କନକ ବ୍ୟୁରୋ : ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବେ କି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୨୦୨୪ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବେ କି ଅଶ୍ୱିନୀ । ଏଭଳି ଚର୍ଚ୍ଚା ଏଥିପାଇଁ ବଢିଛି କାରଣ ଏହା ଭିତରେ ଲଗାତାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସିବା ସହ ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି । ଏପରିକି ତୃଣମୂଳସ୍ତରରେ ଲୋକଙ୍କ ସହ ସମ୍ପର୍କ ବଢାଇବା ସହ ଜନସମ୍ପର୍କ ପଦଯାତ୍ରାରେ ଗାଁ ଗାଁରେ ପହଞ୍ଚିଛନ୍ତି । ଆଉ ଏଭଳି ଘନଘନ ଗସ୍ତକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇବେ କି?
ଏହାଛଡା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବରୁ କଟକ ଓ ବାଲେଶ୍ୱରରେ ଜିଲ୍ଲାପାଳ ରହି ସାରିଛନ୍ତି । ତେଣୁ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଅଶ୍ୱିନୀ ଏବେ ଏହି ଅଞ୍ଚଳକୁ ରାଜନୈତିକ କର୍ମକ୍ଷେତ୍ର କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏଭଳି ଚର୍ଚ୍ଚା ଉପରେ ବଡ ବୟାନ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।
୨୦୨୪ରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ କି ନାହିଁ ତାହାର ଉତ୍ତରରେ ଅଶ୍ୱିନୀ କହିଛନ୍ତି, ଆମ ଦଳ ଏକ ଶୃଙ୍ଖଳିତ ଦଳ । ମୁଁ ଏଠାରେ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା । ସାମାଜିକ ଜୀବନରେ କଣ ଦାୟିତ୍ୱ ଦିଆଯିବ, କଣ କରାଯିବ ତାହାର ନିଷ୍ପତ୍ତି ଦଳ ନେବ । ଆଉ ଏଭଳି କହି ପୁଣିଥରେ ୨୦୨୪ରେ ଅଶ୍ୱିନୀ ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇବେ କି ନାହିଁ ତାହା ଉପରେ ପରଦା ଢାଙ୍କିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଦମ୍ଭର ସହ କହିଛନ୍ତି ୨୦୨୪ରେ ଡବଲ ଇଞ୍ଜିନ ସରକାର ଆସିବ ।ଉଭୟ ଓଡ଼ିଶା ଓ ଦେଶରେ ଡବଲ ଇଞ୍ଜିନ ସରକାର ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅଶ୍ୱିନୀ ।