କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିଛି । ଉତ୍ତର ପ୍ରଦେଶ ଭଳି ବଡ଼ ରାଜ୍ୟର ନିର୍ବାଚନ ଦାୟିତ୍ୱ ନେବା ବୈଜୟନ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ହେଲେ ଏବେ ପ୍ରଶ୍ନ ଉଠୁଛି, ଉତ୍ତରପ୍ରଦେଶ ନିର୍ବାଚନୀ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ବୈଜୟନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ କି ନାହିଁ?

ଯଦି ପୂର୍ବ ଇତିହାସ ଉପରେ ନଜର ପକାଇବା, ତା ହେଲେ ୨୦୧୪ ଲୋକସଭା ନିର୍ବାଚନ ପାଇଁ ଅମିତ୍ ଶାହଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ ମିଳିଥିଲା । କିନ୍ତୁ ସେହି ବର୍ଷ ନିର୍ବାଚନ ଲଢ଼ିନଥିଲେ ଅମିତ୍ ଶାହ । ୨୦୧୯ରେ ୟୁପି ଦାୟିତ୍ୱରେ ଥିବା ଜେପି ନଡ୍ଡା ମଧ୍ୟ ନିର୍ବାଚନ ଲଢ଼ିନଥିଲେ । ଆଉ ବଡ଼ କଥା ହେଉଛି ଉଭୟ ଅମିତ୍ ଶାହ ଓ ନଡ୍ଡା ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିବା ସହ ୟୁପିରେ ବିଜେପିକୁ ବଡ଼ ବିଜୟ ଦେଇଥିଲେ । ଯଦି ଏହି ସମୀକରଣକୁ ଦେଖିବେ, ତାହେଲେ ବୈଜୟନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠୁଛି ।

ସେପଟେ ୨୩ ରାଜ୍ୟର ଲୋକସଭା ନିର୍ବାଚନ ପାଇଁ ବିଜେପି ନିର୍ବାଚନ ପ୍ରଭାରୀଙ୍କ ନାଁ ଘୋଷଣା ହୋଇଛି । ଓଡ଼ିଶା ପାଇଁ ୨ ଜଣଙ୍କ ନାଁ ଘୋଷଣା କରିଛି ଦଳ । ବିଜୟପାଲ ସିଂହ ତୋମାରଙ୍କୁ ଓଡ଼ିଶାର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସେହିପରି ସୁଶ୍ରୀ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ୱ ମିଳିଛି । ଉତ୍ତରପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି ବିଜୟପାଲ ସିଂହ ତୋମାର । ବିଜେପି ଜାତୀୟ କୃଷକ ମୋର୍ଚ୍ଚାର ସଭାପତି ମଧ୍ୟ ଥିଲେ । ଲତା ଉସେଣ୍ଡି ଛତିଶଗଡ଼ର ବିଧାୟିକା । ବିଜେପି ଜାତୀୟ ଉପସଭାପତି ମଧ୍ୟ ଅଛନ୍ତି । ପୂର୍ବରୁ ସେ ଛତିଶଗଡ଼ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ ।