୍ରେସ ମଧ୍ୟ ସମଦଶା ଭୋଗୁଛି । କଂଗ୍ରେସରେ କୌଣସି ସ୍ଥାୟୀ ନେତୃତ୍ୱ ନ ରହିବା ସୁବର୍ଣ୍ଣପୁରରେ ହାତକୁ ଦୁର୍ବଳ କରିଚାଲିଛି । ତୃଣମୂଳସ୍ତରରେ ଦଳର ପାରମ୍ପରିକ ଭୋଟ ରହିଛି ସତ କିନ୍ତୁ ନେତୃତ୍ୱର ଅଭାବ ଏହି ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିପାରନି । ଯାହାର ଫାଇଦା ବିଜେଡି-ବିଜେପିକୁ ମିଳୁଛି । ଏହାସତ୍ତେ୍ୱ ମଧ୍ୟ ଦଳ ଏଥର ରାଜ୍ୟ ଓ  କେନ୍ଦ୍ର ସରକାରଙ୍କ ବିଫଳତା ଭୋଟରଙ୍କ ପାଖରେ ପହଞ୍ଚାଇ ଭରସା ଜିତିବାକୁ ଉଦ୍ୟମ କରୁଛି । ତେବେ ପ୍ରଚାରରେ କଟକଣା ଲାଗିବା କଂଗ୍ରେସର ଏହି ଅଭିଯାନକୁ କିଛି ମାତ୍ରାରେ ପ୍ରଭାବିତ କରିଛି । ତଥାପି ଯୁବଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବାକୁ ଯୁବ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ଏସବୁ ଭିତରେ ଭୋଟର କାହାକୁ ବିଶ୍ୱାସ ଓ ଭରସା କରିବେ ତାହା ଉପରେ ସମସ୍ତଙ୍କର ନଜର ରହିବ ।