ପଶ୍ଚିମରୁ ବହିଲା ପରିବାରବାଦ ରାଜନୀତିର ପବନ? ଉପକୂଳରେ ହେବ କି ଅନୁଭୂତ, ପରିବାର ସଦସ୍ୟଙ୍କ ପାଇଁ ଲବି କରୁଛନ୍ତି ବିଜେଡିର ହେଭିୱେଟ ?

129

କନକ ବ୍ୟୁରୋ : ପ୍ରଥମ ଦୁଇଟି ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ବିଜେଡିକୁ ଯେତିକି କସରତ ବା ଅଙ୍କ କଷିବାକୁ ପଡିଥିଲା ତାହାଠାରୁ ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ଅଧିକ ଚ୍ୟାଲେଞ୍ଜମୟ ହେବ । ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ ଉପକୂଳ ଓ ଉତ୍ତର ଓଡିଶାର ଆସନ ରହୁଥିବାରୁ ବିଜେଡି ପାଇଁ ପ୍ରାର୍ଥୀ ଚୟନ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଖାସକରି ପଶ୍ଚିମ ଓଡିଶାରେ ଯେଉଁଭଳି ପରିବାରବାଦ ରାଜନୀତିର ଝଲକ ଦେଖିବାକୁ ମିଳିଛି ତାହା ଉପକୂଳ ଓଡିଶାରେ ଦଳ ପାଇଁ ଅଡୁଆ ସୃଷ୍ଟି କରିବ ।

ବଲାଙ୍ଗୀର ଲୋକସଭା ଓ ବିଧାନସଭା ଆସନରେ ରାଜପରିବାରର ଦୁଇ ଭାଇ କଳିକେଶ ଓ ଅର୍କେଶଙ୍କୁ ବିଜେଡି ଟିକେଟ ଦେବା ପରେ ପରିବାରବାଦ ରାଜନୀତିକୁ ନେଇ ବିଜେଡି ଅଳିନ୍ଦରେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଏହାର ପ୍ରଭାବ ଉପକୂଳ ଓଡିଶା ଅଧିନରେ ଆସୁଥିବା ଆସନ ଗୁଡିକ ଉପରେ ଅଧିକ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଉପକୂଳ ଓଡିଶାର ଅଧିକାଂଶ ନେତା ନିଜ ପରିବାରବର୍ଗଙ୍କୁ ଥଇଥାନ କରିବାକୁ ଦୀର୍ଘ ଦିନ ହେବ ପ୍ରୟାସ ଚଳାଇଛନ୍ତି । ତେଣୁ ପଶ୍ଚିମ ଓଡିଶାର ଫର୍ମୁଲାକୁ ଉପକୂଳ ଓଡିଶାରେ ମଧ୍ୟ ଲାଗୁ କରିବାକୁ ବିଜେଡି ସୁପ୍ରିମୋଙ୍କ ଉପରେ ଚାପ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି ।

ଖାସକରି ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ଆସନ ଗୁଡିକରେ ପରିବାରବାଦ ରାଜନୀତିର ଝଲକ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଉପକୂଳ ଓଡିଶାରେ ପରିବାରବାଦ ରାଜନୀତିକୁ ନବୀନ ଗ୍ରୀନ୍ ସିଗନାଲ ଦିଅନ୍ତି ତେବେ ଯାଜପୁର, କେନ୍ଦ୍ରାପଡା ଓ ବାଲେଶ୍ୱର ଭଳି ଜିଲ୍ଲାରେ ନେତାଙ୍କ ପରିବାରବର୍ଗ କିମ୍ବା ସର୍ମ୍ପକୀୟଙ୍କୁ ନିର୍ବାଚନ ମୈଦାନରେ ଦେଖିବାକୁ ମିଳିପାରେ । କିନ୍ତୁ ଏଭଳି ଷ୍ଟ୍ରାଟେଜି ବିଜେଡି ପାଇଁ ଘାତକ ମଧ୍ୟ ସାବ୍ୟସ୍ତ ହୋଇପାରେ । କାରଣ ପରିବାରବାଦ ରାଜନୀତି ଦଳ ଭିତରେ ଅସନ୍ତୋଷର ମଞ୍ଜି ବୁଣିବା ସହ ଦଳ ପାଇଁ ବୁମେରାଂ ମଧ୍ୟ ହୋଇପାରେ । ଏହାଛଡା ଗୋଟିଏ ପଟେ ଲୋଇସିଂହାରୁ ଯୋଗେନ୍ଦ୍ର ବେହେରାଙ୍କ ଟିକେଟ କାଟିବା ପରେ ମଧ୍ୟ ତାଙ୍କ ପରିବାରବର୍ଗରୁ କାହାକୁ ନବୀନ ଟିକେଟ ଦେଇନଥିବା ବେଳେ ବଲାଙ୍ଗୀର ରାଜପରିବାରର ଦୁଇ ଭାଇଙ୍କୁ ଟିକେଟ ଦେଇ ପରିବାରବାଦ ରାଜନୀତିକୁ ବାଟ କଢାଇ ନେଇଥିଲେ । ଆଉ ଏଭଳି ସ୍ଥିତିରେ ଉପକୂଳ ଓଡିଶାର ପ୍ରଭାବଶାଳୀ ନେତାଙ୍କ ପରିବାରବର୍ଗଙ୍କୁ ନବୀନ ଟିକେଟ ଦେବେ ନା ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିବ ।