ବ୍ରହ୍ମପୁର ମହାନଗର ନିଗମର ମାଗଣା ୱାଇଫାଇ ଯୋଜନାରେ ଲାଗିଛି କଳଙ୍କ । ମାଗଣା ୱାଇଫାଇ କଥା ସହରବାସୀଙ୍କ ଅଜଣା, ବର୍ଷକୁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା

59

କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବହୁ ଯୋଜନା ଆରମ୍ଭ ହୋଇଛି, ହେଲେ ସେଗୁଡିକ ବାଟବଣା ହେଉଥିବା ଅଭିଯୋଗ ହୋଇଛି। ସେମିତି ଏକ ଯୋଜନା ହେଉଛି ବିଇଏମସିର ମାଗଣା ଓାଇଫାଇ ଯୋଜନା । ଭୂବନେଶ୍ୱରର ୱେଫେ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ ନାମକ ଏକ ଘରୋଇ ସଂସ୍ଥା ମାଧ୍ୟମରେ ୱାଇଫାଇ ପାଇଁ ବର୍ଷକୁ ୫୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ଏଭଳି ଯୋଜନା କାର୍ୟ୍ୟକାରୀ ହେଉଥିବା ନେଇ ସହରବାସୀ ଜାଣିନଥିବା କହିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ୫୧ଲକ୍ଷ ୫୦ହଜାର, ୨୦୨୩-୨୪ ବର୍ଷରେ ମଧ୍ୟ ୫୧ଲକ୍ଷ ୫୦ହଜାର ଓ ଚଳିତ ଆର୍ଥିକ ବର୍ଷ ଲାଗି ମଧ୍ୟ ୫୧ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ ବ୍ୟୟ ବରାଦ ହୋଇଛି। ସେହିଭଳି ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ବାବଦକୁ ବର୍ଷକୁ ୬୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ମହାନଗର ନିଗମ କାଉଂସିଲ ବୈଠକରେ କର୍ପୋରେଟର ହୋହଲା ପରେ ସିସିଟିଭି ଓ ମାଗଣା ୱାଇଫାଇ ଯୋଜନାରେ ଦୁର୍ନୀତି ସାମ୍ନାକୁ ଆସିଛି। ବିଭାଗୀୟ ଅଧିକାରୀଙ୍କ ଇଛା ଶକ୍ତିର ଅଭାବ ନା ଠିକାସଂସ୍ଥା ଜରିଆରେ କୋଟିକୋଟି ଟଙ୍କା ଆତ୍ମସାତ ଉଦେଶ୍ୟ ବୋଲି ପ୍ରଶ୍ନ କରିଛନ୍ତି ସହରବାସୀ।

୨୦୧୮ ଅଗଷ୍ଟ ୩୧ରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମାଗଣା ୱାଇଫାଇ ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ୨୦୧୯ରେ ଏକ ଘରୋଇ ସଂସ୍ଥାକୁ ପ୍ରାୟ ଏକ କୋଟି ଟଙ୍କାରେ ଟେଣ୍ଡର ପ୍ରଦାନ କରାଯାଇଥିଲା। ଯୋଜନାର ଶୁଭାରମ୍ଭ ବେଳେ ମହାନଗର ନିଗମ କାର୍ୟଳୟଠାରୁ ଖଲିକୋଟ ବିଶ୍ୱବିଦ୍ୟାଳୟ ଓ ଗେଟ୍ ବଜାର ମଧ୍ୟରେ ସହରର ୮ଟି ଛକରେ ୨୭ଟି ଆସେସ ପଏଣ୍ଟ ଖୋଲାଯାଇଥିଲା । ସେହିପରି ସହରର କେବଳ ୱାଇଫାଇ ନୁହେଁ ବରଂ ୫୫ଟି ସ୍ଥାନରେ ଲାଗିଥିବା ପ୍ରାୟ ୨୦୦ ସିସିଟିଭି କ୍ୟାମେରା ଅଚଳ ଥିବା ଅଭିଯୋଗ ହୋଇଛି ।

ସରକାରକା ମାଲ , ଦରିଆମେ ଡାଲ ନିତିରେ ଚାଲିଛି ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ଯୋଜନା । ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।