ନବରଙ୍ଗପୁର ଜିଲ୍ଲା ଝରି ଗାଁରେ ଘର ଭିତରେ ପଶିଲା ଭାଲୁ : ୫ ଘଂଟା ପରେ ଉଦ୍ଧାର କଲେ ବନବିଭାଗ; ଅଳ୍ପକେ ବର୍ତିଗଲେ ଘର ଭିତରେ ଥିବା ସଦସ୍ୟ

127

କନକ ବ୍ୟୁରୋ : ଘର ଭିତରୁ ଉଦ୍ଧାର ହେଲା ଭାଲୁ । ଦୀର୍ଘ ୫ଘଂଟା କାଳ ପରିଶ୍ରମ ପରେ ନବରଙ୍ଗପୁର ୱାଇଲ୍ଡ ଲାଇଫ ଟିମ୍ ଘରେ ପଶିଥିବା ଭାଲୁକୁ ଉଦ୍ଧାର କରିଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରଣୀଚଛରା ଗାଁର ଜଣଙ୍କ ଘରେ ଭାଲୁଟି ପଶି ଯାଇଥିଲା । ସେହି ସମୟରେ ଘର ଭିତରେ ୪ଜଣ ଲୋକ ଥିଲେ । ଭାଲୁକୁ ଦେଖିବା ପରେ ସମସ୍ତେ ଭୟଭୀତ ହୋଇପଡିଥିଲେ । ହେଲେ, ସୌଭାଗ୍ୟ ବସତଃ ଭାଲୁଟି ଲୋକମାନେ ଥିବା ଘର ଭିତରକୁ ପଶି ନଥିଲା ।

କାଠ ରଖୁଥିବା ଘରେ ପଶିଥିଲା । ଏହା ଦେଖି ଭାଲୁ ପଶିଥିବା ବଖରାକୁ ବାହାରୁ ବନ୍ଦ କରି ଦିଆଯାଇଥିଲା । ଏ ନେଇ ଗ୍ରାମବାସୀ ଖବର ଦେବାରୁ ଘଟଣାସ୍ଥଳରେ ଝରିଗାଁ ବନବିଭାଗର କର୍ମଚାରୀମାନେ ପହଁଚିଥିଲେ । ପରେ ନବରଙ୍ଗପୁର ଡିଏଫଓଙ୍କ ନିର୍ଦ୍ଦେଶରେ ଏକ ୭ ଜଣିଆ ୱାଇଲ୍ଡ ଲାଇଫ ସ୍ୱତନ୍ତ୍ର ଟିମ୍ ଆସି ଭାଲୁକୁ ଉଦ୍ଧାର କରିଥିଲେ । ଉଦ୍ଧାର କରାଯିବା ପରେ ଭାଲୁକୁ ଏକ ଜନ୍ତାରେ ରଖାଯାଇଥିଲା । ଚିକିତ୍ସା ପରେ ଜଙ୍ଗଲରେ ଛଡାଯିବ ବୋଲି କହିଛନ୍ତି ବନବିଭାଗ କର୍ମଚାରୀ ।