ନବୀନ କଷ୍ଟ ଦେଲେ, ବୈଜୟନ୍ତ ମଲମ ଲଗାଇଲେ ! ଦାମ-ବୈଜୟନ୍ତ ଭେଟଘାଟକୁ ନେଇ ଜୋର ଧରିଲା ଚର୍ଚ୍ଚା, ରାଜ୍ୟରେ ଗଠନ ହେବ କି ଆଉ ଏକ ଆଞ୍ଚଳିକ ଦଳ ?

27

କନକ ବ୍ୟୁରୋ : ରାତିରେ ବିଜେଡିରୁ ବହିଷ୍କୃତ ହେଲେ ଡାକ୍ତର ଦାମୋଦର ରାଉତ ଆଉ ସକାଳୁ ଘରେ ପହଂଚିଥିଲେ ବୈଜୟନ୍ତ ପଣ୍ଡା । ରାଜନୈତିକ ସମୀକରଣର ଚର୍ଚ୍ଚାକୁ ଖୋରାକ ମିଳିଲା, ଯେତେବେଳେ ପଦକ୍ଷେପକୁ ବିରୋଧ କରି ବୟାନ ରଖିଲେ ବୈଜୟନ୍ତ । ପ୍ରତିକ୍ରିୟା ସ୍ୱାଭାବିକ, ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଦୁଇ ନେତା ଏକାଠି ହୋଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ନୂଆ ସମ୍ଭାବନା ଆଉ ସମୀକରଣକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି ।

ଦାମ-ବୈଜୟନ୍ତ ଭେଟଘାଟ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ କି? ବିଜୁଙ୍କ ନାଁରେ ଏକାଠି ହେବେ କି ନବୀନ ବିରୋଧୀ? ଅସନ୍ତୁଷ୍ଟ ନେତାଙ୍କର ଏହି ଗୋଷ୍ଠୀ ଏକାଠି ହେଲେ ୨୦୧୯ରେ ରାଜ୍ୟ ରାଜନୀତି କଡ ଲେଉଟାଇବ କି? ଜବାବ ବେଶ ସ୍ପଷ୍ଟ ଭାବେ ରଖିଛନ୍ତି ବିଜେଡି ମୁଖିଆ । ନବୀନ କହିଛନ୍ତି କେହି ରାଜନୈତିକ ଦଳ ଗଢିବାରେ ମନା ନାହିଁ, ହେଲେ ଏହାର କୈାଣସି ପ୍ରଭାବ ପଡିବ ନାହିଁ ।

ବୈଜୟନ୍ତ ପଣ୍ଡା, ପୂର୍ବତନ ବିଜେଡି ସାଂସଦ । ଦାମୋଦର ରାଉତ, ବିଜେଡିରୁ ବହିଷ୍କୃତ ନେତା । ବିଜୟ ମହାପାତ୍ର, ବରିଷ୍ଠ ବିଜେପି ନେତା । ଦିଲ୍ଲୀପ ରାୟ, ବିଜେପି ବିଧାୟକ । ବିଜୟ ଓ ଦିଲ୍ଲୀପ ବିଜେପି ରାଜନୀତିରେ ଅଲୋଡା ହେଉଥିବା ବେଳେ ଦାମ ଓ ବୈଜୟନ୍ତ ବିଜେଡିରୁ ବାଦ ପଡିବା ପରେ ନିଜ ଭବିଷ୍ୟତକୁ ନେଇ ଅଙ୍କ କଷୁଛନ୍ତି । ତେଣୁ ଏହି ବିଜୁ ଅନୁଗାମୀ ମାନଙ୍କୁ ନେଇ ଏକ ନୂଆ ରାଜନୈତିକ ସାମୁଖ୍ୟର ଚର୍ଚ୍ଚା ଆରମ୍ଭ ହୋଇଛି ।

କିନ୍ତୁ ଅତୀତରେ ଆଉ ଏକ ଆଂଚଳିକ ଦଳ ରାଜ୍ୟରେ ପ୍ରଭାବୀ ହୋଇପାରି ନାହିଁ । ୨୦୦୦ ମସିହାରୁ ବିଜେଡି କ୍ଷମତାରେ ଅଛି, ଆଉ ଲଗାତର ଚାରି ଥର ସରକାରରେ ରହି ରେକର୍ଡ କରିଛି । ନୂଆ ରାଜନୈତିକ ଦଳ ହିଁ, ଏକ ମାଧ୍ୟମ । ବିଜେପି କିମ୍ବା କଂଗ୍ରେସକୁ ଯିବାକୁ ଦାମ ସଫା ସଫା ମନା କରିଥିବା ବେଳେ ବିଜୟ ଓ ଦିଲ୍ଲୀପ ବିଜେପି ଭିତରେ ଅଣନିଶ୍ୱାସୀ ହେଲେଣି । ତେବେ କଂଗ୍ରେସ ରାଜନୀତି ଏମାନଙ୍କୁ ନେଇ ଗତିଶୀଳ ହେବ ନା ନୂଆ ରାଜନୈତିକ ଦଳ ପ୍ରଭାବ ବିସ୍ତାର କରିବ, ତାକୁ ନେଇ କଳ୍ପନା ଜଳ୍ପନା ହେଉଛି ।