ଅନୁଗୁଳ ବାଲିଜେରେଙ୍ଗ କୂଅରେ ପଡ଼ିଲା ହାତୀ : ଅନ୍ଧାର ରାତିରେ ଜନବସତି ଆଡକୁ ଆସୁଥିବା ସମୟରେ କୂଅରେ ପଡ଼ିଥିବା ସୂଚନା

ହାତୀକୁ ଉଦ୍ଧାର କରିବା ପାଇଁ ବନ ବିଭାଗର ଉଦ୍ୟମ ଜାରି

83

କନକ ବ୍ୟୁରୋ : କୂଅରେ ପଡ଼ିଲା ଜଙ୍ଗଲି ହାତୀ । ଅନୁଗୁଳ ଜିଲ୍ଲା ବାଲିଜେରେଙ୍ଗ ଗାଁରେ ଗତକାଲି ବିଳମ୍ବିତ ରାତିରେ ହାତୀଟି କୂଅରେ ପଡ଼ିଥିବା ନେଇ ଦେଖିବାକୁ ମିଳିଥିଲା ।  ଏନେଇ ଗ୍ରାମବାସୀମାନେ ସକାଳୁ ସକାଳୁ ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ କର୍ମଚାରୀମାନେ ଗାଁରେ ପହଂଚି ହାତୀଟିକୁ ଉଦ୍ଧାର କରିବାର ଉଦ୍ୟମ ଆରମ୍ଭ କରିଛନ୍ତି । ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ସେକ୍ସନର ବାଲିଜେରେଙ୍ଗ ଅଂଚଳରେ ବେଶ କିଛି ଦିନ ହେଲା ଜଙ୍ଗଲି ହାତୀର ଜନବସତି ଆଡ଼କୁ ମାଡ଼ି ଆସିଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନର ବାଳିଜେରେଙ୍ଗ ଗାଁରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଥିଲା । ତେବେ ବିଳମ୍ବିତ ରାତିରେ ହାତୀପଲ ଗାଁକୁ ଆସିଥିବା ବେଳେ ଏକ ହାତୀ ଗାଁର ସୁରଥ ସାହୁଙ୍କ ବାଡ଼ିରେ ଥିବା କୂଅରେ ପଡ଼ି ଯାଇଥିଲା। ଆଜି ସକାଳୁ ଗ୍ରାମବାସୀ ହାତୀକୁ ଏହି ଅବସ୍ଥାରେ ଦେଖି ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।ଏହାପରେ ଅନୁଗୁଳ ରେଞ୍ଜର ସତ୍ୟବ୍ରତ ପ୍ରଧାନ ଓ ଜରପଡ଼ା ରେଞ୍ଜର ହୃଦାନନ୍ଦ ନଏକଙ୍କ ସହ ଅନ୍ୟ କର୍ମଚାରୀମାନେ ସେଠାରେ ଏବେ ପହଞ୍ଚିଛନ୍ତି ।

ଅନ୍ୟ ପକ୍ଷରେ ଅନୁଗୁଳ ଦମକଳ ବାହିନୀ ଏବେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ କୂଅ ପାର୍ଶ୍ଵରେ ଗାତ ଖୋଳିବାକୁ ଦରକାର ପଡୁଥିବା ଜେସିବି ମେସିନ ଆସିଲେ ହାତୀ ଉଦ୍ଧାର ହେବ ବୋଲି ଜଣାପଡ଼ିଛି । କୂଅରେ ହାତୀଟି ଛଟପଟ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ହାତୀ ଉଦ୍ଧାର ନହେବା ଘଟଣା ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।