ଦେବଗଡ଼ରେ ହାତୀଙ୍କ ଉପଦ୍ରବ । ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ ଗଲାଣି ୨ ଜୀବନ ।

74

କନକ ବ୍ୟୁରୋ : ଏବେ ପ୍ରତ୍ୟେକ ସମୟରେ କେଉଁଠି ନା କେଉଁଠି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଏବେ ହାତୀ ଆକ୍ରମଣରେ ମୃତ୍ୟୁ ଖବର ବାରମ୍ବାର ଆସୁଛି । ଦେବଗଡ଼ ଜିଲ୍ଲାରେ ପ୍ରାୟ ଏକ ମାସ ଧରି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ ୨ ଜଣଙ୍କର ଜୀବନ ଯାଇଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାତୀଙ୍କ ଉପଦ୍ରବ ବଢ଼ୁଛି । ଖାଦ୍ୟ ଖୋଜି ଖୋଜି ହାତୀପଲ ଗାଁ ମୁହାଁ ହୋଇଛନ୍ତି । ଆଉ ହାତୀ ଆକ୍ରମଣରେ ନୀରିହ ଜୀବନ ଚାଲିଯାଉଛି । ଦେବଗଡ଼ ଜିଲ୍ଲାର ଦୁଇଟି ବ୍ଲକରେ ୨ ଜଣଙ୍କ ଜୀବନ ନେଇଛନ୍ତି ହାତୀପଲ । ବାରକୋଟ ବ୍ଲକ କାଳକାଠ ଗାଁର ୬୦ ବର୍ଷିୟ ବୃଦ୍ଧ ଚେରୁ କିସାନଙ୍କୁ ଘରୁ ଘୋଷାଡ଼ି ଆଣି କଚାଡ଼ି ମାରିଦେଇଛି ହାତୀ । ସେହିଭଳି ତିଲେଇବଣୀ ବ୍ଲକ ବୁଢ଼ିବିଲ ଗାଁର ୨୮ ବର୍ଷୀୟ ଯୁବକ ଲମ୍ବଦୋର ନାଏକ ବିଲରେ କାମ କରୁଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି ।

ହାତୀପଲ ଧନ-ଜୀବନ ନଷ୍ଟ କରୁଛନ୍ତି । ଦେବଗଡ଼ ବନଖଣ୍ଡର ବାରକୋଟ, ରିଆମାଳ ଓ ତିଲେଇବଣୀ ବ୍ଲକର ବିଭିନ୍ନ ଗାଁରେ ପଶି ଅମଳକ୍ଷମ ଧାନକୁ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି । ସେହିପରି ହାତୀଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀ ରାତି ଅନିଦ୍ରା ହୋଇ ନିଆଁ ହୁଳା ଦେଖାଇବା ସହ ବାଣ ଫୁଟାଉଛନ୍ତି । ମୃତକଙ୍କ ପରିବାରକୁ ବନବିଭାଗ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି, ହେଲେ ସେଥିରେ କ୍ଷତି ଭରଣା ଅସମ୍ଭବ ବୋଲି ବହୁ ଚାଷୀ ମତ ଦେଇଛନ୍ତି ।

ହାତୀ ଆତଙ୍କ ଯୋଗୁଁ ସ୍ଥାନୀୟ ଲୋକେ ତାତି ଉଠିଛନ୍ତି । ହୀତଙ୍କୁ ଘଉଡେଇବା ପାଇଁ ବନବିଭାଗ, ଜିଲ୍ଲା ପ୍ରଶାସନ ଓ ଗାଁ ଲୋକଙ୍କ ମଧ୍ୟରେ ବୈଠକ କରି ସମାଧାନର ବାଟ ଖୋଜା ଚାଲିିଛି । ବନବିଭାଗ ପାଖରେ ଆବଶ୍ୟକ କର୍ମଚାରୀ ନଥିବାରୁ ଗ୍ରାମବାସୀଙ୍କ ସାହାଯ୍ୟ ଲୋଡ଼ିଛିବିଭାଗ । ହାତୀ ଉପଦ୍ରବ ତୁରନ୍ତ ରୋକା ନଗଲେ ଆଗକୁ ଆହୁରି ଜୀବନ ହାନି ହେବାର ଆଶଙ୍କା କରୁଛନ୍ତି ଲୋକେ ।