ସମ୍ବଲପୁରରେ ଦଳିଦେଲା ଦନ୍ତାହାତୀ ‘ଡନ୍’ : ଗତରାତିରେ ସଦର ରେଂଜ ଝାଙ୍କର ପାଲିର କୁଢେନିଶା ଗାଁରେ ଖେଳାଇଲା ଆତଙ୍କ

ବ୍ୟାପକ ଭଙ୍ଗାରୁଜା ପରେ ଘରେ ପଶି ୨ ଜଣଙ୍କୁ ଦଳି ଦେଇଛି ଦନ୍ତା

65

କନକ ବ୍ୟୁରୋ : ଦଳିଦେଲା ଦନ୍ତାହାତୀ ‘ଡନ୍’ । ଗତ କିଛିଦିନ ହେଲା ସମ୍ବଲପୁର ଯୁଯୁମୁରା ଅଂଚଳରେ ଆତଙ୍କ ଖେଳାଇଥିବା ଦନ୍ତାହାତୀଟି, ସମ୍ବଲପୁର ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ କୁଢେନିଶା ଗାଁରେ ଗତରାତିରେ ପଶି ୨ ଜଣଙ୍କୁ ଦଳି ଦେଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତରଙ୍କୁ ହସ୍ପିଟାଲ ନେବା ବାଟରେ ପ୍ରାଣବାୟୁ ଉଡିଯାଇଛି ।

ଝୋପଡି କୁଡିଆରେ ଶୋଇଥିବାବେଳେ ୨ ଜଣଙ୍କୁ ଦଳି ଦେଇଥିଲା ଦନ୍ତାହାତୀ ଡନ୍ । ଅତାବିରା ବ୍ଲକ ଜୁନେନ ଗାଁର ତେଲେଙ୍ଗା ଓରାମ ଏବଂ ଜୟଲାଲ ମିର୍ଦ୍ଧାଙ୍କର ମୃତ୍ୟୁ ହୋଇଛି । ଏମାନେ ଏକ ଠିକାଦାର ସଂସ୍ଥା ପକ୍ଷରୁ କର୍ପୋରେସନର ବାଉଁଶ କଟାଳି ଭାବେ କାମ କରୁଥିଲେ । ସଂଧ୍ୟାରେ ଖାଇପିଇ, ଘରେ ବିଶ୍ରାମ ନେଉଥିଲେ ।

ରାତି ପ୍ରାୟ ୮ଟାବେଳେ ଦନ୍ତାହତୀ ଡନ୍ ଜୁନେନ ଗାଁରେ ପହଂଚି ଉତ୍ପାତ ଆରମ୍ଭ କରିଦେଇଥିଲା । ତେଲେଙ୍ଗା ଓ ଜୟଲାଲ ଶୋଇଥିବା ଘର ଉପରେ ଅଚାନକ ଆକ୍ରମଣ କରିଦେଲା ଡନ୍ । ଦନ୍ତାର ଦଳାଚକଟାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ସେଠାରୁ ଦୌଡି ଜୀବନ ରକ୍ଷା କରିଥିଲେ ।