କଂଗ୍ରେସର ହଲଚଲ : ଆଜି ଦିଲ୍ଲୀ ଆସୁଛନ୍ତି ଅଶୋକ ଗେହଲଟ; କହିଲେ ରାହୁଲଙ୍କୁ ମନାଇବେ, ରାଜି ନହେଲେ ନିଜେ ଭରିବେ ନାମାଙ୍କନ

114

କନକ ବ୍ୟୁରୋ : କଂଗ୍ରେସ ସଭାପତି ନିର୍ବାଚନକୁ ଏକ ମାସରୁ କମ ସମୟ ଥିବା ବେଳେ ଦଳ ଭିତରେ ହଲଚଲ ଆରମ୍ଭ ହୋଇଯାଇଛି । ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରାଜସ୍ଥାନରେ ମଧ୍ୟ ହଲଚଲ ଦେଖିବାକୁ ମିଳିଛି । ଗତକାଲି ରାତି ସାଢେ ୧୦ଟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାୟକ ଦଳ ବୈଠକ କରିଛନ୍ତି । ଚର୍ଚ୍ଚା ହେଉଛି ବୈଠକରେ ଗେହଲଟ ସ୍ପଷ୍ଟ କରିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଦଳର ମଙ୍ଗ ଧରିବା ପାଇଁ ମନାଇବାକୁ ଉଦ୍ୟମ କରିବେ ।

ଯଦି ରାହୁଲ ଗାନ୍ଧୀ ରାଜି ନହୁଅନ୍ତି, ତେବେ ନିଜେ ଦଳର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବେ । ଆଉ ସେଇଥିପାଇଁ ଆଜି ଅଶୋକ ଗେହଲଟ ଦିଲ୍ଲୀ ଆସୁଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ବିଧାୟକ ଦଳ ବୈଠକରେ ଗେହଲଟ ଏହା ବି ସ୍ପଷ୍ଟ କରି ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରହି କଂଗ୍ରେସ ସଭାପତି ଦାୟିତ୍ୱ ତୁଳାଇବେ । କୁହାଯାଉଛି, ରାହୁଲ ଗାନ୍ଧୀ ଦଳର ସଭାପତି ହେବାକୁ ଆଗ୍ରହୀ ନୁହଁନ୍ତି । ଏହାରି ଭିତରେ ୭ଟି ରାଜ୍ୟର କଂଗ୍ରେସ କମିଟି ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି କରିବା ପାଇଁ ସଂକଳ୍ପ ପାରିତ କରିସାରିଛନ୍ତି । ହେଲେ ଏବେ ଭାରତ ଯୋଡ ଯାତ୍ରା କରୁଥିବା ରାହୁଲ କାର୍ଯ୍ୟକ୍ରମ ଅଧାରୁ ଦିଲ୍ଲୀ ଫେରିବେ ନାହିଁ ବୋଲି ସୂଚନା ରହିଛି ।

ତେଣୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସେ ଲଢିବେ ନା ନାହିଁ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଆଉ ଏବେ ଅଶୋକ ଗେହଲଟ ରାହୁଲଙ୍କୁ ଦଳର ଅଧ୍ୟକ୍ଷ ହେବା ପାଇଁ ବୁଝାଇବାକୁ ଆଜି ଦିଲ୍ଲୀ ଆସୁଛନ୍ତି । ସେପଟେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ ଓ ୨୪ ତାରିଖରୁ ୩୦ ତାରିଖ ଯାଏଁ ନାମାଙ୍କନ ଦାଖଲ ସମୟ ରହିଛି । ଏହାପରେ ଅକ୍ଟୋବର ୧୭ରେ ଭୋଟ ଓ ୧୯ ତାରିଖରେ ଫଳାଫଳ ପ୍ରକାଶ ପାଇବ ।