କନକ ବ୍ୟୁରୋ : ଜନ୍ମ ଦେଲା ପରେ ଦୂରେଇ ଦେଲା ମା’ କିନ୍ତୁ ସିଂହ ଛୁଆକୁ ଆପଣାଇ ନେଲେ ପ୍ରଶାନ୍ତ । ନନ୍ଦନକାନନରେ ୬ ମାସ ତଳେ ସମ୍ରାଟ ଓ ବିଜଲି ଔରସରୁ ଜନ୍ମ ନେଇଥିଲା ବର୍ଷା । କିନ୍ତୁ ଜନ୍ମ ପରଠାରୁ ବର୍ଷାକୁ କ୍ଷୀର ଖୁଆଇ ନାହିଁ ମା ବିଜଲି । ମାଆ ଦୂରେଇଦେବା ପରେ ବର୍ଷାର ଲାଳନପାଳନ କରିଛନ୍ତି ନନ୍ଦନକାନନର ପଶୁପାଳକ ପ୍ରଶାନ୍ତ ଗୌଡ । ଖୁଆଡ଼ରେ ରହିବାର ପ୍ରଶିକ୍ଷଣ ପାଇସାରିଛି ୬ ମାସର ବର୍ଷା । ଆଉ କେଇ ଦିନ ପରେ ସେ ବଡ ଖୁଆଡ଼କୁ ଚାଲିଯିବ । କିନ୍ତୁ ପ୍ରଶାନ୍ତ ଓ ବର୍ଷା ଭିତରେ ଗଢ଼ି ଉଠିଥିବା ସମ୍ପର୍କ ଉଦାହରଣ ହୋଇ ରହିବ ।

Advertisment

ଖୁଆଡ଼ ଭିତରେ ବର୍ଷା..ବାହାରେ ପ୍ରଶାନ୍ତ । ପ୍ରଶାନ୍ତଙ୍କ ମୁହଁରୁ ବର୍ଷା ଡାକ ଶୁଣିଦେଲେ ପ୍ରଶାନ୍ତଙ୍କ ପାଖକୁ ଚାଲିଆସେ ସିଂହ ଛୁଆ ବର୍ଷା । ଆଉ ପାଖରେ ପାଇଲେ ଗେହ୍ଲା ହୁଏ । ୬ ମାସର ବର୍ଷା କେତେବେଳେ ପ୍ରଶାନ୍ତଙ୍କ ସହ ଖେଳୁଛି ତ ପୁଣି କେତେବେଳେ କରୁଛି ଅଳି । ଖେଳୁ ଖେଳୁ ନାକେଦମ ବି କରିଦେଉଛି । ଥକିପଡିଲେ ପ୍ରଶାନ୍ତଙ୍କ କୋଳରେ ପଶିଯାଉଛି । ଯେମିତି ବାପା ପାଖକୁ ଥକି ପଡି ଛୋଟ ଶିଶୁ ଧାଇଁଆସେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନନ୍ଦନକାନନରେ । ପଶୁପାଳକ ପ୍ରଶାନ୍ତ ଗୌଡଙ୍କ କୋଳରେ ଏମିତି ବଡ ହୋଇଛି ସିଂହ ଶାବକ ।

୬ ମାସ ତଳେ ସମ୍ରାଟ ଓ ବିଜଲି ଔରସରୁ ଜନ୍ମ ନେଇଥିଲା ବର୍ଷା । କିନ୍ତୁ ଜନ୍ମ ପରଠାରୁ ବର୍ଷାକୁ କ୍ଷୀର ଖୁଆଇ ନାହିଁ ମା ବିଜଲି । ମାଆ ସିନା ଦୂରେଇଦେଲା, କିନ୍ତୁ ବର୍ଷାକୁ ଆପଣେଇଥିଲେ ପ୍ରଶାନ୍ତ । ବାସ୍, ସେବେଠାରୁ ସୁଖ ଦୁଃଖର ସାଥୀ ପାଲଟିଯାଇଛନ୍ତି ପ୍ରଶାନ୍ତ । କୋଳରେ ବସାଇ ବୋତଲରେ କ୍ଷୀର ପିଆଇଛନ୍ତି, ଏପରିକି ରାତି ଅନିଦ୍ରା ରହି ବର୍ଷାର ଭଲ ମନ୍ଦ ବୁଝିଛନ୍ତି । ଏମିତି କଟୁଛି ଦୁହିଁଙ୍କ ଜୀବନ ।

ଖୁଆଡ଼ରେ ରହିବାର ପ୍ରଶିକ୍ଷଣ ପାଇସାରିଛି ବର୍ଷା । ଆଉ କେଇ ଦିନ ପରେ ସେ ବଡ ଖୁଆଡ଼କୁ ଚାଲିଯିବ । କିନ୍ତୁ ପ୍ରଶାନ୍ତ ଓ ବର୍ଷା ଭିତରେ ଗଢ଼ି ଉଠିଥିବା ସମ୍ପର୍କ ଉଦାହରଣ ହୋଇ ରହିବ । ମଣିଷ ଓ ସିଂହ ଛୁଆ ମଧ୍ୟରେ ଏପରି ଅନାବିଳ ସମ୍ପର୍କ ଜଣାଇଦେଉଛି, ପଶୁର ହିଂସ୍ର ସ୍ୱଭାବ ବି ଭଲ ପାଇବା ଆଗରେ ବଦଳିଯାଏ । ସିଂହ ବି ପଡିଯାଏ ମଣିଷ ପ୍ରେମରେ ।