କନକ ବ୍ୟୁରୋ : ହାତୀ ଉତ୍ପାତ, ଅଳ୍ପକେ ବର୍ତିଲେ ପରିବାର । ସୁନ୍ଦରଗଡ଼ ଜିଲ୍ଲା ବଣାଇ, କୁଳିପୋଷ, ବାଙ୍କୀ ରେଞ୍ଜରେ ଆଠ ଦିନ ହେଲା ଦନ୍ତା ହାତୀ ଆସି ଉତ୍ପାତ ଚଳାଇଥିଲା । ଗତକାଲି ବଣାଇରେ ଛତିଆଢ଼ିପା, ବାବୁନୁଗା, ଗୁଢ଼ୀଆଳି, ଅଂଚଳର ଜୟନ୍ତ ମାଝିଙ୍କ ଘର ଭାଙ୍ଗିବା ପରେ ହୃଷି ପାତ୍ରଙ୍କ ଘରକୁ ଭାଙ୍ଗି ହାତୀ ବଣ୍ଡଡିହି ଜଙ୍ଗଲକୁ ଚାଲିଯାଇଛି । ଘର ଭାଙ୍ଗିଥିବା ବେଳେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଜୟନ୍ତ ମାଝିଙ୍କ ପରିବାର ।
ହାତୀ ଘର ଭାଙ୍ଗିବା ସମୟରେ ଜୟନ୍ତ ଘର ଦୁଆରରେ ଶୋଇଥିଲେ । ସେହିଭଳି ଘରେ ସ୍ତ୍ରୀ, ଛୋଟ ପୁଅ ଓ ଝିଅ ଶୋଇଥିଲେ । ହାତୀ ଘର ଭାଙ୍ଗୁଥିବା ଜାଣିବା ପରେ ସମସ୍ତେ ଜୀବନ ବଞ୍ଚାଇବା ପାଇଁ ପଲଙ୍କ ତଳେ ଆଶ୍ରୟ ନେଇଥିଲେ । ତେବେ ଇଟା ପଥର ଓ କାନ୍ଥ ପଡିବାରୁ ପଲଙ୍କ ତଳେ ଚାପି ହୋଇଯାଇଥିଲେ ଜୟନ୍ତଙ୍କ ସ୍ତ୍ରୀ ଗୁଡିଆ ମାଝୀ । ହାତୀ ଯିବା ପରେ ଗ୍ରାମବାସୀ ଜୟନ୍ତଙ୍କ ଘରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ ।