ଗର୍ଭଗୃହର ଲେଜର ସ୍କାନିଂ ହେବନାହିଁ : ଅନ୍ୟ ସ୍ଥାନର ହେବ ଲେଜର ସ୍କାନିଂ; ରୁପାଦ୍ବାର ସଂଯୋଗ ପାଇଁ ଖୁବ୍‌ଶୀଘ୍ର ଅନୁମତି

58

କନକ ବ୍ୟୁରୋ : ଚଳିତବର୍ଷ ହେବନି ଶ୍ରୀମନ୍ଦିର ଗର୍ଭଗୃହର ଲେଜର ସ୍କାନିଂ । ରବିବାର ଦିନ ଏହି ସୂଚନା ‌ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର । କେବଳ ଅନ୍ୟ ପ୍ରସ୍ତାବିତ ସ୍ଥାନମାନଙ୍କର ଲେଜର ସ୍କାନିଂ ହେବ। ଚଳିତବର୍ଷ ଲେଜର ସ୍କାନିଂର ଫଳାଫଳ କ’ଣ ଆସୁଛି ଅନୁଧ୍ୟାନ କରାଯିବ । ଯଦି ଫଳାଫଳ ଭଲ ଆସେ, ତେବେ ଆସନ୍ତାବର୍ଷ ଗର୍ଭଗୃହର ଲେଜର ସ୍କାନିଂ ହେବ ବୋଲି ଡ. କୁମାର କହିଛନ୍ତି । ଅନ୍ୟପଟେ ଖୁବଶୀଘ୍ର ରୁପାଦ୍ବାର ସଂଯୋଗର ଅନୁମତି ପ୍ରତ୍ନତତ୍ତ୍ବ ବିଭାଗ ଦେବାକୁ ଯାଉଛି ବୋଲି ଡ. କୁମାର କହିଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କୁମାର ରବିବାର ଦିନ ରଥଯାତ୍ରା ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିବା ସହ ସେବାୟତଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ନିଜେ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରଖିଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଶ୍ରୀମନ୍ଦିରର ଆବଶ୍ୟକ ମରାମତି ହେବ । ଶ୍ରୀମନ୍ଦିର ଗର୍ଭଗୃହ ସହ ଅନ୍ୟାନ୍ୟ ସ୍ଥାନର ଲେଜର ସ୍କାନିଂ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅନୁରୋଧ କରିଥିଲା । ସେହି ହିସାବରେ ଆମେ ସମସ୍ତଙ୍କ ସହ ଆଲୋଚନା ପରେ ଏ ବର୍ଷ ଗର୍ଭଗୃହ ଛାଡ଼ି ଶ୍ରୀମନ୍ଦିରର ବାକି ସ୍ଥାନର ଲେଜର ସ୍କାନିଂ କରିବାକୁ ପ୍ରତ୍ନତତ୍ତ୍ବ ବିଭାଗକୁ ଅନୁମତି ଦେଇଛୁ । ନାଟମଣ୍ଡପ, ଜଗମୋହନ ସହ ଅନ୍ୟାନ୍ୟ ସ୍ଥାନର ଆଗ ଲେଜର ସ୍କାନିଂ ହେବ । ଏହାର ଫଳାଫଳରୁ କେତେ ଲାଭ ମିଳୁଛି, ତାର ଅନୁଧ୍ୟାନ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।’

ସୂଚନା ଅନୁସ‌ାରେ, ମରାମତି କାମ ଅନୁଧ୍ୟାନ ପାଇଁ ଏକ ସେବାୟତ କମିଟି ଗଠନ କରାଯାଇଛି। ସେବାୟତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମରାମତି କାମ ଆଗେଇବ । ରୁପା ଦ୍ବାର ସମ୍ପର୍କରେ ସୂଚନା ଦେଇ ଡ. କୁମାର କହିଛନ୍ତି ଯେ ନୂଆ ରୁପା ଦ୍ବାର ସଂଯୋଗ ଉପରେ ପ୍ରତ୍ନତତ୍ତ୍ବ ବିଭାଗର ଅଦ୍ୟାବଧି ଅନୁମତି ମିଳିନି । ଅନୁମତିପତ୍ରରେ କ’ଣ ସବୁ ନିୟମାବଳୀ ରହୁଛି, ତାହା ଆଧାରରେ କାମ ଆଗେଇବ । ପ୍ରତ୍ନତତ୍ତ୍ବ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ ସହ ନିର୍ମାଣ ବିଭାଗର ଇଂଜିନିୟରମାନେ ମିଳିମିଶି ଏହି କାମ କରିବେ।

ବର୍ତ୍ତମାନ ସୁଦ୍ଧା ୪ଟି ଦ୍ବାର କାମ ଶେଷ ହୋଇଗଲାଣି। ବାକି ଦ୍ବାରର ନିର୍ମାଣ କାମ ବି ଜାରି ରହିଛି । ରୁପା ଚାଦର ବି ପହଞ୍ଚି ସାରିଛି । ପ୍ରଥମେ ପରୀକ୍ଷାମୂଳକ ଭାବେ ଜୟବିଜୟ ଦ୍ବାର ଅବା ଭୋଗମଣ୍ଡପ ଦ୍ବାର ଲଗାଯିବ । ଯଦି ପରୀକ୍ଷା ସଫଳ ହେଲା, ତେବେ ପର୍ଯ୍ୟାୟକ୍ରମେ ବାକି ଦ୍ବାର ଲାଗିବ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏଡିଜି ବି ଆଜି ରାତିରେ ପୁରୀରେ ପହଞ୍ଚୁଛନ୍ତି । ତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡ. କୁମାର କହିଛନ୍ତି ।